ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଓଏସ୍ଏପି ପଡ଼ିଆରେ ଚାଲିଥିବା ୬୭ତମ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ପୁରୁଷରେ ଓଡ଼ିଶା ପୁଲିସ ଏବଂ ମହିଳାରେ ରେଳବାଇ ବିଜେତା ହୋଇଛି। ପୁରୁଷ ବିଭାଗ ଫାଇନାଲ୍ରେ ଖୁବ୍ ସଂଘର୍ଷପୂଣ୍ଣ ହୋଇଥିଲା। ଏଥିରେ ଓଡ଼ିଶା ପୁଲିସ ୩୪-୩୩ ପଏଣ୍ଟ ଢେଙ୍କାନାଳକୁ ପରାସ୍ତ କରିଥିଲା। ସେହିପରି ମହିଳା ଫାଇନାଲ୍ରେ ପୂର୍ବତଟ ରେଳବାଇ(ଭୁବନେଶ୍ୱର) ୩୨-୧୭ ପଏଣ୍ଟ୍ରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଥିଲା। ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଓଡ଼ିଶା ପୁଲିସ୍ ଦଳର ସବିର ଓ ପୂର୍ବତଟ ରେଳବାଇର ନିତୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପୁରୁଷରେ ଏନ୍ଆର୍ଆଇଆଇ କଟକ ଓ ଆର୍ଏସ୍ପି ରାଉରକେଲା ମିଳିତ ତୃତୀୟ ଏବଂ ମହିଳାରେ କଟକ ଓ ଓଡ଼ିଶା ପୁଲିସ ମିଳିତ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଦ୍ବିତୀୟ ଓଏସ୍ଏପିର ଦୁର୍ଗପତି ଆଶିଷ ଦୁବେ ଏବଂ ଏମ୍ସିଏଲ ଇବ୍ଭ୍ୟାଲି ଖଣିକ୍ଷେତ୍ରର ଜିଏମ୍ ମଧୁସୂଦନ ଶର୍ମା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। କବାଡ଼ି ସଂଘର ସମ୍ପାଦକ ଅଜୟ ବେହେରା, ଝାରସୁଗୁଡ଼ା ଜିଲ୍ଲା କ୍ରୀଡା ସଂସ୍ଥାର କାର୍ଯ୍ୟକାରୀ ସଭାପତି ବିଜୟ ବେହେରା, ଝାରସୁଗୁଡ଼ା ଜିଲ୍ଲା କ୍ରୀଡ଼ା ସଂସ୍ଥାର ସଂପାଦକ ତାପସ ରାୟ ଚୌଧୁରୀ, କୋଷାଧ୍ୟକ୍ଷ ତଥା କବାଡ଼ି ଆୟୋଜକ କମିଟିର ସଂପାଦକ ଗଣେଶ ନାୟକ, ସୁଶୀଲ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଜୟ ଜେନା, ଜିଲ୍ଲା କ୍ରୀଡ଼ା ସଂଘର ଉପ-ସଭାପତି ଜୀବନ ମହାନ୍ତି, ସହ-ସମ୍ପାଦକ ପ୍ରଜ୍ଜ୍ବଳ ପଟେଲ, ଶରତ ତ୍ରିପାଠୀ, ବିଜୟ ଦାସ, ଓଏସ୍ଏପିର ଉପ-ଦୁର୍ଗପତି ଭବାନୀ ସେଠ, ସହ-ଦୁର୍ଗପତି ମାନଧାତା ସାଇ, ଗୋପାଳ ଥାପ୍ପା, ପ୍ରତିଭା ମହାପାତ୍ର, କବାଡ଼ି ଜିଲ୍ଲା ସଂପାଦକ ମନେଜ ଦାସ, ବିଜୟ ବକ୍ସି, ବୁଲୁ ମିଶ୍ର, ରାଜ୍ୟ କବାଡ଼ି ସଂଘ ପୃଥ୍ବୀରାଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।