ରାଜ୍ୟ ବରିଷ୍ଠ ସନ୍ତରଣ: ଭୁବନେଶ୍ବର ବିଜେତା, ସମ୍ବଲପୁର ଉପବିଜେତା

ଭୁବନେଶ୍ବର: ୬୨ତମ ରାଜ୍ୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତା‌ରୁ ଗୌହାଟୀଠାରେ ଖେଳାଯିବାକୁ ଥିବା ଜାତୀୟ ବରିଷ୍ଠ ସନ୍ତରଣ (ସେପ୍ଟେମ୍ବର ୬ରୁ ୧୦) ଲାଗି ୧୨ ଜଣ ସନ୍ତରକ ବଛା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୬ ମହିଳା ଏବଂ ୬ ପୁରୁଷ। ଜାତୀୟ ପ୍ରତିଯୋଗିତା ଲାଗି ମନୋନୀତ ହୋଇଥିବା ସନ୍ତରଣ ତାରକାମାନେ ହେଲେ ଶୁଭ୍ରନ୍ତୋ ପାତ୍ର, ଯଦୁ ବୁଡେକ, ଅମିୟ କୁମାର ପ୍ରଧାନ, ନବୀନ ଶର୍ମା, ବିକାଶ ହରିପାଲ, ଅନମୋଲ ମହାନ୍ତି, ଶ୍ରୀଷ୍ଟି ଉପାଧ୍ୟାୟ, ପ୍ରତ୍ୟାଶା ରାୟ, ମନ୍ନତା ମିଶ୍ର, ଅଂଶିକା ଅରାଧାନା ସାହୁ, ଦିବ୍ୟାଙ୍କା ଦିବ୍ୟଜ୍ୟୋତି ପ୍ରଧାନ, ଆଦ୍ୟାଶା ମିଶ୍ର। ରାଜ୍ୟ ପ୍ରତିଯୋଗିତାରେ ଭୁବନେଶ୍ବର (୩୦୮ ପଏଣ୍ଟ) ଦଳଗତ ବିଜେତା ହୋଇଥିଲା ବେଳେ ସମ୍ବଲପୁର (୨୦୦ ପଏଣ୍ଟ) ଉପବିଜେତା ଆଖ୍ୟା ଅର୍ଜନ କରିଥିଲା।

ଅଲିମ୍ପିଆନ୍ ସନ୍ଦୀପ ସେଜୱାଲ, ଭୁବନେଶ୍ବର ହାଇପର୍ଫର୍ମାନ୍ସ କେନ୍ଦ୍ରର ଅନ୍ତର୍ଜାତୀୟ ପ୍ରଶିକ୍ଷକ ଡଗଲାସ ଏଗର ଓଡ଼ିଶା ଦଳର ପ୍ରଶିକ୍ଷକ ଓ ପ୍ରବନ୍ଧକ ଭାବେ ଗୌହାଟୀ ଯିବେ। ଓଡ଼ିଶାର ୪ ଜଣ ସନ୍ତରଣ ତାରକା ଭାରତୀୟ ସନ୍ତରଣ ମହାସଂଘ ଦ୍ବାରା ନିର୍ଦ୍ଧାରିତ ଯୋଗ୍ୟତା ସମୟ ଛୁଇଁବା ଏହି ପ୍ରତିଯୋଗିତାର ଅନ୍ୟତମ ମୁଖ୍ୟାଂଶ ଥିଲା। ସେମାନେ ହେଲେ ମନ୍ନତା ମିଶ୍ର, ପ୍ରତ୍ୟାଶା ରାୟ, ଶ୍ରୀଷ୍ଟି ଉପାଧ୍ୟାୟ ଓ ଶୁଭ୍ରନ୍ତୋ ପାତ୍ର। ଏହି ସଫଳତା ଲାଗି ଓଡ଼ିଶା ସନ୍ତରଣ ସଂଘର କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର, ସଂପାଦିକା ଗୋଲାପମଣୀ ମହାନ୍ତ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତା’ ସହ ସମର୍ଥନ ଓ ସହଯୋଗ ଲାଗି ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର