ଭୁବନେଶ୍ବର : କିଟ୍ ଓ କିସ୍ ପରିସରରେ ଥିବା ଦୂତି ଚାନ୍ଦ ଦୌଡ଼କୁଦ ଷ୍ଟାଡିୟମ୍ରେ ଚାଲିଥିବା ୬୯ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ପ୍ରଥମ ଦୁଇ ଦିନରେ ୨୦ଟି ନୂଆ କୀର୍ତ୍ତିମାନ ସୃଷ୍ଟି ହୋଇଛି। ଏହା ଭିତରେ କଟକ ଜିଲ୍ଲାର ହରି ବେହେରା ସଟ୍ପୁଟ୍ରେ ଓ ଅନୁଗୁଳର ସ୍ବାଧୀନ ମାଝୀ ଉଚ୍ଚଡିଆଁରେ ନୂତନ ରାଜ୍ୟ କୀର୍ତ୍ତିମାନ କରିଛନ୍ତି। ଶୁକ୍ରବାର ହରି ପୂର୍ବ କୀର୍ତ୍ତିମାନ ୧୫.୦୭ ମିଟରକୁ ଅତିକ୍ରମ କରି ୧୫.୪୪ ମିଟର ସଟପୁଟ୍ ଫିଙ୍ଗି ନୂଆ କୀର୍ତ୍ତିମାନ କରିଥିଲେ। ସେହିପରି ସ୍ବାଧୀନ ୨.୧୨ ମିଟର ଡେଇଁ ପୂର୍ବ କୀର୍ତ୍ତିମାନ ୨.୦୭ ମିଟରକୁ ଟପିଥିଲେ।
ଅନ୍ୟ ମିଟ୍ କୀର୍ତ୍ତିମାନଗୁଡ଼ିକ ମଧ୍ୟରେ ୧୮ ବର୍ଷରୁ କମ୍ ବାଳକ ସଟ୍ପୁଟ୍ରେ ଓମକାର ପ୍ରସାଦ ନନ୍ଦ (୧୫.୫୨ ମିଟର), ୧୮ ବର୍ଷରୁ କମ୍ ବାଳିକା ହାମର ଥ୍ରୋରେ ଅଙ୍କିତା ମହାରଣା (୪୪.୮୩ ମିଟର), ୨୦ ବର୍ଷରୁ କମ୍ ବାଳିକା ୧୦୦ ମିଟର ବାଧାଦୌଡ଼ରେ ସବିତା ଟୋପ୍ପୋ (୧୪.୦୬ ସେକେଣ୍ଡ), ୧୬ ବର୍ଷରୁ କମ୍ ବାଳିକା ୮୦ ମିଟର ବାଧାଦୌଡ଼ରେ ତୁଳସୀ ମାଝୀ (୧୩.୬ ସେକେଣ୍ଡ), ୨୩ ବର୍ଷରୁ କମ୍ ବାଳକ ସଟ୍ପୁଟ୍ରେ ଚିରଞ୍ଜୀବ ସିଂହ (୧୩.୭୩ ମିଟର), ୨୩ ବର୍ଷରୁ କମ୍ ବାଳିକା ଲମ୍ବଡିଆଁରେ ମନୀଷା ମେରେଲ୍ (୫.୮୩ ମିଟର), ୨୦ ବର୍ଷରୁ କମ୍ ବାଳିକା ୮୦୦ ମିଟର ଦୌଡ଼ରେ ଲକ୍ଷ୍ମୀପ୍ରିୟା କିଷାନ (୨:୧୮.୪ ସେକେଣ୍ଡ), ୨୩ ବର୍ଷରୁ କମ୍ ବାଳିକା ୮୦୦ ମିଟର ଦୌଡ଼ରେ ସୁସ୍ମିତା ଟିଗା (୨:୨୪.୪ ସେକେଣ୍ଡ), ୧୬ ବର୍ଷରୁ କମ୍ ବାଳକ ୮୦ ମିଟର ବାଧାଦୌଡ଼ରେ ମଙ୍ଗଳ ସିଙ୍କୁ (୧୧.୧ ସେକେଣ୍ଡ), ୧୦୦ ମିଟର ଦୌଡ଼ ଇଭେଣ୍ଟର ୧୮ ବର୍ଷରୁ କମ୍ ବାଳକ ବର୍ଗରେ ପ୍ରତୀକ ମହାରଣା (୧୦.୭୨ ସେକେଣ୍ଡ), ୨୦ ବର୍ଷରୁ କମ୍ ବାଳକରେ ଡିଏମ୍ ଜୟରାମ (୧୦.୫୦ ସେକେଣ୍ଡ), ୨୩ ବର୍ଷରୁ କମ୍ ବାଳକରେ ଲାଲୁ ପ୍ରସାଦ ଭୋଇ (୧୦.୪୪ ସେକେଣ୍ଡ), ହାମର ଥ୍ରୋ ଇଭେଣ୍ଟର ୨୩ ବର୍ଷରୁ କମ୍ ବାଳିକା ବର୍ଗରେ ଅର୍ପିତା ପରିଡ଼ା (୩୨.୬୪ ମିଟର), ମହିଳା ବର୍ଗରେ ଦିବ୍ୟା ସାନ୍ଦିଲ୍ୟ (୫୫.୬୦ ମିଟର), ୧୮ ବର୍ଷରୁ କମ୍ ବାଳକରେ ଓମ୍କାର ପ୍ରସାଦ ନନ୍ଦ (୫୫.୬୦ ମିଟର), ୧୫୦୦ ମିଟର ଦୌଡ଼ର ପୁରୁଷ ବର୍ଗରେ ଅଶୋକ ଦଣ୍ଡସେନା (୩:୫୭.୩ ସେକେଣ୍ଡ), ୨୩ ବର୍ଷରୁ କମ୍ ବାଳିକାରେ ସୁସ୍ମିତା ଟିଗା (୪:୫୦.୮ ସେକେଣ୍ଡ), ୨୦ ବର୍ଷରୁ କମ୍ ବାଳିକାରେ ଲକ୍ଷ୍ମୀପ୍ରିୟା କିଷାନ (୪:୪୮.୬ ସେକେଣ୍ଡ) ନୂଆ ମିଟ୍ କୀର୍ତ୍ତିମାନ କରିଛନ୍ତି।
ପ୍ରଥମ ଦିନରେ ପୁରୁଷ ୫୦୦୦ ମିଟର ଦୌଡ଼ରେ ତାରକ ମାଣ୍ଡି, ମହିଳା ୫୦୦୦ ମିଟର ଦୌଡ଼ରେ ନମିତା ପ୍ରଧାନ, ଜାଭେଲିନ୍ରେ ସସ୍ମିତା ବେହେରା, ବାଳକ ବର୍ଗର ୧୪ ବର୍ଷରୁ କମ୍ ୬୦୦ ମିଟର ଦୌଡ଼ରେ ସଂଜୟ ହାଂସଦା, ଉଚ୍ଚଡିଆଁରେ ଲଳିତ ଲାଗୁରି, ସଟ୍ପୁଟ୍ରେ ଦିବ୍ୟଜ୍ୟୋତି ତ୍ରିପାଠୀ, ୧୬ ବର୍ଷରୁ କମ୍ ଉଚ୍ଚଡିଆଁରେ ଉମେଶ ବେହେରା, ସଟ୍ପୁଟ୍ରେ ମାନସ ଖଟୁଆ, ୧୮ ବର୍ଷରୁ କମ୍ ଉଚ୍ଚଡିଆଁରେ ଅମିତ ଅମନ ରାଉତ, ସଟ୍ପୁଟ୍ରେ ଓମ୍କାର ପ୍ରସାଦ ନନ୍ଦ, ୨୦ ବର୍ଷରୁ କମ୍ ୫୦୦୦ ମିଟର ଦୌଡ଼ରେ ପଙ୍କଜ ସୋରେନ୍, ଉଚ୍ଚଡିଆଁରେ ଅନନ୍ତ କୁମାର ସ୍ବାଇଁ, ସଟ୍ପୁଟ୍ରେ ସମୀର କୁମାର ଲେଙ୍କା, ୨୩ ବର୍ଷରୁ କମ୍ ୫୦୦୦ ମିଟର ଦୌଡ଼ରେ ରଶ୍ମିରଂଜନ ନାଏକ, ବାଳିକା ବର୍ଗରେ ୧୪ ବର୍ଷରୁ କମ୍ ୬୦୦ ମିଟର ଦୌଡ଼ରେ ସୁନୀତା ପିଙ୍ଗୁଆ, ଲମ୍ବଡିଆଁରେ ଅରୁଣା ବାରିକ, ୧୬ ବର୍ଷରୁ କମ୍ ଲମ୍ବଡିଆଁରେ ପାର୍ବତୀ ହାଂସଦା, ଜାଭେଲିନ୍ରେ ତେଜସ୍ବିନୀ ଧଳ, ୧୮ ବର୍ଷରୁ କମ୍ ଲମ୍ବଡିଆଁରେ ସଂଜୁ ହନ୍ତାଳ, ଜାଭେଲିନ୍ରେ ଅମ୍ରିତା ଡୁଙ୍ଗଡୁଙ୍ଗ, ୨୦ ବର୍ଷରୁ କମ୍ ୫୦୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣଲତା ଶର୍ମା, ଲମ୍ବଡିଆଁରେ ଦୀପାଶ୍ରୀ ମୁଦି, ଜାଭେଲିନ୍ରେ ପି. ଅର୍ପିତା ଅର୍ଚ୍ଚନା ସା’, ୨୩ ବର୍ଷରୁ କମ୍ ୫୦୦୦ ମିଟର ଦୌଡ଼ରେ ଗୋଲାପ ରାଉତ, ଜାଭେଲିନ୍ରେ ଧନମତୀ ଖେସ୍ ସ୍ବର୍ଣ୍ଣ ପଦକ ପାଇଛନ୍ତି।
ଗୁରୁବାର ସନ୍ଧ୍ୟାରେ କିଟ୍ କ୍ୟାମ୍ପସ୍ସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ହଲ୍ରେ ହୋଇଥିବା ଉଦ୍ଘାଟନୀ ସମାରୋହରେ କନ୍ଧମାଳ ସାଂସଦ ତଥା କିଟ୍-କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ କ୍ରୀଡ଼ା ବିଭାଗର ଅଧିକାରୀ ସୋନାଲି ଚାନ୍ଦ୍, ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ଓଡ଼ିଶା ଦୌଡ଼କୁଦ ସଂଘ ସଭାପତି ଜି.ଏସ୍. ପଟ୍ଟନାୟକ, ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ରବି ନାୟକ, ସହ ସମ୍ପାଦକ ବିଭୂତି ଭୂଷଣ ପଣ୍ଡା ଓ ଅନ୍ୟ କର୍ମକର୍ତ୍ତମାନେ ଯୋଗଦେଇଥିଲେ। ସ୍ବତନ୍ତ୍ର ଅତିଥି ଭାବେ ଲୁଟେନାଣ୍ଟ କର୍ଣ୍ଣେଲ୍ ଏ. ରାଜେଶ ଏବଂ ଗ୍ରୁପ୍ କ୍ୟାପଟେନ୍ ଦିନେଶ ସୁରୀ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ୩୭ ୟୁନିଟ୍ରୁ ବିଭିନ୍ନ ବୟସବର୍ଗରୁ ପାଖାପାଖି ୧୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।