ରାଜ୍ୟ କ୍ରୀଡ଼ା ନୀତି ଖୁବ୍ ଶୀଘ୍ର: ତୁଷାରକାନ୍ତି

ଭୁବନେଶ୍ବର, (ସୁରେଶ ସ୍ବାଇଁ): ବିଧାନସଭାରେ ପାଦ ଥାପିବା ପୂର୍ବରୁ ସେ ମନ୍ତ୍ରୀପଦ ପାଇବାର ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଶେଷ ମୁହୂର୍ତରେ ଭାଜପା ଟିକେଟ୍‌ ଫେରାଇ ବିଜେଡିରେ‌ ଯୋଗ ଦେଇଥିବା ଏହି କାକଟପୁର ବିଧାୟକ ହେଲେ ଆଇଆଇଟିଆନ୍‌ ତୁଷାରକାନ୍ତି ବେହେରା। ଚର୍ଚିତ ବିଭାଗ କ୍ରୀଡ଼ା ଓ ଯୁବସେବା ସହିତ ଇଲେକ୍ଟ୍ରୋନିକ୍ସ ଓ ସୂଚନାପ୍ରଯୁକ୍ତି ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପାଇଥିବା ଶ୍ରୀ ବେହେରା ତାଙ୍କ ମନ୍ତ୍ରୀପଦର ୬ ମାସ ପୂର୍ଣ୍ଣ ଅବସରରେ ‘ସମ୍ବାଦ’କୁ ପ୍ରଦାନ କରିଥିଲେ ବିଶେଷ ସାକ୍ଷାତକାର।

ସମ୍ବାଦ: ଆଇଆଇଟି ଖଡ଼ଗପୁରରୁ ରାଜନୀତି ମଇଦାନର ଯାତ୍ରା କିଭଳି ବିତିଛି?
ତୁଷାରକାନ୍ତି: ରାଜନୀତିରେ ପ୍ରବେଶ କରିବାର ସେଭଳି ଅଭିଳାଷ ନ ଥିଲା। କିନ୍ତୁ ଆଇଆଇଟିରେ ଅଧ୍ୟୟନ ବେଳେ ମୋର ଏନ୍‌ସିସି ଏବଂ ଏନ୍‌ଏସ୍‌ଏସ୍‌ ଥିଲା। ସେଥିପାଇଁ ଗୋଷ୍ଠୀଗତ କାର୍ଯ୍ୟରେ ଲିପ୍ତ ରହୁଥିଲି। ପରବର୍ତୀ ସମୟରେ ଏହା ରାଜନୀତିରେ ରୂପାନ୍ତରିତ ହୋଇଛି। ସମାଜର କୌଣସି ବର୍ଗର ଲୋକଙ୍କ କାମ କରିବା ପାଇଁ ଏଥିରେ ସୀମା ରହିନଥାଏ।

ସମ୍ବାଦ: ପ୍ରଥମ ଥର ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି। ବିଧାନସଭା ପଦାର୍ପଣରେ ଏଭଳି ଦାୟିତ୍ବ ପାଇବା ନେଇ ଆଶାବାଦୀ ଥିଲେ କି?
ତୁଷାରକାନ୍ତି: ରାଜନୀତିକୁ ଆସିଲେ ଆଗକୁ ବଢ଼ିବାକୁ ନିଶ୍ଚିତ ଇଚ୍ଛା ଥାଏ। କିନ୍ତୁ ପ୍ରଥମେ ଜିତିବା ଲକ୍ଷ୍ୟ ଥାଏ, ଏବେ ନିର୍ବାଚନମଣ୍ଡଳିର ଲୋକଙ୍କ କାମ କରିବା ମୋ ପ୍ରାଥମିକତା ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି ମୋତେ କ୍ରୀଡ଼ା ଓ ଯୁବସେବା ବିଭାଗ ସହିତ ଇଆଇଟି ଦାୟିତ୍ବ ଦେଇଥିବାରୁ। ନିଜ ଦାୟିତ୍ବକୁ ନିଷ୍ଠାର ସହ ସମ୍ପନ୍ନ କରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି।

ସମ୍ବାଦ: କ୍ରୀଡ଼ା ବିଭାଗରେ ୬ ମାସର ଅଭିଜ୍ଞତା କେମିତି ବିତିଛି?
ତୁଷାରକାନ୍ତି: ଓଡ଼ିଶା ସରକାର ହକି ବିଶ୍ବକପ୍‌, ଏସୀୟ ଦୌଡ଼କୁଦ, ଅଲିମ୍ପିକ୍ ହକି ଯୋଗ୍ୟତା ପର୍ଯ୍ୟାୟ ସହିତ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାର ସଫଳ ‌ଆୟୋଜନ କରି ବିଶ୍ବବ୍ୟାପୀ ପ୍ରଶଂସା ସାଉଁଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ନଜରରେ ରଖି ଏବେ ଗ୍ରାମାଞ୍ଚଳରୁ ପ୍ରତିଭାଙ୍କୁ ଚିହ୍ନଟ କରାଯାଉଛି। ପ୍ରଶିକ୍ଷଣ ପ୍ରଦାନ ସହିତ ବ୍ଲକ୍‌ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପରେ ସେମାନଙ୍କୁ ଆଣି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଦକ୍ଷତା ପ୍ରଦର୍ଶନ ଲାଗି ପ୍ରୟାସ କରାଯିବ। କବାଡ଼ି, ଭଲିବଲ୍‌ ଭଳି ବହୁ ଗ୍ରାମୀଣ ଓ ସ୍ବଦେଶୀ ଖେଳକୁ ମଧ୍ୟ ପ୍ରେତ୍ସାହିତ କରାଯାଉଛି। ଆଦିବାସୀ ପିଲାଙ୍କୁ ନେଇ ସ୍ବଦେଶୀ ଖେଳରେ ୨/୩ ମାସ ମଧ୍ୟରେ ବହୁ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ୧୨ଟି ହାଇ ପରଫର୍ମାନ୍ସ ସେଣ୍ଟରରୁ ୭ଟି ଆମ ପାଖରେ ରହିଛି ଯେଉଁଠି ବିଭିନ୍ନ ଖେଳରେ ଉତ୍କର୍ଷ ଅର୍ଜନ ଲାଗି ସୁଯୋଗ ଦିଆଯାଉଛି।

ସମ୍ବାଦ: ଅଶି ଦଶକରୁ ରାଜ୍ୟରେ କ୍ରୀଡ଼ା ନୀତି ଲାଗି ଖସଡ଼ା ପ୍ରସ୍ତୁତ ହୋଇଥିଲେ ବି ଏହା ଅଦ୍ୟାବଧି ବାସ୍ତବ ରୂପରେଖ ନେଇ ପାରିନାହିଁ କାହିଁକି?
ତୁଷାରକାନ୍ତି: ଦେଖନ୍ତୁ ରାଜ୍ୟରେ କ୍ରୀଡ଼ା ନୀତି ନ ଥିବା ସମ୍ପର୍କରେ ମୁଁ କିଛି କହି ପାରିବି ନାହିଁ। କିନ୍ତୁ କ୍ରୀଡ଼ା ନୀତି ନାହିଁ ବୋଲି ଯେ ଆମେ ପଛରେ ପଡ଼ିଯିବୁ ତା ମଧ୍ୟ ନୁହେଁ। ଆବଶ୍ୟକ ନୀତି ଓ ନିୟମ ଭିତିରେ ସବୁ ଚାଲିଛି। ଜାତୀୟ କ୍ରୀଡ଼ା ନୀତି ଆଧାରରେ ଆମେ କାମ କରୁଛୁ ଏବଂ ୫-ଟିର ସଂଯୋଗ କରି ଅନ୍ୟଠୁ ମଧ୍ୟ ପରାମର୍ଶ ନେଉଛୁ। ଅନ୍ୟତ୍ର ଥିବା କ୍ରୀଡ଼ା ନୀତିକୁ ଅନୁସରଣ କରି ଆମେ କ୍ରୀଡ଼ା ନୀତି ପ୍ରସ୍ତୁତ କରୁଛୁ, ଆଶା କରୁଛୁ ଖୁବ୍ ଶୀଘ୍ର ଏହା ପ୍ରଣୟନ ହେବ। ଓଡ଼ିଶାରେ କ୍ରୀଡ଼ା ନୀତି ନାହିଁ ବୋଲି ଖେଳାଳିମାନେ ଚାକିରି ପାଉଁ ନାହାନ୍ତି କି ଅନ୍ୟତ୍ର ପଳାଉଛନ୍ତି ବୋଲି ଯାହା କୁହାଯାଉଛି ତାହା ସତ୍ୟ ନୁହେଁ। ଆମେ ଜାତୀୟ କ୍ରୀଡ଼ା ନୀତି ଆଧାରରେ ହିଁ କାମ କରୁଛୁ। ନିକଟରେ ଦିଲ୍ଲୀରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କ୍ରୀଡ଼ାମନ୍ତ୍ରୀ ଏବଂ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ନେଇ ଏକ ବୈଠକ ବସିଥିଲା। ସେଠାରେ ଓଡ଼ିଶାର ଢାଞ୍ଚାକୁ ପ୍ରଶଂସା ମିଳିଥିଲା। ଓଡ଼ିଶା କେବଳ ବଡ଼ ପ୍ରତିଯୋଗିତା ଆୟୋଜନ କରୁଛି ବୋଲି ସାଧାରଣରେ ବିଶ୍ବାସ ରହିଛି। ଅଲିମ୍ପିକ୍ ପଦ‌କ କେବେ ରାତାରାତି ସମ୍ଭବ ନୁହେଁ। ୨/୩ ବର୍ଷରେ ଏହା କରାଯାଇ ପାରିବ ନାହିଁ, ୧୦/୧୫ ବର୍ଷ ବି ଲାଗିପାରେ। ଏଥି ପାଇଁ ଇକୋ ସିଷ୍ଟମ୍‌ ଆବଶ୍ୟକ। କେବଳ ଏକାଡେମି ନୁହେଁ, ହାଇ ପରଫର୍ମାନ୍ସ ସେଣ୍ଟରଗୁଡ଼ିକରେ ଥିବା ସୁବିଧା ସୁଯୋଗ ଜରିଆରେ ନିଶ୍ଚିତ ଦିନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି‌ହେବ।

ସମ୍ବାଦ: ଓଡ଼ିଶା ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରି ବିଶ୍ବବ୍ୟାପୀ ପ୍ରଶଂସା ସାଉଁଟିଛି। କିନ୍ତୁ କ୍ରୀଡ଼ା ବିଭାଗ ସ୍ବୀକୃତି ଦେଇଥିବା ୪୧ ଖେଳର ରାଜ୍ୟ ସଂଘଗୁଡ଼ିକ ଅନୁଦାନ ନପାଇ ଜାତୀୟ ପ୍ରତିଯୋଗିତା ଲାଗି ଦଳ ପଠାଇବାକୁ ସଂଘର୍ଷ କରୁଛନ୍ତି?
ତୁଷାରକାନ୍ତି: ଏଥିରେ ସତ୍ୟତା ନାହିଁ। ରାଜ୍ୟରେ ଥିବା ୪୦/୪୧ ଖେଳକୁ ଆମେ ବିଭିନ୍ନ ବର୍ଗରେ ବାଣ୍ଟି‌ ଦେଇଛୁ। ‘ଏ’ ବର୍ଗରେ ଥିବା ଖେଳ ପାଉଥିବା ଅନୁଦାନ ‘ସି’ ବର୍ଗ ପାଇଁ ମିଳି ପାରିବନାହିଁ। କେନ୍ଦ୍ର ସରକାର ମଧ୍ୟ ଏ ଦିଗରେ ଯେଭଳି ସହଯୋଗ କରିବା କଥା କରୁନାହାନ୍ତି। ବିଶେଷ କରି ସାଇ ପ୍ରଶିକ୍ଷକଙ୍କ କ୍ଷେତ୍ରରେ ଏହା ଘଟୁଛି। ଖୁବ୍ ଶୀଘ୍ର ରାଜ୍ୟ ସରକାର ନିଜସ୍ବ ପାଣ୍ଠିରେ ପ୍ରଶିକ୍ଷଣ ଏବଂ ପ୍ରଶିକ୍ଷକ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଯାହାକି ଅନ୍ୟ କୌଣସି ରାଜ୍ୟରେ ନାହିଁ। ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ।

ସମ୍ବାଦ: ଓଡ଼ିଶାରୁ ପୁଣି କେବେ ଦିଲୀପ ତିର୍କି ଏବଂ ଦୂତି ଚାନ୍ଦଙ୍କ ସ୍ତରର ଖେଳାଳି ବାହାରିବେ ?
ତୁଷାରକାନ୍ତି: ଏହା ନିଶ୍ଚିତ ଦୀର୍ଘମିଆଦି କଥା। ନିକଟରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଯେଭଳି କହିଛନ୍ତି ଦେଶ ୨୦୨୮ ଏବଂ ୨୦୩୨ ଅଲିମ୍ପିକ୍ସକୁ ନଜରରେ ରଖି କାମ କରୁଛି। ଆମେ‌ ସେଭଳି ଭାବେ ୧୦/୧୨ ବର୍ଷ ବୟସର ପ୍ରତିଭାଙ୍କୁ ଚିହ୍ନଟ କରି ନିଜସ୍ବ ବ୍ୟବସ୍ଥାରେ ପ୍ରଶିକ୍ଷଣ ପ୍ରଦାନ କରିବୁ। ଏଭଳି ବ୍ୟବସ୍ଥା ଅନ୍ୟ କୌଣସି ରାଜ୍ୟରେ ନାହିଁ। ଯାହା ଫଳରେ ଭବିଷ୍ୟତରେ ଏସିଆଡ୍‌ ଏବଂ ଅଲିମ୍ପିକ୍ସ ପଦକ ବିଜେତା ବାହାରି ପାରିବେ।

ସମ୍ବାଦ: କ୍ରୀଡ଼ା ବିଭାଗକୁ କିଭଳି ଅଧିକ କ୍ରିୟାଶୀଳ କରାଯାଇ ପାରିବ କି?
ତୁଷାରକାନ୍ତି: ଆମେ ବିଗତ ୩/୪ ବର୍ଷ ଭିତରେ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିଛୁ। ଏହା ରାଜ୍ୟର ବ୍ରାଣ୍ଡ୍‌ ମୂଲ୍ୟ ବଢ଼ାଇଛି। ଭୁବନେଶ୍ବର ଦେଶର କ୍ରୀଡ଼ା ରାଜଧାନୀ ଭାବେ ଅଭିହିତ ହୋଇ ସାରିଛି। ଆଗାମୀ ଦିନରେ ଯେଭଳି ଏହି ଧାରା ଜାରି ରହୁ। ଓଡ଼ିଶାରୁ ବାହାରୁଥିବା ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ଖେଳାଳି ଯେଭଳି ଅଧିକରୁ ଅଧିକ ସୁନାମ ଆଣିବେ ଆମେ ସବୁପ୍ରକାର ସମର୍ଥନ ଦେବୁ।

ସମ୍ବାଦ: ରାଜ୍ୟ କ୍ରୀଡ଼ା ଦୁନିଆକୁ କି ବାର୍ତ୍ତା ଦେବେ?
ତୁଷାରକାନ୍ତି: ରାଜ୍ୟରେ ‌ଯେଉଁ କ୍ରୀଡ଼ା ପ୍ରତିଭାମାନେ ରହିଛନ୍ତି କିମ୍ବା ଯେଉଁମାନେ ଅବହେଳିତ ଅବସ୍ଥାରେ ଥିବା ଅନୁଭବ କରୁଛନ୍ତି କ୍ରୀଡ଼ା ବିଭାଗକୁ ଆସି ସିଧାସଳଖ ନିଜ ଅଭିଯୋଗ ରଖନ୍ତୁ। କେତେକ ଉଦାହରଣ ମୋ ନଜରକୁ ଆସିଛି। ଆସନ୍ତା ୩/୪ ମାସ ଭିତରେ ଆମେ ସବୁକିଛି ଡିଜିଟାଇଜେସନ୍‌ କରିଦେବୁ। ଯେଉଁ ହକ୍‌ଦାର ଖେଳାଳି ଦରମା କି ଚାକିରି ପାଇ ପାରିନଥିବେ‌ କିମ୍ବା ଅନ୍ୟ ଅସୁବିଧା ଥିବ ସେମାନେ ଆବେଦନ କରିପାରିବେ। କେହି ‌ଯେଭଳି ପାତରଅନ୍ତରର ଶିକାର ନ ହେବେ, ଆମେ ସେଥିପ୍ରତି ଯତ୍ନବାନ ଅଛୁ। କାହାରି ଭିତରେ ଭେଦଭାବ ରହିବ ନାହିଁ, ସମସ୍ତଙ୍କୁ ସମାନ ପ୍ଲାଟଫର୍ମ ଦିଆଯିବ।

ସମ୍ବନ୍ଧିତ ଖବର