ଭୁବନେଶ୍ବର: ଓଡିଶା ମୁଏଥାଇ (ଥାଇ ବକ୍ସିଂ) ୟୁନିଅନ ଏବଂ ରାୟଗଡ଼ାର ଆର୍ଟସ ଟେମ୍ପଲ ଓ ସାଇ ଟ୍ରଷ୍ଟ ଆନୁକୂଲ୍ୟରେ ରାୟଗଡ଼ା ଜିସିଡି ହାଇସ୍କୁଲ୍ ପଡ଼ିଆଠାରେ ଆୟୋଜିତ ଏକାଦଶ ରାଜ୍ୟସ୍ତରୀୟ ମୁଏଥାଇ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ କୋରାପୁଟ ଜିଲ୍ଲା ବିଜେତା ଏବଂ ବରଗଡ଼ ଜିଲ୍ଲା ଉପବିଜେତା ହୋଇଥିଲା। ଏଥିସହ କୋରାପୁଟକୁ ସର୍ବାଧିକ ଅଂଶଗ୍ରହଣକାରୀ ଏବଂ ସର୍ବାଧିକ ବାଳିକା ଅଂଶଗ୍ରହଣକାରୀ ଦଳ ଭାବେ ପୁରସ୍କୃତ କରାଯାଇଥିଲା। ଶୃଙ୍ଖଳିତ ଦଳ ଭାବେ କେନ୍ଦୁଝର ଓ ଶ୍ରେଷ୍ଠ ସାଂଗଠନିକ ପରିଚାଳନା ଦଳ ଭାବେ ରାୟଗଡ଼ାକୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।
ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ୍ ଆଲୀନୂର୍, ରାୟଗଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ଗନ୍ତାୟତ, ଡାକ୍ତର ଡିକେ ଦେବ, ଉତ୍କଳ ଆଲୁମିନା ଲୋକ ସମ୍ପର୍କ ଅଧିକାରୀ ପିତାମ୍ବର ବେହେରା, ଜେକେ କାଗଜ କଳ ଲୋକ ସମ୍ପର୍କ ଅଧିକାରୀ ମିଲନ ଲେଙ୍କାଙ୍କ ସମେତ ଆୟୋଜକ କମିଟିର ସାଂଗଠନିକ ସଭାପତି ଜେ ରାଜେଶ୍ୱର ରାଓ ପଟ୍ଟନାୟକ ଓ ରାଜ୍ୟ ସଂଘ ସଂପାଦକ ଡାକ୍ତର ଜ୍ଞାନ ରଂଜନ ମହାନ୍ତି, କ୍ରୀଡ଼ା ଶିକ୍ଷକ ଅଶୋକ କୁମାର ଦାଶ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୧୫ ଜିଲ୍ଲାରୁ ୧୨୦ ପ୍ରତିଯୋଗୀ ଭାଗ ନେଇଥିଲେ। ସୂଚନାଯୋଗ୍ୟ ଯେ ଏଠାରେ ସଫଳତା ପାଇଥିବା ସମସ୍ତ ଖେଳାଳି ଚଳିତ ମାସ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ଆୟୋଜିତ ହେବାକୁ ଥିବା ୟୁଏମଏଆଇ ଜାତୀୟ ମୁଏଥାଇ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ।