ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତା : ମହିଳା ସେମିରେ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଖୋର୍ଦ୍ଧା

ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତା ମହିଳା ବର୍ଗର ସେମିଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ଶନିବାର ଖେଳାଯାଇଥିବା ନିଜନିଜ କ୍ବାର୍ଟର ଫାଇନାଲକୁ ଜିତି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଖୋର୍ଦ୍ଧା ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଆସନ୍ତା ୬ ତାରିଖ ମହିଳା ବର୍ଗ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବ।
ଆଜି ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ସୁନ୍ଦରଗଡ଼ ଓ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ସୁନ୍ଦରଗଡ଼ ୬-୧ ଗୋଲ୍‌ରେ ଜିତି ପ୍ରଥମ ଦଳଭାବେ ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା। ସେହିଭଳି ଦେବଗଡ଼ ୫-୦ ଗୋଲ୍‌ରେ ଢ଼େଙ୍କାନାଳକୁ ପରାସ୍ତ କରିଥିଲା। ତୃତୀୟ କ୍ବାର୍ଟର୍‌ ଫାଇନାଲ୍‌ରେ ଖୋର୍ଦ୍ଧା ଦଳ ଗଜପତି ବିପକ୍ଷରେ ୧୨-୦ର ବୃହତ ବିଜୟ ହାସଲ କରିଥିଲା। ଶେଷ ମ୍ୟାଚ୍‌ରେ ସମ୍ବଲପୁର ୨-୧ ଗୋଲରେ ଝାରସୁଗୁଡ଼ାକୁ ହରାଇ ସେମିକୁ ଉଠିଥିଲା। ଏହାବ୍ୟତୀତ ପୁରୁଷ ବର୍ଗର ୮ଟି ମ୍ୟାଚ୍‌ ଖେଳା ଯାଇଥିଲା। ତହିଁରେ ଢ଼େଙ୍କାନାଳ ୬-୦ ଗୋଲରେ ଭଦ୍ରକକୁ, ରାୟଗଡ଼ା ସୁଟ୍‌ଆଉଟ୍‌ରେ ୪-୩ ଗୋଲ୍‌ରେ ଯାଜପୁରକୁ, ଗଞ୍ଜାମ ୧-୦ ଗୋଲରେ ଅନୁଗୁଳକୁ, ବରଗଡ଼ ୮-୧ ଗୋଲରେ ମାଲକାନଗିରିକୁ, କନ୍ଧମାଳ ୪-୦ ଗୋଲରେ ବଲାଙ୍ଗୀରକୁ, ମୟୂରଭଞ୍ଜ ୨-୧ ଗୋଲରେ ଝାରସୁଗୁଡ଼ାକୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଏହାସହ କେନ୍ଦ୍ରପଡ଼ା ଅନୁପସ୍ଥିତ ରହିବାରୁ ଗଜପତି ଜିଲ୍ଲା ଓ ଜଗତସିଂହପୁର ଅନୁପସ୍ଥିତ ରହିବାରୁ ସୁବର୍ଣ୍ଣପୁରକୁ ବିଜୟୀ ଘୋଷଣା କରାଯାଇଥିଲା।
ସମ୍ବନ୍ଧିତ ଖବର