ବଲାଙ୍ଗୀର: ପୃଥ୍ବୀରାଜ ହାଇସ୍କୁଲ ଇନ୍ଡୋର ଷ୍ଟାଡିୟମରେ ୩ ଦିନ ଧରି ଚାଲିଥିବା ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ ବୁଧବାର ଉଦ୍ଯାପିତ ହୋଇଛି। ପୁରୁଷ ଏକକ ଫାଇନାଲ୍ରେ ଖୋର୍ଦ୍ଧାର ପାରସ ମାଥୁର ସମ୍ବଲପୁରର ତହସିବ ଖାନଙ୍କୁ ପରାସ୍ତ କରିଥିଲା ବେଳେ ମହିଳା ଏକକରେ କଟକର ସ୍ମୃତି ସ୍ବାଇଁ ଭୁବନେଶ୍ବରର ହର୍ଷିତା ରାଉତଙ୍କୁ ପରାଜିତ କରି ବିଜେତା ହୋଇଛନ୍ତି। ସେହିପରି ପୁରୁଷ ଯୁଗଳ ଫାଇନାଲ୍ରେ ଅଭିନାଶ ମହାନ୍ତି ଓ ଆୟୁଷ ପଟ୍ଟନାୟକଙ୍କ ଯୋଡ଼ି ଅମ୍ଲାନ କେଶରୀ ଗଡ଼ନାୟକ ଓ ତନ୍ମୟ ସାହୁଙ୍କ ଯୋଡ଼ିକୁ ପରାସ୍ତ କରିଛନ୍ତି। ମହିଳା ଯୁଗଳ ଫାଇନାଲରେ ବିଶାଖା ଟୋପ୍ନୋ ଓ ପ୍ରଗତି ପରିଡ଼ାଙ୍କ ଯୋଡ଼ି ହର୍ଷିତା ରାଉତ ଓ ସ୍ମୃତି ସ୍ବାଇଁଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି।
ମିଶ୍ରିତ ଯୁଗଳ ଫାଇନାଲରେ ଅଭିନାଶ ମହାନ୍ତି ଓ ଶ୍ରେୟା ବିଶ୍ବାଳଙ୍କ ଯୋଡ଼ି ଆୟୁଷ ଦାଶ ଓ ପୂର୍ବା ପ୍ରତ୍ୟାଶା ପଣ୍ତାଙ୍କ ଯୋଡ଼ିକୁ ହରାଇ ବିଜେତା ହୋଇଛନ୍ତି। ପ୍ରତିଯୋଗିତାକୁ ବିଜୟ ବାଗ୍ ପରିଚାଳନା କରିଥିଲେ। ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାୟକ ନରସିଂହ ମିଶ୍ର ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାଙ୍ଗଠନିକ ସମ୍ପାଦକ ସୁରୁଲାଲ ମଟାରୀ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ସମଗ୍ର ରାଜ୍ୟରୁ ୧୬ ଜଣ ରେଫରି ଓ ଟେକ୍ନିକାଲ ଅଫିସିଆଲ ଯୋଗ ଦେଇଥିଲେ। ଜିଲ୍ଲା ବ୍ୟାଡ୍ମିଣ୍ଟନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ତା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପଦେଷ୍ଟା ବୀରେନ୍ଦ୍ର ମିଶ୍ର, ସୁଶାନ୍ତ ଚୋପଦାର, ଘନଶ୍ୟାମ ମିଶ୍ର, ବୁଲୁ ବେହେରା, ସୁଶାନ୍ତ ମହାନ୍ତି, ଅଭିଜିତ ମିଶ୍ର, ସରୋଜ ସୁନା, କାସିମ ଇକବାଲ, ସଂଜୀବ ସାହାଣୀ, ସୁଧୀର ପଣ୍ତା, ସଂଯୋଜକ ଶୁଭ୍ରାଂଶୁ ପଣ୍ତା, ଅନନ୍ତ ବେହେରା, ମାନସ ମହାନ୍ତି, କବିରାଜ ଠାକୁର, କାହ୍ନୁ ଲାଲ, ସୁରେନ୍ଦ୍ର ନେପାଲ, ଚନ୍ଦନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।