ରାଜ୍ୟସ୍ତରୀୟ ହିଙ୍ଗୁଳା କପ୍: ଭଦ୍ରକ ରେଳବାଇ ବିଜେତା

କୋରେଇ: ରାଜ୍ୟସ୍ତରୀୟ ହିଙ୍ଗୁଳା କପ୍ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ରେ ବ୍ରହ୍ମପୁରର ୟୁନାଇଟେଡ଼୍ କ୍ଲବ୍‌କୁ ୩ ୱିକେଟ୍‌ରେ ପରାସ୍ତ କରି ଭଦ୍ରକ ରେଳବାଇ ବିଜେତା ହୋଇଛି। ବ୍ରହ୍ମପୁର ଦଳ ନିର୍ଧାରିତ ୩୦ ଓଭରରେ ୮ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା। ଆଇଏସ୍ ଗିରି ୪୬ ବଲ୍‌ରୁ ୬୫ ଏବଂ ଆର୍ ସୂରଜ ୩୦ ରନ୍ କରିଥିଲେ। ଜବାବରେ ରେଳବାଇ ଦଳ ୨୫.୧ ଓଭରରେ ୭ ୱିକେଟ୍‌ ବିନିମୟରେ ୧୭୦ ରନ୍ କରି ମ୍ୟାଚ୍‌ ଜିତି ଯାଇଥିଲା। ଓମ୍ ଶ୍ରୀ ୪୦ ଓ ଜେ ମହାରଣା ୩୦ ରନ୍ କରିଥିଲେ। ବିଜେତା ଦଳର ଓମ୍ ଶ୍ରୀ ଫାଇନାଲ୍‌ର ଶ୍ରେଷ୍ଠ ଏବଂ ବ୍ରହ୍ମପୁର ଦଳର ଆଇଏସ୍ ଗିରି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ହକି ବିଶ୍ବକପ୍ ଓଡ଼ିଶାକୁ ବିଶ୍ବ ଦରବାରରେ ପରିଚିତ କରାଇଛି। ଏହା ଓଡ଼ିଆଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ବୃଦ୍ଧି କରିଛି। ଖେଳ ସମସ୍ତଙ୍କୁ ଏକାଠି କରିବାରେ ସହାୟକ ହୋଇଥିବା ବେଳେ ହକି ବିଶ୍ବକପ୍ ଆୟୋଜନ କରି ଭୁବନେଶ୍ବର ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଗଣିତ ହୋଇପାରିଛି। ଆଗାମୀ ଦିନରେ ଓଡ଼ିଶାର ଖେଳାଳି ବିଶ୍ବ ଦରବାରରେ ନାଁ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେ ଆହୁରି କହିଥିଲେ ଯେ ଗ୍ରାମାଞ୍ଚଳରେ ଏବେ ଖେଳ ପ୍ରତି ଯୁବପିଢିଙ୍କ ଆଗ୍ରହ ବୃଦ୍ଧି ପାଉଥିବାରୁ କ୍ରୀଡ଼ାର ଭିତ୍ତିଭୂମି ବିକାଶ ହେବାର ଆବଶ୍ୟକତା ରହିଛି।

ମୁଖ୍ୟବକ୍ତା ଭାବେ ଯାଜପୁର ସାଂସଦ ରୀତା ତରାଇ ଯୋଗଦେଇ ଖେଳ ଦ୍ବାରା ଭାଇଚାରା ସୃଷ୍ଟି ହୋଇଥାଏ ବୋଲି କହିଥିଲେ। ନିଜ ମଧ୍ୟରେ ଆତ୍ମବିଶ୍ବାସ ରହିଲେ ସବୁ ସମ୍ଭବ ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ କୋରେଇ ବିଧାୟକ ଆକାଶ ଦାସ ନାୟକ କହିଥିଲେ। ଖେଳୁଆଡ ମ‌ନୋଭାବ ନେଇ ଖେଳିବା ଉଚିତ ବୋଲି ବ୍ୟାସନଗର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡ଼ା କହିଥିଲେ। ତରାପୁର ଆଞ୍ଚଳିକ ଯୁବ ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବ କ୍ଲବ୍‌ର କାର୍ଯ୍ୟକାରୀ ସଭାପତି ସଞ୍ଜୟ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୩୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଝରଣା ରାଉତ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ପ୍ରୀତିରଞ୍ଜନ ସାହୁ, ଲକ୍ଷ୍ମୀ ହସ୍ପିଟାଲର ଅଧ୍ୟକ୍ଷ ମନୋଜ କୁମାର ନାୟକ, ଲକ୍ଷ୍ମୀନଗର ସମିତିସଭ୍ୟା ଅଞ୍ଜଳି ରାଉତ ଏବଂ ରସୁଲପୁର ବ୍ଲକ୍ ବିଧାୟକଙ୍କ ପ୍ରତିନିଧି ପ୍ରହ୍ଲାଦ ପଣ୍ତା ପ୍ରମୁଖ ଯୋଗଦେଇଥିଲେ। କ୍ଲବର ସମ୍ପାଦକ ଅଞ୍ଜନ ସାମଲ ସଭା ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର