ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ୍‌ ଉଦ୍‌ଘାଟିତ

୩ ଦିନରେ ୨୧୦ ମ୍ୟାଚ୍‌, ପ୍ରଥମ ଦିନ ସରିଲା ୯୮

ବଲାଙ୍ଗୀର : ବଲାଙ୍ଗୀରରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା। ୧୫ ଓ ୧୭ ବର୍ଷ ବର୍ଗର ତିନିଦିନିଆ ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ନୂତନ ଭାବରେ ନିର୍ମିତ ପିଆର୍‌ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ଜିଲ୍ଲା ବ୍ୟାଡ୍‌ମିଣ୍ଟନ୍‌ ସଂଘ ପକ୍ଷରୁ ଆୟୋଜିତ ହୋଇଛି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଆଗାମୀ ଦିନରେ ପିଆର୍‌ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ୍‌ ଜାତୀୟ ଖେଳାଳି ପ୍ରସ୍ତୁତ କରିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ଯୋଗଦେଇ ବଲାଙ୍ଗୀରକୁ ରାଜ୍ୟ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ସୁଯୋଗ ଦେଇଥିବାରୁ ରାଜ୍ୟ ସଂଘ ଓ ପାଇଥିବା ସୁଯୋଗକୁ ସାମର୍ଥ୍ୟର ସହ ପାଳନ କରୁଥିବା ଜିଲ୍ଲା ସଂଘକୁ ସାଧୁବାଦ ଦେଇଥିଲେ। ଖୁବ ଶୀଘ୍ର ଉକ୍ତ ଷ୍ଟାଡିୟମ୍‌ରେ ସିନ୍ଥେଟିକ କୋର୍ଟ ଲଗାଯିବା ବୋଲି ଘୋଷଣା ମଧ୍ୟ କରିଥିଲେ। ବଲାଙ୍ଗୀର ଏସ୍‌ପି ନୀତୀନ କୁଶଲକର ଓ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ସଂଘର ଉଦ୍ୟମକୁ ପ୍ରଶଂସା କରିଥିଲେ। ଉପଜିଲ୍ଲାପାଳ କୁମାର ନାଗଭୂଷଣ, ଜିଲ୍ଲା ସଂଘ କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ପିଆର‌୍ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ପ୍ରତିଯୋଗିତାର ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ ସଂଯୋଜନା କରିଥିଲେ ଓ ରାଜ୍ୟ ସଂପାଦକ ନିଲିନ କୁମାର ଧନ୍ୟବାଦ ଦେଇଥିଲେ।

ପ୍ରତିଯୋଗିତାକୁ ଚିଫ ରେଫରି ଗୀତା ଦାସ, ମ୍ୟାଚ୍‌ କଣ୍ଟ୍ରୋଲର ବିଜୟ ବାଗ ଓ ସଟଲ୍ କଣ୍ଟ୍ରୋଲର ଲକ୍ଷପତି ନନ୍ଦ ନିଜ ବୈଷୟିକ ଦଳ ସହିତ ପରିଚାଳନା କରୁଛନ୍ତି। ପ୍ରଥମ ଦିନରେ ୯୮ ଗୋଟି ମ୍ୟାଚ୍‌ ହେବାକୁ ଥିବା ବେଳେ ଖବର ଲେଖା ଯିବା ପର୍ଯ୍ୟନ୍ତ ୧୫ ବର୍ଷ ବାଳକ ବର୍ଗର ୨୧ଟି ମ୍ୟାଚ୍‌ରୁ ଆଦିତ୍ୟ ଆର୍ଯ୍ୟ ପ୍ରତାପ, ଅଂଶ ସିହ୍ନା, ଶୁଭ୍ରଜିତ ମେହେର, ଶ୍ରେୟାଂଶ ଜେନା, ବିନମ୍ର କେଡିଆ, ଶୁଭ୍ରକେତନ ମଲ୍ଲିକ, ଉଦୟ ଭାସ୍କର, ଜ୍ୟୋତିରାଦିତ୍ୟ, ଅୟୁଷ୍ମାନ ରାଏ, ଦିବ୍ୟମ କେଜ୍ରିୱାଲ, ମୟାସ କୁମାର, ଓଜାଦୀପ ମାଝୀ, ନରେଶ ନାଏକ, ମନହର ନାଏକ, ମୋହିତ ବେହେରା, ଆରୁଷ ପ୍ରଧାନ, ପ୍ରତୀକ ଅର୍ମାନ, ଆୟୁଷ ତ୍ରିପାଠୀ, ମହାରିଷି ଶୁକ୍ଳା, ଅଗସ୍ତ୍ୟ ନାୟକ  ଓ ୧୭ବର୍ଷ ବାଳକ ବର୍ଗର ୮ଟି ମ୍ୟାଚରୁ ସାଇ କେଶବ ମୋଦୀ, ଅନିର୍ବନ ସାମନ୍ତ, ଜୀବନ ପଣ୍ଡା, ଶୁଭମ ଦାଶ, ରିତେଶ ଦାଶ, ମାନବ ନାୟକ, ଜି. ଶାଶ୍ବତ, ଜୟେଶ ଅଗ୍ରୱାଲ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର