ଜରୁରିକାଳୀନ ସ୍ଥିତି ସ‌େତ୍ତ୍ବ ଅଲିମ୍ପିକ୍ସ ହେବ: ଆଇଓସି

ଟୋକିଓ : କୋଭିଡ୍‌ ମହାମାରୀ କାରଣରୁ ଜାପାନରେ ଜରୁରୀ ପରିସ୍ଥିତି ଆସିଲେ ବି ଟୋକିଓ ଅଲିମ୍ପିକ୍ସ ଯଥାରୀତି ଅନୁଷ୍ଠିତ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ ପରି‌ଷଦ (ଆଇଓସି)ର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଜୁଲାଇ ୨୩ ତାରିଖରେ ଅଲିମ୍ପିକ୍ସ ଉଦ୍‌ଘାଟିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ କୋଭିଡ୍‌ କାରଣରୁ ଟୋକିଓରେ ଜରୁରୀ ପରିସ୍ଥିତି ଜାରି ହୋଇଛି। ଉଦ୍‌ଘାଟନୀ ଉତ୍ସବର ୯ ସପ୍ତାହ ପୂର୍ବରୁ ଆଇଓସି ପକ୍ଷରୁ ଆୟୋଜିତ ଏକ ୩ ଦିନିଆ ଭର୍ଚୁଆଲ୍ ବୈଠକ ଶେଷରେ ଏଭଳି ଆଶା ନେଇ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି। ଜାପାନରେ ପ୍ରତି ସପ୍ତାହରେ ହେଉଥିବା ଜନମତ ସର୍ଭେରେ ୭୦ରୁ ୮୦ ପ୍ରତିଶତ ଲୋକ ଟୋକିଓ ଅଲିମ୍ପିକ୍ସ ବିରୋଧରେ ରହିଥିବା ଜଣାପଡ଼ୁଛି। ଏ‌ହାକୁ ପୁଣି ସ୍ଥଗିତ ରଖାଯାଉ କିମ୍ବା ବାତିଲ କରାଯାଉ ବୋଲି ସେମାନେ ବାରମ୍ବାର ମତ ଦେଇ ଆସୁଛନ୍ତି। ଆଇଓସି କିନ୍ତୁ ଆୟୋଜନକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି।

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବାକୁ ୨୦୨୪ ଆୟୋଜକ ଦେଶ ଫ୍ରାନ୍ସର ଏମାନୁଏଲ୍ ମାକ୍ରନ୍‌ ସୂଚନା ଦେବା ପରେ ଆଇଓସି ମଧ୍ୟ ଆତ୍ମବିଶ୍ବାସରେ ରହିଥିବା ପ୍ରତୀୟମାନ ହେଉଛି। ଟୋକିଓରେ ଜୁରୁରୀ ପରିସ୍ଥିତି ଆସିଲେ ବି ଅଲିମ୍ପିକ୍ସ ହେବ କି ବୋଲି ପ୍ରଶ୍ନ ହେବାରୁ ଆଇଓସି ଜନ୍‌ କୋଟ୍ସ ନିଜ ପ୍ରତିକ୍ରିୟାରେ କହିଥିଲେ ‘ନିଶ୍ଚିତ ଭାବେ ହେବ’। ଖେଳାଳିମାନଙ୍କୁ ସୁରକ୍ଷିତ ରଖି ଅଲିମ୍ପିକ୍ସ ନିଶ୍ଚିତ ଭାବେ ହେବ। ଜୁଲାଇ ୨୩ ତାରିଖରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବା ପୂର୍ବରୁ କ୍ରୀଡ଼ାଗ୍ରାମରେ ୮୦ ପ୍ରତିଶତଙ୍କୁ ଟିକାକରଣ ସରିଥିବ। ସୂଚନାଯୋଗ୍ୟ, ଜାପାନରେ କୋଭିଡ୍‌ର ଭୟାବୟତା ନଥିଲେ ମଧ୍ୟ କେତେକ ସହରରେ ଜରୁରୀ ପରିସ୍ଥିତି ଜାରି ରହିଛି। ଅଦ୍ୟାବଧି ଦେଶରେ ମାତ୍ର ୧୧,୫୦୦୦ ଲୋକଙ୍କର ମୃତ୍ୟୁ ଘଟିଛି। ତଥାପି ଏହି ବିକଶିତ ଦେଶର ମାତ୍ର ୪.୧ ପ୍ରତିଶତ ଲୋକଙ୍କ ଟିକାକରଣ ସମ୍ଭବ ହୋଇଛି। ଅଲିମ୍ପିକ୍ସ ବେଳେ ୨୩୦ ଡାକ୍ତର ଓ ୩୦୦ ନର୍ସ ଖେଳାଳିଙ୍କ ଦାୟିତ୍ବରେ ରହିବେ ବୋଲି ଆଇଓସି କହିଛି।

ସମ୍ବନ୍ଧିତ ଖବର