ଭୁବନେଶ୍ବର : କଟକର ଜବାହରଲାଲ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ତିନିଦିନିଆ ମିନି ଏବଂ ଉପକନିଷ୍ଠ ରାଜ୍ୟ ରୢାଙ୍କିଙ୍ଗ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ୧୩ ବର୍ଷରୁ କମ୍ ବାଳକ ଏକକ ଫାଇନାଲ୍ରେ ସମ୍ବଲପୁରର ଅୟଙ୍କ ସାହୁଙ୍କୁ ୨୧-୭, ୨୧-୧୨ରେ ପରାସ୍ତ କରି ବାଲେଶ୍ବରର ଓଜୋଦୀପ ମାଝୀ ଏବଂ ବାଳିକା ଏକକ ଫାଇନାଲ୍ରେ ଅନଗୁଳର ଅକ୍ଶିତା ମହାନ୍ତିଙ୍କୁ ୨୧-୧୫ ଓ ୨୧-୮ରେ ପରାସ୍ତ କରି ଭଦ୍ରକର ଜେସିକା ସାହୁ ବିଜେତା ହୋଇଥିଲେ। ସେହି ବୟସବର୍ଗର ବାଳକ ଯୁଗଳ ଫାଇନାଲ୍ରେ ସମ୍ବଲପୁର-କଟକ ଯୋଡ଼ି ଅୟଙ୍କ ସାହୁ-ହର୍ଷିତ୍ ବେହେରାଙ୍କୁ ୨୧-୧୫, ୨୧-୧୬ରେ ପରାସ୍ତ କରି ଖୋର୍ଦ୍ଧା-ବାଲେଶ୍ବର ଯୋଡ଼ି ନତାହାନିଲ ରେଡେନ୍-ଓଜୋଦୀପ ମାଝୀ ଏବଂ ବାଳିକା ଯୁଗଳ ଫାଇନାଲ୍ରେ ଭଦ୍ରକ ଯୋଡ଼ି ବୁଦୁପ୍ପୁ ଲକ୍ଷ୍ମୀ ରେଡ୍ଡୀ-ଜେସିକା ସାହୁଙ୍କୁ ୨୧-୮, ୨୧-୧୦ରେ ପରାସ୍ତ କରି ଭୁବନେଶ୍ବର-କଟକ ଯୋଡ଼ି ନିମିଶା ଓଝା-ସ୍ବାତୀ ନାୟକ ବିଜେତା ହୋଇଥିଲେ। ଅନ୍ୟପକ୍ଷରେ ମିଶ୍ରିତ ଯୁଗଳ ଫାଇନାଲ୍ରେ ଭଦ୍ରକ ଯୋଡ଼ି ବୁଦୁପ୍ପୁ ପ୍ରଣୀତ ରେଡ୍ଡୀ-ଜେସିକା ସାହୁଙ୍କୁ ୨୨-୨୪, ୨୧-୧୪ ଓ ୨୧-୧୯ରେ ପରାସ୍ତ କରି ବାଲେଶ୍ବର-ଖୋର୍ଦ୍ଧା ଯୋଡ଼ି ଓଜୋଦୀପ ସାହୁ-ଲାରିସା ସାହୁ ବିଜେତା ହୋଇଥିଲେ।
୯ ବର୍ଷରୁ କମ୍ ବାଳକରେ ଭୁବନେଶ୍ବରର ଅଭିକ୍ ମହାନ୍ତିଙ୍କୁ ୨୧-୧୨, ୨୧-୮ରେ ପରାସ୍ତ କରି ବଲାଙ୍ଗୀରର ଜି ଗୌତମ ଏବଂ ବାଳିକାରେ ଭୁବନେଶ୍ବରର ଶ୍ରୀଜା ମହାପାତ୍ରଙ୍କୁ ୨୧-୮, ୨୧-୯ରେ ପରାସ୍ତ କରି କୋରାପୁଟର ଆରାଧନା ବେବର୍ତ୍ତା, ୧୧ ବର୍ଷରୁ କମ୍ ବାଳକରେ କଟକର ହର୍ଷିତ୍ ବେହେରାଙ୍କୁ ୨୧-୧୧, ୨୧-୧୨ରେ ପରାସ୍ତ କରି ଅୟଙ୍କ ସାହୁ ଏବଂ ବାଳିକାରେ ଭୁବନେଶ୍ବରର ସମୃଦ୍ଧି ରାଜ ବିଶ୍ବାଳଙ୍କୁ ୨୭-୨୫, ୨୦-୨୨ ଓ ୨୧-୧୬ରେ ପରାସ୍ତ କରି ନିଜ ସହରର ଅନ୍ଭିତା ପ୍ରହରାଜ ବିଜେତା ହୋଇଥିଲେ।
ଉଦ୍ଯାପନୀ ଉତ୍ସବରେ ଓଡ଼ିଶା ରୋଇଂ ସଂଘର ସଂପାଦକ ବିନୋଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ବ୍ୟାଡ୍ମିଣ୍ଟନ ସଂଘ (ଓଏସ୍ବିଏ)ର ସଂପାଦକ ଲିନିନ କୁମାର, କଟକ ଉନ୍ନୟକ କମିଟି ଅଧ୍ୟକ୍ଷ କାର୍ତ୍ତିକଚନ୍ଦ୍ର ଦାସ, ଆୟୋଜନ ସଂପାଦକ କମଲ ଦାସ ଏବଂ ସଂଯୋଜକ ଚନ୍ଦନ ଦାସ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/All-Odisha-Ranking-Badminton-Tournament-2022-1.jpg)