ରାଜ୍ୟ ପୁଲିସ୍‌ କବାଡ଼ି ଓ ହ୍ୟାଣ୍ତବଲ୍‌ ଉଦ୍‌ଯାପିତ, ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌କୁ ଯୁଗଳ ସଫଳତା

କଟକ: ରାଜ୍ୟ ପୁଲିସ୍‌ କବାଡ଼ି ଓ ହ୍ୟାଣ୍ତବଲ ପ୍ରତିଯୋଗିତାରେ ଓଏସ୍‌ଏପି ଷଷ୍ଠ ବାଟାଲିୟନକୁ ଯୁଗଳ ସଫଳତା ମିଳିଛି। ଉଭୟ କବାଡ଼ି ଓ ହ୍ୟାଣ୍ତବଲ୍‌ରେ ଷଷ୍ଠ ବାଟାଲିୟନ ବିଜେତା ହୋଇଛି। କବାଡ଼ି ଫାଇନାଲ୍‌ରେ ଷଷ୍ଠ ବାଟାଲିୟନ ୪୭-୪୧ରେ ସମ୍ବଲପୁରକୁ ହରାଇଥିଲା। କମିସନରେଟ ବି’ ଶୃଙ୍ଖଳିତ ଦଳ ଭାବେ ପୁରସ୍କୃତ ହୋଇଛି। ପ୍ରତିଯୋଗିତାର ଶ୍ରେଷ୍ଠ କ୍ୟାଚର ଭାବେ ଓଏସ୍‌ଏପି ଷଷ୍ଠ ବାଟାଲିୟନର ସିପାହୀ ବ୍ରହ୍ମାନନ୍ଦ ଖୁଣ୍ଟିଆ, ଶ୍ରେଷ୍ଠ ରାଇଡର ଭାବେ ସମ୍ବଲପୁରର ସିପାହୀ ସବିର ପ୍ରଧାନ, ଶ୍ରେଷ୍ଠ ଖେଳାଳି ଭାବେ ଓଏସ୍‌ଏପି ଷଷ୍ଠ ବାଟାଲିୟନର ସିପାହୀ ମହେନ୍ଦ୍ର ନାୟକ ପୁରସ୍କାର ପାଇଛନ୍ତି। କବାଡ଼ିର ମ୍ୟାଚଗୁଡ଼ିକୁ ଏସ୍‌ପି ଧୀର‌୍‌, ବନମାଳୀ ଦାସ, ପ୍ରଦୀପ ସାହୁ, ରାଜେଶ ସେଠ, ଅଶ୍ବିନୀ ସାହୁ, ରାମ ବାହାଦୂର ଥାପା, ଗଣେଶ ରାଉତ, ସରୋଜ ମଲ୍ଲିକ ପରିଚାଳନା କରିଥିଲେ।

ଅନ୍ୟପକ୍ଷରେ ବର୍ଷା ଯୋଗୁଁ ହ୍ୟାଣ୍ତବଲ୍‌ ଫାଇନାଲ୍‌ ହୋଇପାରିନଥିଲା। ତେବେ ପୁଲ୍‌ରେ ସର୍ବାଧିକ ପଏଣ୍ଟ ରଖିବା ନିୟମ ଆଧାରରେ ଷଷ୍ଠ ବାଟାଲିୟନ୍‌କୁ ବିଜେତା ଘୋଷଣା କରାଯାଇଥିଲା। ଷଷ୍ଠ ବାଟାଲିୟନ୍‌ ୮, ଏସ୍‌ଏସ୍‌ବି ୭, ଓଏସ୍‌ଏପି ପ୍ରଥମ ବାଟାଲିୟନ ୬ ଓ ଫାୟାର ସର୍ଭିସ ୫ ପଏଣ୍ଟ ପାଇଥିଲେ। ରାୟଗଡ଼ା ଜିଲ୍ଲା ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ବିବେଚିତ ହୋଇଛି। ଏହାବାଦ୍‌ ଶ୍ରେଷ୍ଠ ଗୋଲରକ୍ଷକ ଭାବେ କେନ୍ଦୁଝର ଓଏପିଏଫ୍‌ର ରଜତ କୁମାର ନାୟକ, ଶ୍ରେଷ୍ଠ ସ୍କୋରର ଭାବେ ବଲାଙ୍ଗୀରର କନଷ୍ଟେବଳ ପିଣ୍ଟୁ ଥାନପତି, ଶ୍ରେଷ୍ଠ ଖେଳାଳି ଭାବେ ଓଏସ୍‌ଏପି ଷଷ୍ଠ ବାଟାଲିୟନର ସିପାହୀ ବିଶ୍ବନାଥ କହଁର ପୁରସ୍କାର ପାଇଛନ୍ତି। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଆୟୋଜନ କମିଟିର ଅଧ୍ୟକ୍ଷ ତଥା ଏସ୍‌ଏପି ଆଇଜି ଯତୀନ୍ଦ୍ର କୋଏଲ, ଷଷ୍ଠ ବାଟାଲିୟନ ଦୁର୍ଗପତି ବୈକୁଣ୍ଠ ବିହାରୀ ରାଉତ, ରାଜ୍ୟ ପୁଲିସ୍‌ କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ମହାରଣା ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ କବାଡ଼ିରେ ୨୫ ଓ ହ୍ୟାଣ୍ତବଲ୍‌ରେ ୧୦ ଦଳ ଅ˚ଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର