ଭୁବନେଶ୍ୱର: ରାଜ୍ୟ ଉପକନିଷ୍ଠ (୧୫ ବର୍ଷ ଓ ୧୭ ବର୍ଷରୁ କମ୍) ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତା ପୋଖରୀପୁଟସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଉଦ୍‌ଯାପିତ ହୋଇଯାଇଛି। ହର୍ଷିତ ପ୍ରିୟଦର୍ଶୀ ତ୍ରିମୁକୁଟ ପାଇଥିବ‌ା ବେଳେ ନିମିଷା ଓଝା ଓ ସୌମ୍ୟଜିତ୍ ଦ୍ବିମୁକୁଟ ଅର୍ଜନ କରିଛନ୍ତି। ୧୫ ବର୍ଷରୁ କମ୍ ବର୍ଗରେ କଟକର ହର୍ଷିତ ପ୍ରିୟଦର୍ଶୀ ବେହେରା ସମ୍ବଲପୁରର ଅୟଙ୍କ କୁମାର ସାହୁଙ୍କୁ ଏକକ ଫାଇନାଲରେ ୨୧-୧୧, ୧୬-୨୧ ଓ ୨୧-୧୬ରେ ପରାସ୍ତ କରିଥିଲେ। ଯୁଗଳରେ ହର୍ଷିତ-ଅୟଙ୍କ କୁମାର ସାହୁଙ୍କ ୨୩-୨୫, ୨୧-୧୬ ଓ ୨୧-୧୩ରେ ନୀତେଶ ପଟ୍ଟନାୟକ ଓ ସାଇ ଚନ୍ଦନ ମହାନ୍ତିଙ୍କୁ ପରାସ୍ତ କରିଥିଲେ। ମିଶ୍ରିତ ଯୁଗଳରେ ହର୍ଷିତ ପ୍ରିୟଦର୍ଶୀ ଓ ଆଦ୍ୟାଶା ମହନ୍ତ ୨୧-୧୫, ୧୮-୨୧, ୨୧-୧୬ରେ ଅୟଙ୍କ ସାହୁ ଓ ମୁସ୍କାନ ପଣ୍ଡାଙ୍କୁ ପରାସ୍ତ କରିଥିଲେ। ୧୭ ବର୍ଷରୁ କମ୍ ବାଳକ ଏକକରେ ଖୋର୍ଦ୍ଧାର ସୌମ୍ୟଜିତ ସାହୁ ନିଜ ଜିଲ୍ଲାର ବାପୁନ ରାଉତଙ୍କୁ ସିଧାସଳଖ ୨୧-୧୩, ୨୧-୧୭ରେ ପରାସ୍ତ କରି ବିଜେତା ହୋଇଥିଲେ। ମିଶ୍ରିତ ଯୁଗଳରେ ସୌମ୍ୟଜିତ ଭଦ୍ରକର ଜେସିକା ସାହୁଙ୍କୁ ସାଥୀ କରି ୨୧-୧୮, ୨୧-୧୪ରେ ଅଂଶୁମାନ ସିଂହ ଓ ଅଂଶିକା ବିରୋକଙ୍କୁ ହରାଇ ଦେଇଥିଲେ। 

Advertisment

ଖୋର୍ଦ୍ଧାର ନିମିଷା ଓଝା ୧୫ ବର୍ଷରୁ କମ୍ ବାଳିକା ଏକକ ଫାଇନାଲରେ କଟକର ସ୍ୱାତୀ ନାୟକଙ୍କୁ ୨୧-୧୬, ୧୮-୨୧ ଓ ୨୧-୧୫ ରେ ପରାସ୍ତ କରିଥିଲେ। ବାଳିକା ଯୁଗଳ ଫାଇନାଲରେ ସ୍ୱାତୀ ନାୟକଙ୍କୁ ସାଥୀ କରି ନିମିଷା ଓଝା ୨୧-୪ ଓ ୨୧-୯ରେ ବୁଡୁପୁ ଲକ୍ଷ୍ମୀ ରେଡ୍ଡୀ ଓ ରୀତିକା ଦାଶଙ୍କୁ ହରାଇ ଦେଇଥିଲେ। ୧୭ ବର୍ଷରୁ କମ୍ ବାଳିକା ଏକକ ଫାଇନାଲରେ କଟକର ସ୍ୱାତୀ ନାୟକ ୨୧-୧୭, ୧୮-୨୧ ଓ ୨୧-୮ରେ ନିମିଷା ଓଝାଙ୍କୁ  ହରାଇ ଦେଇଥିଲେ। ଏହି ବୟସ ବର୍ଗର ବାଳକ ଯୁଗଳରେ ଖୋର୍ଦ୍ଧା-ସମ୍ବଲପୁର ଯୋଡ଼ି ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ୨୧-୧୮, ୨୨-୨୦ରେ ସୌମ୍ୟଜିତ ସାହୁ ଓ ବିଭୁଦତ୍ତ ବିଶ୍ୱାଳଙ୍କୁ ହରାଇ ବିଜେତା ହୋଇଥିଲେ।

ସୋମବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବ ସେବା ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସ୍‌ବା ସଂପାଦକ ନିଲୀନ କୁମାର, ଆୟୋଜନ କମିଟି ସଂପାଦକ କମଳ ଦାଶ ଓ ଅଜିତ ମହାନ୍ତି, ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଶିବମ୍ ଅଗ୍ରୱାଲ, କାର୍ଯ୍ୟକାରିଣୀ ସଦସ୍ୟ ଦୀପକ ରଂଜନ ମହାନ୍ତି, ପ୍ରତିଯୋଗିତାର ନିର୍ଦ୍ଦେଶକ ଶୁଭମ ନାୟକ, ମୁଖ୍ୟ ରେଫରି ରୀତା ଦାଶ, ସଂଯୋଜକ ଜୟ ପ୍ରକାଶ ଜେନା ଓ ତାରାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।