ଭୁବନେଶ୍ବର: ବାରିପଦା ଷ୍ଟାଡ‌ିୟମ୍‌ କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ୬୩ତମ ଓଡ଼ିଶା ରାଜ୍ୟ ବରିଷ୍ଠ ପୁରୁଷ ରେଟିଂ ଚେସ୍ ପ୍ରତିଯୋଗିତାରେ କଟକର ନିଲସୁ ପଟ୍ଟନାୟକ ଚମତ୍କାର ଭାବେ ବିଜେତା ହୋଇଛନ୍ତି। ପ୍ରଥମ ରାଉଣ୍ଡରେ ନିମ୍ନମାନ୍ୟତାପ୍ରାପ୍ତ ସାଇ କୃଷ୍ଣ ମଙ୍ଗରାଜଙ୍କଠାରୁ ହାରି ଅଭିଯାନ ଆରମ୍ଭ କରିଥିବା ନିଲସୁ ପରବର୍ତୀ ୭ ରାଉଣ୍ଡରେ ଜିତିଥିଲେ। ନବମ ତଥା ଅନ୍ତିମ ରାଉଣ୍ଡରେ ପ୍ରିୟାଂଶ ଦାସଙ୍କ ସହ ପଏଣ୍ଟ ଭାଗ କରି ୭.୫ ପଏଣ୍ଟ ସହ ଶୀର୍ଷ ସ୍ଥାନ ଦଖଲ କରି ନେଇଥିଲେ। ଭେଟେରାନ୍‌ ଖେଳାଳି ବାଲେଶ୍ବରର ଦେବାଶିଷ ଚକ୍ରବର୍ତୀ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ୭.୫ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଅଭିଯାନ ‌ଶେଷ କରିଥିଲେ। ନବମ ରାଉଣ୍ଡରେ ଦେବାଶିଷ ଅନ୍ୟତମ ପୁରୁଖା ଖେଳାଳି ରାଜେନ୍ଦ୍ର କୁମାର ସାହୁଙ୍କୁ ପରାସ୍ତ କରି ଉପବିଜେତା ହେବାର ଗୌରବ ପାଇଥିଲେ। ୬ ଜଣ ଖେଳାଳି ସମାନ ୭ ପଏଣ୍ଟ ପାଇଥି‌ଲେ ମଧ୍ୟ ପ୍ରିୟାଂଶଙ୍କ ସହ ରାଜେଶ କୁମାର ନାୟକ, ଫକୀର ମାଝୀ ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଥିଲେ। ପ୍ରତ୍ୟାଶା ଜେନା, ତପନ ବଡ଼ମୁଣ୍ଡି, ଶ୍ରୀନାଥ ଭୋଇ (ପ୍ରତ୍ୟେକ ୭ ପଏଣ୍ଟ), ସାଜନ କୁମାର ନାୟକ, ଶ୍ରୀୟାଂଶ ଦାସ, ପ୍ରସନ୍ନ କୁମାର ନାୟକ (ପ୍ରତ୍ୟେକ ୬.୫ ପଏଣ୍ଟ), ରାଜେଶ କୁମାର ନାୟକ, ଆୟୂଷମାନ ମହାନ୍ତି, ଅଂଶୁମାନ ସାମଲ, ସଂଜୀବନ ନାୟକ, ଶ୍ରୀହନ ସାବତ,‌ ଗୌରହରି ମହାପାତ୍ର, ଆର୍ଯ୍ୟନ ବେହେରା, ଶ୍ରୀନିବାସ ମିଶ୍ର, ଉତ୍ତମ ଛତ୍ରିଆ (ପ୍ରତ୍ୟେକ ୬ ପଏଣ୍ଟ) ଯଥାକ୍ରମେ ଷଷ୍ଠରୁ ବିଂଶତମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ପ୍ରଥମ ୫ ଜଣ କିନ୍ତୁ ଟ୍ରଫି ସହ ଆାର୍ଥିକ ପୁରସ୍କାର ପାଇଥିଲେ। ବିଜେତାମାନଙ୍କୁ ନିଖିଳ ଓଡ଼ିଶା ଚେସ୍‌ ସଂଘ (ଏଓସିଏ) ସମ୍ପାଦକ ଦେବବ୍ରତ ଭଟ୍ଟ ଅଭିନନ୍ଦନ ଜଣାଇଛନ୍ତି।