ଭୁବନେଶ୍ବର: ଓଡିଶା ରାଇଫଲ୍ ସଂଘର ପୃଷ୍ଠପୋଷାକ, ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧକ୍ଷ କଲିକେଶ ନାରାୟଣ ସିଂହଦେଓ ଭାରତୀୟ ରାଇଫଲ୍ ସଂଘର ସଭାପତି ନିର୍ବାଚିତ ହୋଇଥିବାରୁ ଶୁକ୍ରବାର ଓଡ଼ିଶା ରାଜ୍ୟ ରାଇଫଲ ସଂଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜାତୀୟ ରାଇଫଲ ସଂଘର ସଭାପତି ହେବାରେ ଶ୍ରୀ ସଂହଦେଓ ପ୍ରଥମ ଓଡିଆ। ଏହା ପୂର୍ବରୁ ସେ ଜାତୀୟ ସଂଘର ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟ କରିଥିଲେ। ଖେଳାଳିରୁ ପ୍ରଶାସକ ହେବାରେ ଶ୍ରୀ ସଂହଦେଓ ମଧ୍ୟ ଅନ୍ୟତମ ସଫଳ ଓଡ଼ିଆ। ଏହାକୁ ନେଇ ଓଡିଶା ରାଜ୍ୟ ରାଇଫଲ ସଂଘରେ ଅପୂର୍ବ ଉତ୍ସାହ ସୃଷ୍ଟି ହୋଇଛି।
ବହୁତ ଦିନରୁ ଅଭାବ ରହିଥିବା ଓଡିଶା ରାଇଫଲ ସଂଘର ନିଜସ୍ୱ ଟ୍ରାପ ସୁଟିଙ୍ଗ ରେଞ୍ଜ ଶ୍ରୀ ସିଂହଦେଓଙ୍କ ସହାୟତାରେ ପ୍ରତିଷ୍ଠା ହୋଇପାରିବ ବୋଲି ଏହି ଅବସରରେ ଆଶା ପ୍ରକାଶ କରାଯାଇଛି। ଏହାଦ୍ୱାରା ଓଡିଶାରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇପାରିବେ। ଶୁକ୍ରବାରର ସମ୍ବର୍ଦ୍ଧନା ଉତ୍ସବରେ ଓଡିଶା ରାଇଫଲ୍ ସଂଘ ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ, ଉପସଭାପତି ଇଂ ଚିତ୍ତରଞ୍ଜନ ସ୍ୱାଇଁ, ରୋମିଓ ନନ୍ଦ, କୋଷାଧକ୍ଷ ଡ. ଗୌରୀ ମହାନ୍ତି, ଯୁଗ୍ମ ସମ୍ପାଦକ ବଳଭଦ୍ର ଦାସ, ସହ ସମ୍ପାଦକ ଆଶିଷ ନାୟକ, ଉପଦେଷ୍ଠା ଦେବାଶିଷ ଭଟ୍ଟାଚାର୍ଯ୍ୟ, ତାଳଚେର ରାଇଫଲ କ୍ଲବ୍ର ଶରତ ଦେବ, କଟକ ରାଇଫଲ କ୍ଲବ୍ର ଅଶୋକ ସ୍ୱାଇଁ, ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆର ପ୍ରତିଷ୍ଠାତା ଡାକ୍ତର ସାର୍ଥକ ପଟ୍ଟନାୟକ, ଜିଏଫଜିର ସୋନୁ ପଣ୍ଡା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।