କ୍ରୀଡ଼ା ଛାତ୍ରାବାସ ପୁନର୍ଗଠନ ପ୍ରସଙ୍ଗ: ରାଜ୍ୟ କ୍ରୀଡ଼ା ସଂଘଗୁଡ଼ିକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ମିଳିତ ନିବେଦନ

କଟକ: ରାଜ୍ୟରେ କ୍ରୀଡ଼ା ଛାତ୍ରାବାସର ନବୀକରଣ କରାଯିବା ପାଇଁ କେତେକ ଛାତ୍ରାବାସକୁ ବନ୍ଦ କରିଦେବାକୁ ସରକାର ଯୋଜନା କରିଛନ୍ତି। କିଛି କ୍ରୀଡ଼ାକୁ ଛାତ୍ରାବାସରୁ ବାଦ୍‌ ଦିଆଯାଉଥିଲା ବେଳେ ୧୮ ବର୍ଷ ପରେ ଖେଳାଳିଙ୍କୁ ହଷ୍ଟେଲ୍‌ରେ ରଖାନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହାକୁ ରାଜ୍ୟର ଅଧିକାଂଶ କ୍ରୀଡ଼ା ସଂଘ ବିରୋଧ କରିଛନ୍ତି। ଏସଂକ୍ରାନ୍ତରେ ଏକ ମିଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ଛାତ୍ରାବାସରୁ ବାହାରୁଥିବା ଖେଳାଳିମାନେ ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି। ଯଦି ଛାତ୍ରାବାସ ବନ୍ଦ ହୋଇଯାଏ ଏହାର ସିଧାସଳଖ ପ୍ରଭାବ ସେହି ପ୍ରତିଭାବାନ ଖେଳାଳିଙ୍କ ଉପରେ ପଡ଼ିବ। ଏଥିସହ ଯେଉଁ ବୟସ ମାନଦଣ୍ଡ ନିର୍ଧାରଣ କରାଯାଇଛି ଏହାଦ୍ବାରା ଅନେକ ପ୍ରତିଭାବାନ ଖେଳାଳି ଉଚ୍ଚସ୍ତରରେ ଖେଳିବାରୁ ବଞ୍ଚିତ ହେବେ। ଛାତ୍ରାବାସ ଅନ୍ତେବାସୀଙ୍କୁ ଗୁଣାତ୍ମକ ପ୍ରଶିକ୍ଷଣ ମିଳିବା କଷ୍ଟକର ହୋଇପଡ଼ିବ ବୋଲି କ୍ରୀଡ଼ା ସଂଘମାନେ ଅଭିଯୋଗ କରିଛନ୍ତି। ଛାତ୍ରାବାସ ବନ୍ଦ କରିବା ଅପେକ୍ଷା ଅଧିକ ଛାତ୍ରାବାସ ଖୋଲିଲେ ଏବଂ ପ୍ରଶିକ୍ଷକ, କର୍ମଚାରୀ ନିଯୁକ୍ତି ଦେଲେ ଓଡ଼ିଶା ଆନ୍ତର୍ଜାତିକସ୍ତରରେ କ୍ରୀଡ଼ା କ୍ଷେତ୍ରରେ ଅଧିକ ଗୁରୁତ୍ବ ବହନ କରିପାରିବ ବୋଲି କୁହାଯାଇଛି। ଏଥିସହିତ କୌଣସି କ୍ରୀଡ଼ା ଯୋଜନା କିମ୍ବା କ୍ରୀଡ଼ା ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଉଥିଲା ବେଳେ କ୍ରୀଡ଼ାବିତ୍‌, କ୍ରୀଡ଼ା ସଂଗଠନ କିମ୍ବା କ୍ରୀଡ଼ା ସଂଘମାନଙ୍କର ମତାମତକୁ ବିଚାରକୁ ନିଆଯାଉ ବୋଲି ଦାବି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିବା ଦାବିପତ୍ରରେ ଓଡ଼ିଶା ଅଲିମ୍ପିକ ସଂଘ, ଓଡ଼ିଶା ଫୁଟବଲ ସଂଘ, ଓଡ଼ିଶା ଜିମ୍ନାଷ୍ଟିକ ସଂଘ, ଓଡ଼ିଶା ରାଜ୍ୟ ହ୍ୟାଣ୍ଡବଲ ସଂଘ, ହକି ଓଡ଼ିଶା, ଓଡ଼ିଶା ରୋଇଂ ଓ ସ୍କଲିଂ ସଂଘ, ଓଡ଼ିଶା କୁସ୍ତି ସଂଘ, ଓଡ଼ିଶା କବାଡ଼ି ସଂଘ, ଓଡ଼ିଶା ତୀରନ୍ଦାଜି ସଂଘ, ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସଂଘ, ଓଡ଼ିଶା ବକ୍ସିଂ ସଂଘ, ଓଡ଼ିଶା ଭଲିବଲ ସଂଘ, ଓଡ଼ିଶା ବାସ୍କେଟବଲ ସଂଘ, ଓଡ଼ିଶା ଜୁଡ଼ୋ ସଂଘ, ଓଡ଼ିଶା ଭା‌ରୋ‌ତ୍ତୋଳନ ସଂଘ, ଓଡ଼ିଶା ଦୌଡ଼କୁଦ ସଂଘର ସମ୍ପାଦକମାନେ ମିଳିତ ସ୍ବାକ୍ଷର କରିଛନ୍ତି। ଏହାର ନକଲ କ୍ରୀଡ଼ାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କ୍ରୀଡ଼ା ସଚିବ, ୫ଟି ସଚିବ, କ୍ରୀଡ଼ା ନିର୍ଦ୍ଦେଶକଙ୍କ ପାଖକୁ ମଧ୍ୟ ପଠାଯାଇଛି।

ସମ୍ବନ୍ଧିତ ଖବର