ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଟେବୁଲ୍ ଟେନିସ୍ ସଂଘ (କେଡିଟିଟିଏ) ପକ୍ଷରୁ ସହିଦ ନଗର ଇନ୍ଡୋର୍ ହଲରେ ଚାଲିଥିବା ୧୫ତମ ରାଜ୍ୟ ମାନ୍ୟତା ଟିଟି ପ୍ରତିଯୋଗିତାରେ ୩ଟି ବୟସ ବର୍ଗ ସମାପ୍ତ ହୋଇଛି। ପୁରୀର ଜିଜ୍ଞାସୁ ସାଇ କିରଣ ପ୍ରଧାନ ଏବଂ କଟକର ଊର୍ଜା ବର୍ମା ୨ଟି ଲେଖାଏଁ ବର୍ଗରେ ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଛନ୍ତି। କଟକର ଶ୍ବେତା ବର୍ମା ଏବଂ ଜିଜ୍ଞାସୁ ସାହୁ ଗୋଟିଏ ଲେଖାଏଁ ବୟସ ବର୍ଗ ପ୍ରତିଯୋଗିତା ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୧୧ ବର୍ଷରୁ କମ୍ ବାଳିକା ଫାଇନାଲ୍ରେ ଶ୍ବେତା ବର୍ମା ୩-୨ରେ କଟକର ଆରାଧ୍ୟା ସାହୁଙ୍କୁ ଏବଂ ବାଳକ ଫାଇନାଲ୍ରେ ଜିଜ୍ଞାସୁ ସାଇ କିରଣ ପ୍ରଧାନ ୩-୦ରେ କଟକର ଆରୂଷ ମାଣିଆଙ୍କୁ ପରାସ୍ତ କରିଥିଲେ।
୧୩ ବର୍ଷରୁ କମ୍ ବାଳିକା ଫାଇନାଲ୍ରେ ଊର୍ଜା ବର୍ମା ୩-୨ରେ ସାକ୍ଷୀ ଭଗତଙ୍କୁ ଏବଂ ବାଳକ ଫାଇନାଲ୍ରେ ଜିଜ୍ଞାସୁ ସାଇ କିରଣ ପ୍ରଧାନ ୩-୧ରେ ଖୋର୍ଦ୍ଧାର ଜୟସ୍ତୁ ଦାସଗୁପ୍ତାଙ୍କୁ ପରାସ୍ତ କରିଥିଲେ। ୧୫ ବର୍ଷରୁ କମ୍ ବାଳିକା ଫାଇନାଲ୍ରେ ଊର୍ଜା ବର୍ମା ୪-୨ରେ ସାକ୍ଷୀ ଭଗତଙ୍କୁ ଏବଂ ପୁରୁଷରେ ଜିଜ୍ଞାସୁ ସାହୁ ଭୁବନେଶ୍ବରର ଅନିନ୍ଦ୍ୟ ଅନୁପମ ଦାସଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ। ଉର୍ଜା ଓ ଜିଜ୍ଞାସୁ ସାହୁଙ୍କୁ ଅଧିକ ଟ୍ରଫି ଜିତିବାର ସୁଯୋଗ ରହିଛି। ୧୭ ବର୍ଷରୁ କମ୍ ବାଳିକା ଫାଇନାଲ୍ରେ ଉର୍ଜା ଭେଟିବେ ଶ୍ବେତପଦ୍ମା ଦଳାଇଙ୍କୁ। ବାଳକ ସେମିଫାଇନାଲ୍କୁ ଜିଜ୍ଞାସୁ ସାହୁ, ଅନିନ୍ଦ୍ୟ ଅନୁପମ ଦାସ, ମହମ୍ମଦ ଜୀସାନ, ଫରାଜ ରାଜା ସେମିଫାଇନାଲ୍କୁ ଉଠିଛନ୍ତି।