ରାଜ୍ୟସ୍ତରୀୟ ହ୍ୟାଣ୍ଡ୍‌ବଲ୍: ଭୁବନେଶ୍ୱର ବାଳକ, କଟକ ବାଳିକା ଚାମ୍ପିଅନ୍‌

ସାଲେପୁର : ଓଡ଼ିଶା ରାଜ୍ୟ ହ୍ୟାଣ୍ଡ୍‌ବଲ୍‌ ସଂଘ ପକ୍ଷରୁ ସାଲେପୁର, ନାନ୍ଦୋଳ ସ୍ଥିତ ଫ୍ରିଡମ ଇଣ୍ଟର ନ୍ୟାସନାଲ ସ୍କୁଲ ପରିସରରେ ଆୟୋଜିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ପ୍ରତିଯୋଗିତାର ବାଳକ ବର୍ଗରେ ଭୁବନେଶ୍ୱର ଓ ବାଳିକାରେ କଟକ ଚାମ୍ପିଅନ୍‌ ହୋଇଛି। ଫ୍ରିଡମ  ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍‌ ତଥା ଯୁବ ସମାଜସେବୀ ଇଂ ଜାହାଙ୍ଗୀର ଅଲ୍ଲୀଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପଶୁ ଚିକିତ୍ସା ଅଧିକାରୀ ତଥା ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ଡକ୍ଟର ବିବେକାନନ୍ଦ ତ୍ରିପାଠୀ ଏବଂ ବିଶିଷ୍ଟ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ଅଜ୍‌ଗର ଅଲ୍ଲୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସମ୍ପାଦକ ଡକ୍ଟର ରିୟାଜୁର ରହେମାନ୍, ରାଜ୍ୟ ସଂଘ ସମ୍ପାଦକ ବୀରେନ କୁମାର ବେହେରା  ପ୍ରମୁଖ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ପ୍ରତିଯୋଗିତାରେ କଟକ, ଜଗତସିଂହପୁର, ପୁରୀ, ଅନୁଗୁଳ, ଖୋର୍ଦ୍ଧା, ଢେଙ୍କାନାଳ, ଭୁବନେଶ୍ୱର, କେନ୍ଦ୍ରାପଡା, ନୟାଗଡ଼, ମୟୂରଭଞ୍ଜ ସମେତ ୧୨ ଜିଲ୍ଲାର ଉପକନିଷ୍ଠ ବର୍ଗର ୩୦୬  (ବାଳକ ଓ ବାଳିକା) ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ବାଳକ ବିଭାଗରେ ଭୁବନେଶ୍ୱର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଖୋର୍ଦ୍ଧା ଦ୍ୱିତୀୟ, କଟକ ଓ ଜଗତସିଂହପୁର ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ। ବାଳିକା ବିଭାଗରେ କଟକ ପ୍ରଥମ, ଭୁବନେଶ୍ୱର ଦ୍ୱିତୀୟ ଏବଂ କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ।

ସମ୍ବନ୍ଧିତ ଖବର