ରାଜ୍ୟ ଓପନ୍‌ ଚେସ୍: ସୌମ୍ୟ ବିଜେତା

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଚେସ୍‌ ସଂଘ (ଓଏସସିଏ) ଏବଂ ବାଙ୍କୀ ଚେସ୍ ସଂଘ ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ପ୍ରଥମ ମା’ ଚର୍ଚିକା ରାଜ୍ୟ ଓପନ୍ ଚେସ୍ ପ୍ରତିଯୋଗିତାରେ ରାଜ୍ୟର ପ୍ରଥମ ଫିଡେ ମାଷ୍ଟର୍‌ ସୌମ୍ୟରଂଜନ ମିଶ୍ର ବିଜେତା ହୋଇଛନ୍ତି। ଏଥି ସହିତ‌ ସୌମ୍ୟ ନିଜ ଖେଳ ଜୀବନର ୫୯ତମ ରାଜ୍ୟସ୍ତରୀୟ ଟ୍ରଫି ଜିତି ଆଉ ଏକ ମାଇଲଖୁଣ୍ଟର ନିକଟତର ହୋଇଛନ୍ତି। ୬ ରାଉଣ୍ଡ୍‌ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଭୁବ‌ନେଶ୍ବର ଡାକ ବିଭାଗର ଏହି ବରିଷ୍ଠ ଅଧିକାରୀ ଅପରାଜିତ ରହି ୫.୫ ପଏଣ୍ଟ୍ ଅର୍ଜନ କରିଥିଲେ। କଟକର ସେକ୍‌ ରାଜା ଓ ଜଟଣୀର ଅବିନାଶ ବଳିଆରସିଂହ ସମାନ ୫ ପଏଣ୍ଟରେ ରହିଥିଲେ ମଧ୍ୟ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାରେ ରହି ପୁରସ୍କୃତ ହୋଇଥିଲେ। ଜିତେନ୍ଦ୍ର କୁମାର ଦାସ, ଚନ୍ଦନ କୁମାର ପ୍ରଧାନ, ସ୍ମୃତି ରଂଜନ ମହାନ୍ତି, ସିଦ୍ଧାର୍ଥ ଶଙ୍କର ରାୟ, ଦୀପ୍ତିରଂଜନ ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ଭୀମସେନ ପ୍ରଧାନ, ସୁଦର୍ଶନ ବେହେ‌ରା (ସମସ୍ତେ ୪ ପଏଣ୍ଟ ଲେଖାଏଁ), ସୁରଜ କୁମାର ମହାରଣା (୩.୫), ଜ୍ଞାନରଂଜନ ପରିଡ଼ା (୩) କ୍ରମାନ୍ବୟରେ ଚତୁର୍ଥରୁ ୧୩ତମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଅମନ ଅଲୀ, ଈଶାନି ଦାସ, ଅମ୍ଳାନ ସେନାପତି, ଅଦିତି ମହାରଣା ଓ ଶ୍ରୀୟାସ୍ମିତା ବଳିୟାରସିଂହ ବିଦ୍ୟାଳୟସ୍ତରୀୟ ସ୍ବତନ୍ତ୍ର ପୁରସ୍କାର ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଚର୍ଚିକା ୟୁଜିଏମ୍ଇ ସ୍କୁଲର ପ୍ରଧାନଶିକ୍ଷକ ମାନସ ନନ୍ଦ, ବାଙ୍କୀ ଚେସ୍‌ ସଂଘ ସଭାପତି ଜ୍ଞାନରଂଜନ ପରିଡ଼ା, ସମ୍ପାଦକ ଚନ୍ଦନ କୁମାର ପ୍ରଧାନ, ଓଏସସିଏ କ୍ରୀଡ଼ା ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର