ରାଜ୍ୟସ୍ତରୀୟ ନେହରୁ ହକି ଉଦ୍‌ଘାଟିତ

ରାଉରକେଲା: ରାଜ୍ୟ କ୍ରୀଡା ବିଭାଗ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ରାଜ୍ୟସ୍ତରୀୟ ନେହରୁ ହକି ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଛି। କନିଷ୍ଠ ବାଳକ ବିଭାଗର ପ୍ରଥମ ମ୍ୟାଚ୍‌ କିସ୍‌ ଭୁବନେଶ୍ୱର ଓ ଢେଙ୍କାନାଳ ମଧ୍ୟରେ ଖେଳାଯାଇଥିଲା। ଏଥିରେ କିସ୍‌ ୨-୦ ଗୋଲ୍‌ରେ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍‌ରେ ସମ୍ବଲପୁର ଦଳ ଭିବିଏମ୍‌ ଦଳକୁ ୨-୦ ଗୋଲ୍‌ରେ ପରାସ୍ତ କରିଛି। ଉପକନିଷ୍ଠ ବାଳକ ବିଭାଗର ପ୍ରଥମ ମ୍ୟାଚ୍‌ରେରେ ସମ୍ବଲପୁର ୩-୦ ଗୋଲ୍‌ରେ ଢ଼େଙ୍କାନାଳକୁ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଟାଉନ ହାଇସ୍କୁଲ ସୁନ୍ଦରଗଡ଼ ୩-୦ ଗୋଲ୍‌ରେ ଦେବଗଡକୁ ପରାସ୍ତ କରିଥିଲା। ଏନ୍‌ଜେ ମହାନ୍ତି, ରାଜେନ ଏକ୍କା ଓ ପ୍ରଫୁଲ୍ଲ ତିର୍କି ମ୍ୟାଚ୍‌ଗୁଡ଼ିକ ପରିଚାଳନା କରିଥିଲେ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ୧୫ ବର୍ଷରୁ କମ୍‌ ଉପକନିଷ୍ଠ ଓ ୧୭ ବର୍ଷରୁ କମ୍‌ କନିଷ୍ଠ ଗ୍ରୁପ୍‌ରେ ମୋଟ୍‌ ୧୭ ଦଳ ଭାଗ ନେଇଛନ୍ତି। ଉପକନିଷ୍ଠ ବାଳକରେ ବିଏମ୍‌ ବିଦ୍ୟାପୀଠ ରାଉରକେଲା, ଢେଙ୍କାନାଳ, ସମ୍ବଲପୁର, ଦେବଗଡ ଓ ଟାଉନ୍‌ ହାଇସ୍କୁଲ ସୁନ୍ଦରଗଡ ଏବଂ କନିଷ୍ଠ ବାଳକରେ ବିଏମ୍‌ ବିଦ୍ୟାପୀଠ ରାଉରକେଲା, ଜନ୍‌ ଏମ୍‌ଇ ସ୍କୁଲ ରାଉରକେଲା, କଟକ, ସମ୍ବଲପୁର, ଭିବିଏମ୍‌ ଜୋକେତା, ଢ଼େଙ୍କାନାଳ, କିସ୍‌ ଭୁବନେଶ୍ୱର ଓ ଦେଓଗଡ ଦଳ ଅଛନ୍ତି। କନିଷ୍ଠ ବାଳିକାରେ ବିଏମ୍‌ ବିଦ୍ୟାପୀଠ ରାଉରକେଲା, ଢ଼େଙ୍କାନାଳ, ସୁନ୍ଦରଗଡ଼ ବିହାବନ୍ଧ ହାଇସ୍କୁଲ, କିସ୍‌ ଭୁବନେଶ୍ୱର, ସମ୍ବଲପୁର ଓ ଟାଉନ ହାଇସ୍କୁଲ ସୁନ୍ଦରଗଡ଼ ରହିଛନ୍ତି। ଅବସରପ୍ରାପ୍ତ ସହକାରୀ କ୍ରୀଡ଼ା ନିର୍ଦେଶକ ଗଦାଧର ରଥ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାର ବିଜେତା ଦଳଗୁଡ଼ିକ ନିଜ ନିଜ ବିଭାଗରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ସ୍କୁଲ୍‌ ସ୍ତରୀୟ ଜାତୀୟ ପ୍ରତିଯୋଗିତାରେ ଖେଳିବାଲାଗି ଯୋଗ୍ୟତା ହାସଲ କରିବେ।

ସମ୍ବନ୍ଧିତ ଖବର