ରାଜ୍ୟସ୍ତରୀୟ ଅବକାରୀ କ୍ରୀଡ଼ା ପ୍ରତିଯୋଗିତା ୨୬ରୁ

କଟକ-ମହାନଦୀବିହାର: ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ୪୮ତମ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆସନ୍ତା ୨୬ ଓ ୨୭ ତାରିଖରେ କଟକର ସତ୍ୟବ୍ରତ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଓଡ଼ିଶାର ସମସ୍ତ ଅବକାରୀ କର୍ମଚାରୀ ଭାଗ ନେବାକୁ ସ୍ପୋର୍ଟ୍ସ କମିଟି ପକ୍ଷରୁ ନିବେଦନ କରାଯାଇଛି। ୧୦୦, ୨୦୦, ୪୦୦, ୮୦୦, ୧୫୦୦ ଓ ୩୦୦୦ ମିଟର ଦୌଡ଼ ସହିତ ଉଚ୍ଚଡିଆଁ, ଲମ୍ବଡିଆଁ, ଟ୍ରିପଲ ଜମ୍ପ୍‌, ଡିସ୍‌କସ୍‌, ଜାଭେଲିନ୍‌, ସନ୍ତରଣ, ଭଲିବଲ୍‌, ସାଇକେଲ ଚାଳନା ଇତ୍ୟାଦି ମୋଟ ୧୮ ଇଭେଣ୍ଟରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଜଣେ ପ୍ରତିଯୋଗୀ ଏକାସଙ୍ଗରେ ୪ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ। ହେଲେ ସାଇକ୍ଲିଂ, ସନ୍ତରଣ ଓ ରିଲେ ଦୌଡ଼କୁ ଏଥିରୁ ବାଦ୍‌ ଦିଆଯାଇଥିବା ରାଜ୍ୟ ଅବକାରୀ କ୍ରୀଡ଼ା ଆୟୋଜନ ସମିତି ସଭାପତି ଅବକାରୀ କମିସନର ଦେବେନ୍ଦ୍ର ମହାପାତ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର