ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଶ୍ରୀଶଙ୍କରଙ୍କୁ ଐତିହାସିକ ରୌପ୍ୟ, ପଦକ ପକ୍କା କଲେ ପଙ୍ଘଲ, ଯସ୍ମିନ, ସାଗର
ହାମର ଥ୍ରୋ ଫାଇନାଲ୍ରେ ମଞ୍ଜୁ, ୨୦୦ ମିଟର ସେମିରେ ହିମା
ବର୍ମିଂହାମ: ଲଙ୍ଗ ଜମ୍ପର୍ ମୁରଲୀ ଶ୍ରୀଶଙ୍କର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି। ଗୁରୁବାର ଲମ୍ବ ଡିଆଁରେ ଜାତୀୟ କୀର୍ତ୍ତିମାନଧାରୀ ଶ୍ରୀଶଙ୍କର ୮.୦୮ ମିଟର ଲମ୍ଫ ମାରି ଦ୍ବିତୀୟ ସ୍ଥାନରେ ରହି ଏହି ପଦକ ହାସଲ କରି ନେଇଛନ୍ତି। ସେ ପଞ୍ଚମ ପ୍ରୟାସରେ ଏହି ମାର୍କ ଛୁଇଁଥିଲେ। ସ୍ବର୍ଣ୍ଣ ଜିତିଥିବା ବାହାମାସର ନାଇରିନ ଲାକ୍ବାନ (୮.୦୮ମିଟର୍) ସମାନ ମାର୍କ ଛୁଇଁଥିଲେ ମଧ୍ୟ ଦ୍ବିତୀୟ ଶ୍ରେଷ୍ଠ ଡିଆଁରେ ଶ୍ରୀଶଙ୍କର ପଛରେ ପଡ଼ି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ଦକ୍ଷିଣ ଆଫ୍ରିକାର ଜୁଭାନ ଭାନ୍ ଭୁରେନ (୮.୦୬) କାଂସ୍ୟ ଜିତିଥିଲେ। ଏହି ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ମହମ୍ମଦ ଅନିସ ୟାହିୟା (୭.୯୭ ମିଟର) ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ୨୩ ବର୍ଷୀୟ କେରଳୀ ଯୁବକ ଶ୍ରୀଶଙ୍କର ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲମ୍ବ ଡିଆଁରେ ରୌପ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ୪୪ ବର୍ଷ ପରେ ଜଣେ ଭାରତୀୟ ପୁରୁଷ ଲଙ୍ଗ ଜମ୍ପର୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତ ପାଇଁ ପଦକ ଜିତିଛନ୍ତି। ୧୯୭୮ରେ ସୁରେଶ ବାବୁ କାଂସ୍ୟ ପଦକ ଜିତିବା ପରେ ଏହି ସଫଳତା ମିଳିଛି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଟ୍ରାକ୍ ଆଣ୍ଡ ଫିଲ୍ଡରେ ଭାରତର ଏହା ଦ୍ବିତୀୟ ପଦକ। ବୁଧବାର ଉଚ୍ଚ ଡିଆଁରେ ତେଜସ୍ବିନ ଶଙ୍କର କାଂସ୍ୟ ପଦକ ଜିତିଥିଲେ। ଏଥିସହ ଭାରତର ମୋଟ ପଦକ ୧୯ରେ ପହଞ୍ଚିଛି। ୫ ସ୍ବର୍ଣ୍ଣ, ୭ ଲେଖାଏଁ ରୌପ୍ୟ ଓ କାଂସ୍ୟ ମିଳିଛି। ତଥାପି ଭାରତ ଏବେ ସପ୍ତମରେ ସଂଘର୍ଷ କରୁଛି।
ମୁଷ୍ଟି ଯୁଦ୍ଧରୁ ଆଉ ୪ ପଦକ ପକ୍କା
ବର୍ମିଂହାମ: ଭାରତ ମୁଷ୍ଟିଯୁଦ୍ଧରୁ ଆଉ ୪ ପଦକ ଜିତିବା ନିଶ୍ଚିତ ହୋଇଛି। ଫ୍ଲାଏୱେଟ୍ (୪୮ରୁ ୫୧ କିଲୋଗ୍ରାମ) ମୁଷ୍ଟିଯୁଦ୍ଧର କ୍ବାର୍ଟର ଫାଇନାଲ୍ରେ ସ୍କଟଲାଣ୍ଡର ଲେନନ ମୁଲିଗାନଙ୍କୁ ପରାସ୍ତ କରି ସୁମିତ ପଙ୍ଘଲ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ତା’ ସହ ମୁଷ୍ଟିଯୁଦ୍ଧରୁ ଭାରତ ପାଇଁ ଆଉ ଏକ ପଦକ ପକ୍କା କରି ନେଇଛନ୍ତି। ୨୬ ବର୍ଷୀୟ ପଙ୍ଗଲ ୨୦ ବର୍ଷୀୟ ମୁଲିଗାନଙ୍କ ପାଇଁ ସଂପୂର୍ଣ୍ଣ ଭାରୀ ପଡ଼ିଥିଲେ। ଶେଷରେ ୫ଜଣ ଯାକ ବିଚାରକ ସର୍ବସମ୍ମତିକ୍ରମେ ପଙ୍ଘଲଙ୍କୁ ବିଜୟୀ ଘୋଷଣା କରିଥିଲେ। ୨୦୧୮ ମସିହାର ଗତ ସଂସ୍କରଣରେ ପଙ୍ଘଳ ରୌପ୍ୟ ପଦକ ଜିତିଥିଲେ। ସେହିଭଳି ମହିଳା ଲାଇଟୱେଟ୍ ମୁଷ୍ଟିଯୁଦ୍ଧରେ ଭାରତର ଯସ୍ମିନ ଲାମ୍ବୋରିୟା ମଧ୍ୟ ପଦକ ପକ୍କା କରିଛନ୍ତି। କ୍ବାର୍ଟର ଫାଇନାଲ୍ରେ ନ୍ୟୁଜିଲାଣ୍ଡର ଟ୍ରୟ ଗାର୍ଟନଙ୍କୁ ହରାଇଛନ୍ତି ସେ। ପୂର୍ବରୁ ନିଖତ ଜରିନ (୫୦ କିଲୋଗ୍ରାମ), ନିତୁ ଗଙ୍ଘାସ (୪୮ କିଲୋଗ୍ରାମ) ଓ ମହମ୍ମଦ ହୁସାମୁଦ୍ଦିନ (୫୭ କିଲୋଗ୍ରାମ) ମଧ୍ୟ ନିଜ ନିଜ ବର୍ଗର ସେମିଫାଇନାଲ୍ ଯାଇ ପଦକ ପକ୍କା କରିସାରିଛନ୍ତି।
ମୁଷ୍ଟିଯୁଦ୍ଧରେ ସାଗର ଆହ୍ଲାୱତ ମଧ୍ୟ ଭାରତ ପାଇଁ ପଦକ ସୁନିଶ୍ଚିତ କରିଛନ୍ତି। ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ କ୍ବାର୍ଟର ଫାଇନାଲ୍ରେ ସାଗର ପୁରୁଷ ହେଭିୱେଟ୍ ବର୍ଗରେ ସିସେଲ୍ସର କେଡି ଇଭାନ୍ସ ଆଗନେସ୍ଙ୍କୁ ଏକତରଫା ଭାବେ ୫-୦ରେ ପରାସ୍ତ କରିଥିଲେ। ସାଗର ସେମିଫାଇନାଲ୍ରେ ପ୍ରବେଶ କରିବା ପରେ ତାଙ୍କୁ ମିଶାଇ ୬ ଜଣ ଭାରତୀୟ ମୁଷ୍ଟିଯୋଦ୍ଧା ପଦକ ସୁନିଶ୍ଚିତ କରିଛନ୍ତି। ମୁଷ୍ଟିଯୁଦ୍ଧରେ ରୋହିତ ଟୋକାସ ମଧ୍ୟ ଭାରତ ପାଇଁ ପଦକ ସୁନିଶ୍ଚିତ କରିଛନ୍ତି। ଗୁରୁବାର ରାତିରେ ଅନୁଷ୍ଠିତ ପୁରୁଷ ୬୭ କେଜି ୱେଲଟରୱେଟ୍ କ୍ବାର୍ଟର ଫାଇନାଲ୍ରେ ରୋହିତ ଏକତରଫା ଭାବେ ୫-୦ରେ ନ୍ୟୁର ଜାଭିୟର ମାତାଫା-କିନୋପୋନ୍ୟୁଙ୍କୁ ପରାସ୍ତ କରିଥିଲେ। ରୋହିତ ସେମିଫାଇନାଲ୍ରେ ପ୍ରବେଶ କରିବା ପରେ ତାଙ୍କୁ ମିଶାଇ ୭ ଜଣ ଭାରତୀୟ ମୁଷ୍ଟିଯୋଦ୍ଧା ପଦକ ସୁନିଶ୍ଚିତ କରିଛନ୍ତି।
ହାମର ଥ୍ରୋ ଫାଇନାଲ୍ରେ ମଞ୍ଜୁ
ଭାରତର ମଞ୍ଜୁ ବାଳା ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହାମର ଥ୍ରୋ’ର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଅନ୍ୟତମ ଭାରତୀୟ ସରିତା ଦେବୀ କିନ୍ତୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୩୩ ବର୍ଷୀୟା ମଞ୍ଜୁ ବାଳା ଯୋଗ୍ୟତାପର୍ଯ୍ୟାୟ ରାଉଣ୍ଡ୍ରେ ଏକାଦଶ ସ୍ଥାନରେ ରହିଥିଲେ। ନିଜ ପ୍ରଥମ ପ୍ରୟାସରେ ସେ ବ୍ୟକ୍ତିଗତ ଭାବେ ୫୯.୬୮ ମିଟରର ଶ୍ରେଷ୍ଠ ଥ୍ରୋ ଲାଭ କରିଥିଲେ। ଅନ୍ୟପକ୍ଷରେ ୫୭.୪୮ ମିଟରର ଶ୍ରେଷ୍ଠ ଥ୍ରୋ’ ସହ ଯୋଗ୍ୟତାପର୍ଯ୍ୟାୟର ତ୍ରୟୋଦଶ ସ୍ଥାନରେ ରହି ସରିତା ଫାଇନାଲକୁ ଯିବାରୁ ବଞ୍ଚିତ ହୋଇଥିଲେ। ନିୟମ ଅନୁସାରେ ଶ୍ରେଷ୍ଠ ୧୨ ଜଣ ହିଁ ଫାଇନାଲ୍ ଟିକେଟ ହାସଲ କରନ୍ତି। ଫାଇନାଲ୍ ଶନିବାର ଅନୁଷ୍ଠିତ ହେବ। ଯୋଗ୍ୟତାପର୍ଯ୍ୟାୟରେ ୭୪.୬୮ ମିଟର ଦୂରତାକୁ ହାମର ଫିଙ୍ଗି କାନାଡାର କ୍ୟାମରିନ ରୋଜର୍ସ ନୂଆ ରାଜ୍ୟଗୋଷ୍ଠୀ କୀର୍ତ୍ତିମାନ ସ୍ଥାପନ କରିଥିଲେ।
୨୦୦ ମିଟର ସେମିରେ ହିମା
ଭାରତୀୟ ଧାବିକା ହିମା ଦାସ ମଧ୍ୟ ଗୁରୁବାର ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାକ୍ରେ ନିଜ ଛାପ ଛାଡ଼ିଛନ୍ତି। ୨୦୦ ମିଟର ହିଟ୍ରେ ୨୩.୪୨ ସେକେଣ୍ଡ ଟାଇମିଂ ସହ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି ସେ। ୫ଜଣିଆ ହିଟ୍ରେ ହିମା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଗୁଆ ରହିଥିଲେ। ଜାମ୍ବିଆର ରୋଡା ନୋବଭୁ (୨୩.୮୫) ଏବଂ ଉଗାଣ୍ଡାର ଜାସେଣ୍ଟ ନ୍ୟାମହୁଙ୍ଗେ (୨୪.୦୭) ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ହିମା ହିଟ୍-୨ରେ ବିଜୟିନୀ ହୋଇଥିଲେ ମଧ୍ୟ ଯୋଗ୍ୟତାପର୍ଯ୍ୟାୟରେ ନାଇଜେରିଆର ଫେଭର ଓଫିଲି (୨୨.୭୧ ସେକେଣ୍ଡ) ଏବଂ ଏଲାନି-ଥମ୍ପସନ୍-ହେରାଥ (୨୨.୮୦) ତାଙ୍କଠାରୁ ଭଲ ଟାଇମିଂ ସହ ସେମିଫାଇନାଲ୍ ଯାଇଛନ୍ତି। କେବଳ ସେତିକି ନୁହେଁ ମୋଟ ଉପରେ ୬ ଜଣ ଧାବିକା ତାଙ୍କଠାରୁ ଉନ୍ନତ ଟାଇମିଂ ଲାଭ କରିଛନ୍ତି।
ସିନ୍ଧୁ, ଶ୍ରୀକାନ୍ତ ଆଗେଇଲେ
ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ନିଜ ନିଜ ଏକକ ମ୍ୟାଚ୍ ଜିତି ପ୍ରି-କ୍ବାର୍ଟର ଫାଇନାଲକୁ ଯାଇଛନ୍ତି। ଦୁଇଥର ଅଲିମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ୨୧-୪, ୨୧-୧୧ରେ ମାଳଦ୍ବୀପର ଫାତିମା ନବା ଅବଦୁଲ ରଜାକଙ୍କୁ ପରାସ୍ତ କରିଥିଲେ। ସେହିଭଳି ଶ୍ରୀକାନ୍ତ ୨୧-୯, ୨୧-୯ରେ ଉଗାଣ୍ଡାର ଡାନିଏଲ ୱାନାଗଲିଆଙ୍କୁ ଧରାଶାୟୀ କରିଥିଲେ। ମିଶ୍ରିତ ଯୁଗଳରେ କିନ୍ତୁ ଇଂଲଣ୍ଡର କାଲମ ହେମିଂ-ଜେସିକା ପଗଙ୍କଠାରୁ ୨୧-୧୮, ୨୧-୧୬ରେ ସୁମିତ ରେଡ୍ଡୀ ଓ ଅଶ୍ବିନ ପୋନାପ୍ପା ହାରି ବିଦାୟ ନେଇଥିଲେ। ଏହା ପୂର୍ବରୁ ଭାରତୀୟ ବ୍ୟାଡମିଣ୍ଟନ୍ ଦଳ ମିଶ୍ରିତ ଦଳଗତ ବର୍ଗରେ ରୌପ୍ୟ ପଦକ ଜିତି ସାରିଛି।
ଗୁରଦୀପଙ୍କୁ କାଂସ୍ୟ
ଭାରତୀୟ କ୍ରୀଡ଼ାତାରକା ଭାରୋତ୍ତୋଳନରେ କମାଲ କରିଚାଲିଛନ୍ତି। ବୁଧବାର ୧୦୯ରୁ ଅଧିକ ବର୍ଗରେ ଗୁରଦୀପ ସିଂହ କାଂସ୍ୟ ଜିତିଛନ୍ତି। ଫଳରେ ଭାରୋତ୍ତୋଳନରୁ ଭାରତର ପଦକ ସଂଖ୍ୟା ୯କୁ ବଢ଼ିଛି। ସେଥିମଧ୍ୟରେ ରହିଛି ୩ ସ୍ବର୍ଣ୍ଣ। ଗୁରଦୀପ ୩୯୦ କିଲୋଗ୍ରାମ (ସ୍ନାଚ୍-୧୬୭ କିଲୋଗ୍ରାମ, କ୍ଲିନ୍ ଆଣ୍ଡ ଜର୍କ ୨୨୩ କିଲୋଗ୍ରାମ) ଭାର ଉଠାଇ ତୃତୀୟ ସ୍ଥାନରେ ରହିଥିଲେ। ପାକିସ୍ତାନର ମହମ୍ମଦ ବଟ୍ଟ ୪୦୫ (୧୭୩ ସ୍ନାଚ୍ ଏବଂ ୨୩୨ କ୍ଲିନ୍ ଆଣ୍ଡ ଜର୍କ) କେଜି ଉଠାଇ ସ୍ବର୍ଣ୍ଣ ଜିତିଥିଲା ବେଳେ ନ୍ୟୁଜିଲାଣ୍ଡର ଡେଭିଡ୍ ଆଣ୍ଡ୍ର୍ୟୁ (୩୯୪ କେଜି) ରୌପ୍ୟ ଜିତିଥିଲେ।
ତେଜସ୍ବିନ ଜିତିଲେ କାଂସ୍ୟ
ବର୍ମିଂହାମ, ୪ା୮: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥ୍ଲେଟ୍ରେ ତେଜସ୍ବିନ ଶଙ୍କର ବୁଧବାର ଭାରତକୁ ପ୍ରଥମ ପଦକ ଭେଟି ଦେଇଛନ୍ତି। ପୁରୁଷ ଉଚ୍ଚ ଡିଆଁରେ ସେ ୨.୨୨ ମିଟର ଡେଇଁ କାଂସ୍ୟ ପଦକ ଜିତିଥିଲେ। ରାଜ୍ୟଗୋଷ୍ଠୀ ଉଚ୍ଚ ଡିଆଁରେ ପଦକ ଜିତିବାରେ ତେଜସ୍ବିନ ପ୍ରଥମ ଭାରତୀୟ ହୋଇଛନ୍ତି। ନ୍ୟୁଜିଲାଣ୍ଡର ହାମିସ କାର (୨.୨୮ ମିଟର) ସ୍ବର୍ଣ୍ଣ ଏବଂ ଅଷ୍ଟ୍ରେଲିଆର ବ୍ରାଣ୍ଡନ ଷ୍ଟାର୍କ (୨.୨୮ ମିଟର) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲେ।