ବଲାଙ୍ଗୀର: ବଲାଙ୍ଗୀର ମନୋହରପୁରସ୍ଥିତ ପୁଲିସ ରିଜର୍ଭ ଇନଡୋର ଷ୍ଟାଡିୟମରେ ତୃତୀୟ ରାଜେନ୍ଦ୍ର ନାରାୟଣ ସିଂହଦେଓ ରାଜ୍ୟ ଓପନ ଟେବୁଲ ଟେନିସ ପ୍ରତିଯୋଗିତା ସୋମବାର ଉଦଘାଟିତ ହୋଇଛି। ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ଏସପି କେ.ସିଭା ସୁବ୍ରମଣି, ସନ୍ଥ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ଡିନ୍ ତଥା ଅଧ୍ୟକ୍ଷ ଡା.ଲଳିତ କୁମାର ମେହେର, ବଲାଙ୍ଗୀର ଓକିଲ ସଂଘର ସଭାପତି ଅଶୋକ କୁମାର ମହାନ୍ତି, ଓଡ଼ିଶା ଟେବୁଲ ଟେନିସ ଆସୋସିଏସନର କୋଷାଧ୍ୟକ୍ଷ ଚୌଧୁରୀ ନିହାର ରଂଜନ ମିଶ୍ର, ବଲାଙ୍ଗୀର ହୋମଗାର୍ଡ ସହକାରୀ କମାଣ୍ଡାଣ୍ଟ କୁମୁଦ ସେଠ ପ୍ରମୁଖ ଯୋଗ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଟେବୁଲ ଟେନିସ ସଂଘର ସଂପାଦକ ସୁମିର ରଂଜନ ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ପ୍ରାୟ ୧୦ଟି ଜିଲ୍ଲା ଓ ୫ଟି ସଂଗଠନର ୨ଶହ ପ୍ରତିଯୋଗୀ ୧୦ଟି ଇଭେଣ୍ଟର ଟ୍ରଫି ପାଇଁ ମୁକାବିଲା କରିବେ। ପୁରୁଷ ଏକକରେ ପୂର୍ବତଟ ରେଳବାଇର ମହମ୍ମଦ ଆଝାର ଓ ଏଜି ଓଡ଼ିଶାର ପୌସଳି ଘଟକ ଶୀର୍ଷ ମାନ୍ୟତା ଅଛନ୍ତି। ସୋମବାର ପ୍ରଥମ ଦିନରେ ମହିଳା ଏକକ କ୍ବାର୍ଟର ଫାଇନାଲ ଲାଇନ ଅପ୍ ଚୂଡାନ୍ତ ହୋଇଛି। ଏଥିରେ ଏଜି ଓଡ଼ିଶାର ପୌସଲି ଘଟକ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଗୀତାଞ୍ଜଳି ହେୟାଲ, କଟକର ସ୍ବୀକୃତି ଭଗତ, ଖୋର୍ଦ୍ଧାର ୟୋସିତା ଜମୁଲା, ଭଦ୍ରକର ମୟୁରୀ ଚାଟାର୍ଜୀ, ଖୋର୍ଦ୍ଧାର ପାୟଲ ପାଣି, ଭୁବନେଶ୍ବରର ସମର୍ଥା ପୃଷ୍ଟି, ଖୋର୍ଦ୍ଧାର ସୁଶ୍ରୀ ପଟ୍ଟନାୟକ କ୍ବାର୍ଟର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରତିଯୋଗିତାରେ ମୁଖ୍ୟ ରେଫରି ଭାବେ ବିଜନ କୁମାର ଦାସମହାପାତ୍ର କାର୍ଯ୍ୟ କରୁଥିବା ବେଳେ ଜୀବନ ବଲ୍ଲଭ ସମାଲ, ସୁଜିତ ରାୟ, କଲ୍ଲୋଳ ଗାଙ୍ଗୁଲି, ତପନ ଖା ରେଫରି ଦାୟିତ୍ବ ନିର୍ବାହ କରୁଛନ୍ତି। ପୁରୁଷ, ମହିଳା ଏକକ ସହ ଯୁଥ୍ ବାଳକ, କନିଷ୍ଠ, ଉପକନିଷ୍ଠ ଓ କ୍ୟାଡେଟ୍ ବର୍ଗରେ ବାଳକ, ବାଳିକା ଏକକ ପ୍ରତିଯୋଗିତା ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସଂଘ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ରାଜ୍ୟ ମାନ୍ୟତା ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/SBPHO1-blg-tabble-tennis.jpg)