ରାଜ୍ୟ ପୁଲିସ୍‌ ସନ୍ତରଣରେ ସମ୍ବଲପୁର ଶ୍ରେଷ୍ଠ, କ୍ରସ୍‌ କଣ୍ଟ୍ରିରେ ଖୋର୍ଧା ବିଜେତା

ସମ୍ବଲପୁର: ଏଠାରେ ଚାଲିଥିବା ଦ୍ବିତୀୟ ରାଜ୍ୟ ପୁଲିସ୍‌ ସନ୍ତରଣ ଓ କ୍ରସ୍‌ କଣ୍ଟ୍ରି ପ୍ରତିଯୋଗିତା ଶନିବାର ଡା. ଝସକେତନ ସାହୁ ସନ୍ତରଣାଗାରଠାରେ ଉଦ୍‌ଯାପିତ ହୋଇଯାଇଛି। ସନ୍ତରଣରେ ଆୟୋଜକ ସମ୍ବଲପୁର ଜିଲ୍ଲା ପୁଲିସ ସର୍ବାଧିକ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଶେଷ ଦିନରେ ଅନୁଷ୍ଠିତ ଦଳଗତ କ୍ରସ କଣ୍ଟ୍ରି ପ୍ରତିଯୋଗିତାରେ ଷଷ୍ଠ ଭାରତୀୟ ରିଜର୍ଭ ବାଟାଲିୟନ ଖୋର୍ଧା ପ୍ରଥମ, ଓଏସ୍‌ଏପି ଚତୁର୍ଥ ବାଟାଲିୟନ ରାଉରକେଲା ଦ୍ବିତୀୟ ଓ ଚତୁର୍ଥ ଭାରତୀୟ ରିଜର୍ଭ ବାଟାଲିୟନ ଦେବଗଡ଼ ତୃତୀୟ ହୋଇଛନ୍ତି। ବ୍ୟକ୍ତିଗତ କ୍ରସ କଣ୍ଟ୍ରିରେ ଅଷ୍ଟମ ସ୍ବତନ୍ତ୍ର ଭାରତୀୟ ରିଜର୍ଭ ବାଟାଲିୟନ ଭଞ୍ଜନଗରର ଅଶୋକ ଦଣ୍ଡସେନା ନୂଆ ମିଟ୍‌ ରେକର୍ଡ ସହ ପ୍ରଥମ ହୋଇଥିବା ବେଳେ ଚତୁର୍ଥ ବାଟାଲିୟନ ରାଉରକେଲାର କୈଳାସ କୁମ୍ଭାର ଦ୍ବିତୀୟ ଓ ମାଲକାନଗିରି ପୁଲିସର ବୁଦ୍ର ବିଶି ନାୟକ ତୃତୀୟ ସ୍ଥାନ ଲାଭ କରିଛନ୍ତି। ଶେଷ ଦିନରେ ଅନୁଷ୍ଠିତ ଏକ ମାତ୍ର ସନ୍ତରଣ ପ୍ରତିଯୋଗିତା ୫୦ ମିଟର ଫ୍ରି-ଷ୍ଟାଇଲରେ ସମ୍ବଲପୁର ପୁଲିସର ସୁବ୍ରତ କୁମାର ସାହୁ ପ୍ରଥମ, ୫ମ ଭାରତୀୟ ରିଜର୍ଭ ବାଟାଲିୟନ ବୌଦ୍ଧର ସୁଶାନ୍ତ ବେହେରା ଦ୍ବିତୀୟ ଏବଂ ୭ମ ବାଟାଲିୟନ ଭୁବନେଶ୍ବରର ଚିତ୍ତରଂଜନ ବେହେରା ତୃତୀୟ ସ୍ଥାନ ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଆଇଜି ସୁଶାନ୍ତ ନାଥ ମୁଖ୍ୟ ଅତିଥି, ଉତ୍ତରାଞ୍ଚଳ ଡିଆଇଜି ତଥା ପ୍ରତିଯୋଗିତାର ଅଧ୍ୟକ୍ଷ ସତ୍ୟବ୍ରତ ଭୋଇ, ଆୟୋଜନ ସଂପାଦକ ତଥା ସମ୍ବଲପୁର ଏସ୍‌ପି ସଂଜୀବ ଅରୋରା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମକୁ ବିଷ୍ଣୁ ପ୍ରସାଦ ଦାଶ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର