ଭୁବନେଶ୍ବର : ପୁରୁଣା ଭୁବନେଶ୍ବରସ୍ଥିତ ଟାଉନ୍ କ୍ଲବ୍ ଏବଂ ବିଏମ୍ ହାଇସ୍କୁଲ୍ ପଡ଼ିଆରେ କାଭି ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରୀୟ ପୁରୁଷ ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। କୋରାପୁଟ ଓ ରେଭେନ୍ସା ସେମିଫାନାଲକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ଦିବସରେ ମୟୂରଭଞ୍ଜ ଭଦ୍ରକକୁ, ଅନୁଗୁଳ ମାହାଙ୍ଗାକୁ, କୋରାପୁଟ ରେଭେନ୍ସାକୁ ପରାସ୍ତ କରିଥିଲା। ସୁକଦେବ ସୋରେନ, ଶମ୍ଭୁନାଥ ସିଂ, ଧନପତି ଗୌଡ଼ ମ୍ୟାଚ୍ ତିନିଟିର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍ରେ ରେଭେନ୍ସା ଭୁବନେଶ୍ବରକୁ, କୋରାପୁଟ ଭୁବନେଶ୍ବରକୁ, ଭଦ୍ରକ ଅନୁଗୁଳକୁ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍ ରେଭେନ୍ସା (କଟକ) ଏବଂ ଭୁବନେଶ୍ୱର ମଧ୍ୟରେ ହୋଇଥିଲା। ଅଞ୍ଜନ ସିଂ, ଧନପତି ଗୌଡ଼, ଲିଙ୍ଗରାଜ ରାଉତରାୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଶୁକ୍ରବାର ଟାଉନ୍ କ୍ଲବ୍ ପଡ଼ିଆରେ ଭୁବନେଶ୍ବର ମେୟର ସୁଲୋଚନା ଦାସ, ତିନି କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ଶିବ ପ୍ରସାଦ ବେହେରା, ଚନ୍ଦ୍ର ଶେଖର ମଲିଆ, ଟାଉନ୍ କ୍ଲବର ସଂପାଦକ ପୃଥ୍ୱୀକାନ୍ତ ମହାପାତ୍ର, ନିହାର୍ ରଞ୍ଜନ ପଟ୍ଟନାୟକ, ଶିଶୁ ଓ ମହିଳା ବିକାଶ ସମିତିର ଅଧ୍ୟକ୍ଷା କଳ୍ପନା ଦାସ ଏବଂ ସ୍ପେଶାଲ ଅଲମ୍ପିକ ଭାରତ ଓଡ଼ିଶାର ଆଞ୍ଚଳିକ ନିର୍ଦେଶକ ପ୍ରକାଶ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘର ସଭାପତି ମହମ୍ମଦ ଜାଫର ଇକ୍ବାଲ, ସମ୍ପାଦକ ସନ୍ୟାସୀ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶନିବାର ଶେଷ ୩ ଲିଗ୍ ମ୍ୟାଚ୍ ସହ ସେମିଫାଇନାଲ୍ ଏବଂ ରବିବାର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।