ରାଜ୍ୟ ଦୌଡ଼କୁଦ ଉଦ୍‌ଘାଟିତ: ସ୍ବାଧୀନ, କିଶୋର, ଅଶୋକ ଓ ବିଘ୍ନରାଜଙ୍କ ନୂଆ କୀର୍ତ୍ତିମାନ

ଭୁବନେଶ୍ବର: ୬୮ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୩୪ଟି ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ପାଖାପାଖି ୪୦୦ ପ୍ରତିଯୋଗୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ, କିଟ୍ ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା ଦୌଡ଼କୁଦ ସଂଘର ମିଳିତ ପ୍ରୟାସରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ସର୍ବଭାରତୀୟ ଦୌଡ଼କୁଦ ମହାସଂଘ ପ୍ରଦାନ କରିଥିବା ଯୋଗ୍ୟତାରେଖା ଛୁଇଁଥିବା ଖେଳାଳିମାନେ ତେଲେଙ୍ଗାନାର ୱାରାଙ୍ଗଲଠାରେ ଚଳିତ ମାସ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୬୦ତମ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇବେ।

ମଙ୍ଗଳବାର ପ୍ରଥମ ଦିନରେ ୧୭ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା ବେଳେ ଚାରିଟି ନୂଆ କୀର୍ତ୍ତିମାନ ସ୍ଥାପିତ ହୋଇଛି। ଉଚ୍ଚଡିଆଁରେ କଟକର ସ୍ବାଧୀନ ମାଝୀ ୨୫ ବର୍ଷ ତଳେ କୋଲକାତାରେ ସୁନିଲ କୁମାର ଆଜାଜ ସ୍ଥାପନ କରିଥିବା‌ ୨.୦୬ ମିଟର କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ୨.୦୭ ମିଟର ଉଚ୍ଚକୁ ଡେଇଁ ନୂଆ‌ ରାଜ୍ୟ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି ସେ। ସେହିଭଳି ଓଡ଼ିଶା ପୁଲିସର ଅଶୋକ ଦଣ୍ଡସେନା ୧୫୦୦ ମିଟରରେ ନୂଆ କୀର୍ତ୍ତିମାନ କରିଛନ୍ତି। ପୁରୁଣା କୀର୍ତ୍ତିମାନ ୩ ମିନିଟ୍ ୫୯.୩ ସେକେଣ୍ଡ ହୋଇଥିଲା ବେଳେ ୩ ମିନିଟ୍ ୫୮.୭ ‌ସେକେଣ୍ଡ ସମୟ ନେଇଛନ୍ତି ସେ। ପୁରୁଷ ଜାଭଲିନରେ କଟକର କିଶୋର କୁମାର ଜେନା (୭୬.୪୧ ମିଟର) ନିଜେ ନିଜର କୀର୍ତ୍ତିମାନ (୭୨.୭୭ ମିଟର, ୨୦୧୭, କଟକ) ଭାଙ୍ଗିଛନ୍ତି। ୪୦୦ ମିଟରର ସେମିଫାଇନାଲ୍‌ରେ ଓଡ଼ିଶା ପୁଲିସର ବିଘ୍ନରାଜ ମିରିଦିଆ ୪୮.୨୬ ସେକେଣ୍ଡ ସମୟ ନେଇ ୪୮.୩୧ ସେକେଣ୍ଡର ପୁରୁଣା କୀର୍ତ୍ତିମାନକୁ ଟପିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମହିଳା ୧୫୦୦ ମିଟରରେ ନମିତା ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସମ୍ବନ୍ଧିତ ଖବର