ରାଜ୍ୟସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଆରମ୍ଭ

ଭୁବନେଶ୍ୱର: ଦ୍ୱିତୀୟ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଏବଂ ମାନସିକ ଦୁର୍ବଳ ପୁରୁଷ ୭ ଏ ସାଇଡ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଗୁରୁବାରଠୁ ହାଇଟେକ୍‌ କଲେଜ ପଡ଼ିଆରେ ଆରମ୍ଭ ହୋଇଛି। ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିିଜ୍‌ (ୟୁସିସିଆଇ) ଏବଂ ଲାୟନ୍ସ କ୍ଲବ୍‌ ଇଣ୍ଟରନାସ୍‌ନାଲ୍‌ (ଏଲ୍‌ସିଆଇ)ର ମିଳିତ ସହଯୋଗରେ ସ୍ପେସାଲ୍‌ ଅଲିମ୍ପିକ୍ସ ଭାରତ-ଓଡ଼ିଶା ଏବଂ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ସଂଘ (କାବି) ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରଥମ ଦିନ ଦୁଇଟି ଫୁଟ୍‌ବଲ୍‌ ଏବଂ ଗୋଟିଏ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯାଇଛି। ମହିଳା କ୍ରିକେଟ୍‌ ମ୍ୟାଚ୍‌ରେ ବାଲେଶ୍ୱର ୧୦ ଓ୍ଵିକେଟ୍‌ରେ ଭଦ୍ରକକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭଦ୍ରକ ୮ ଓଭରରେ ୫ ଓ୍ଵିକେଟ୍‌ ହରାଇ ୫୬ ରନ୍‌ କରିଥିଲା। ଭଦ୍ରକ ପକ୍ଷରୁ ରୁନୁ ସର୍ବାଧିକ ୨୬, ପଦ୍ମିନୀ ୧୧ ଓ ପାର୍ବତୀ ୧୧ ରନ୍‌ କରିଥିଲେ। ବାଲେଶ୍ୱର ପକ୍ଷରୁ ବାସନ୍ତୀ ଏବଂ ଫୁଲ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ବାସନ୍ତୀଙ୍କ ୩୨ ଏବଂ ଗୁରୁବାରୀଙ୍କ ଅପରାଜିତ ୧୩ ରନ୍‌ ବଳରେ ବାଲେଶ୍ୱର ମାତ୍ର ୪ ଓଭରରେ ବିନା ଓ୍ଵିକେଟ୍‌ରେ ବିଜୟ ହାସଲ କରିନେଇଥିଲା। ତେବେ ଫୁଟ୍‌ବଲ୍‌ରେ ପୁରୀ ଏବଂ ସୋନପୁର ବିଜୟୀ ହୋଇଛନ୍ତି। ପୁରୀ ୨-୧ ଗୋଲ୍‌ରେ କେନ୍ଦୁଝରକୁ ପରାସ୍ତ କରିଥିଲା। ପୁରୀ ପକ୍ଷରୁ ରଶ୍ମୀରଂଜନ ପ୍ରଧାନ ଓ ପିନ୍‌ମୟ ଲେଙ୍କା ଏବଂ କେନ୍ଦୁଝର ପକ୍ଷରୁ ନରହରି ମହନ୍ତ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ସୋନପୁର ୨-୦ ଗୋଲ୍‌ରେ ବିଆର୍‌ଏମ୍‌ଏସ୍‌ଏଚ୍‌ଏକୁ ପରାସ୍ତ କରିଥିଲା। ଏହି ଦୁଇ ଗୋଲ୍‌ ନିରଂଜନ ପୋଧା ଏବଂ ଉମେଶ ପଟେଲ ଦେଇଥିଲେ। ତ୍ରିନାଥ ସାମଲ ରେଫରି ଦାୟିତ୍ୱ ତୁଲାଇ ଥିଲେ।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ପେସାଲ୍‌ ଅଲିମ୍ପିକ୍ସ ଭାରତର ଅଧ୍ୟକ୍ଷ କାର୍ତିକେ ସାଇନି ଯୋଗ ଦେଇଥିଲେ। ଓଡ଼ିଶା ଭିନ୍ନକ୍ଷମ ବିଭାଗ ସଚିବ ମିନତି ବେହେରା, ୟୁସିସିଆଇ ସଭାପତି ରମେଶ ମହାପାତ୍ର ଏବଂ ଅଲିମ୍ପିଆନ୍‌ ଧାବିକା ଦୂତି ଚାନ୍ଦ ଅତିଥି ଭାବେ ଉପସ୍ଥିତ ଥିିଲେ। ସ୍ପେସାଲ୍‌ ଅଲିମ୍ପିକ୍ସ ଭାରତ-ଓଡ଼ିଶାର ସ୍ଥାନୀୟ ନିର୍ଦେଶକ ପ୍ରକାଶ କୁମାର ରଥ ଏବଂ କାବି ଓଡ଼ିଶାର ସଭାପତି ତଥା ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର୍‌ ମହମ୍ମଦ ଜାଫର ଇକ୍‌ବାଲ୍‌ ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର