ରାଜ୍ୟସ୍ତରୀୟ ସଂଜିତ୍‌ ସ୍ମାରକୀ କ୍ରିକେଟ୍‌: ପାରାମାଉଣ୍ଟ୍‌ ବିଜେତା

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଦର୍ପଣ ଗୁଲଜାରନଗର ପାଟଣାସ୍ଥିତ ମା’ ତାରିଣୀ କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ସଂଜିତ୍‌ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ ପୂର୍ବତଟ ରେଳବାଇ (ଖୋର୍ଧା) ଦଳକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରି ଭୁବନେଶ୍ୱରର ପାରାମାଉଣ୍ଟ୍‌ ସ୍ପୋର୍ଟିଂ ବିଜେତା ହୋଇଛି। ରେଳବାଇ ଦଳ ପ୍ରଥମେ ବ୍ୟାଟିଂ କରି ୨୬.୧ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୨୩ ରନ୍‌ କରିଥିଲା। ଜବାବରେ ପାରାମଉଣ୍ଟ୍‌ ସ୍ପୋର୍ଟିଂ ୧୬ ଓଭରରେ ୨ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ୭୪ ରନ୍‌ କରିଥିବା ବିଜେତା ଦଳର ଅଭୟ ମଲିକ ଉଭୟ ଫାଇନାଲ୍‌ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦିଲିପ କୁମାର ସାହୁ ଓ ସୌମେନ୍ଦ୍ର ପାତ୍ର ଖେଳ ପରିଚାଳନା କରିଥିଲେ।

କଳ୍ପତରୁ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଲିଫୋନ୍‌ର ଓଡ଼ିଶା ଓଭରସିଜ୍‌ ପ୍ରବନ୍ଧକ ମିଷ୍ଟର ଥୋମାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ନଗଦ ୨୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଚଣ୍ଡିଖୋଲସ୍ଥିତ ବାସନ୍ତୀ ହୋଣ୍ଡାର ପ୍ରବନ୍ଧକ ଅଶୋକ କୁମାର ସାହୁ ଉପ ବିଜେତା ଦଳକୁ ନଗଦ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଛତିଆସ୍ଥିତ ଶୁଭମ୍‌ ମୋବାଇଲ୍‌ ପଏଣ୍ଟର ମୁଖ୍ୟ ରାଜେଶ ପୃଷ୍ଟି, ପ୍ରମୋଦ ବେହେରା, କ୍ଷୀରୋଦ ସାହାଣୀ, ଗୋବିନ୍ଦ ଚନ୍ଦ୍ର ସାହାଣୀ, ସୁଶାନ୍ତ ବାରିକ, ମୁକ୍ତିକାନ୍ତ ସାହାଣୀ, ଦୀପକ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର