ଭୁବନେଶ୍ବର: ତିନିଦିନ ଧରି ଚାଲିଥିବା ୭୦ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍‌ରେ ଉଦ୍‌ଯାପିତ ହୋଇଛି। ଏହି ପ୍ରତିଯୋଗିତାରେ କଟକ ମୋଟ୍‌ ୩୧୨ ପଏଣ୍ଟ ପାଇ ଦଳଗତ ବିଜେତା ହୋଇଥିଲା ବେଳେ ସୁନ୍ଦରଗଡ଼ ୨୦୦ ପଏଣ୍ଟ ସହ ଉପବିଜେତା ହୋଇଛି। ଓଡ଼ିଶା ପୁଲିସ୍‌ ବରିଷ୍ଠ ବର୍ଗର ଉଭୟ ପୁରୁଷ (୭୪ ପଏଣ୍ଟ) ଓ ମହିଳା (୬୫ ପଏଣ୍ଟ) ରେ ବିଜେତା ହୋଇଛି। ଅନ୍ୟ ବର୍ଗଗୁଡ଼ିକ ମଧ୍ୟରେ ୨୦ ବର୍ଷରୁ କମ୍‌ ବାଳିକାରେ ସୁନ୍ଦରଗଡ଼ (୮୬ ପଏଣ୍ଟ), ବାଳକରେ କଟକ (୬୧ ପଏଣ୍ଟ), ୨୩ ବର୍ଷରୁ କମ୍‌ ବାଳିକାରେ ସୁନ୍ଦରଗଡ଼ (୩୭ ପଏଣ୍ଟ), ବାଳକରେ କଟକ (୮୦ ପଏଣ୍ଟ) ବିଜେତା ହୋଇଛନ୍ତି। ତିନିଦିନ ମଧ୍ୟରେ ମୋଟ୍‌ ୨୨ ମିଟ୍‌ କୀର୍ତ୍ତିମାନ ସ୍ଥାପନ ହୋଇଛି। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶା ଦୌଡ଼କୁଦ ସଂଘ ସଭାପତି ଜିଏସ୍‌ ପଟ୍ଟନାୟକ, ସଂପାଦକ ଆଶୀର୍ବାଦ ବେହେରା, ହକି ପ୍ରମୋସନାଲ୍‌ କାଉନସିଲ୍‌ ଅଫ୍‌ ଓଡ଼ିଶାର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। 

Advertisment

ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ଶେଷ ଦିନରେ ୧୩ ନୂଆ ମିଟ୍‌ ରେକର୍ଡ ସ୍ଥାପନ ହୋଇଛି। ପ୍ରଥମ ଦିନ ୫ ଓ ଦ୍ବିତୀୟ ଦିନ ୪ ନୂଆ ମିଟ୍‌ ରେକର୍ଡ ହୋଇଥିବାରୁ ମୋଟ୍‌ ‌୨୨ଟି ରେକର୍ଡ ହୋଇଛି। ପୁରୁଷ ଡିସ୍‌କସ୍‌ରେ ହରି‌ ବେହେରା, ୧୫୦୦ ମିଟର ଦୌଡ଼ରେ ଅଶୋକ ଦଣ୍ଡସେନା, ମହିଳା ହାମରଥ୍ରୋରେ ଦିବ୍ୟା ସାଣ୍ଡିଲ୍ୟ, ୩୦୦୦ ମିଟର ଷ୍ଟିପଲ୍‌ଚେସ୍‌ରେ ପୂଜା ବେହେରା, ସୁସ୍ମିତା ଟିଗା ନୂଆ ମିଟ୍‌ ରେକର୍ଡ କରିଛନ୍ତି। ସେହିପରି ୨୦ ବର୍ଷରୁ କମ୍‌ ବାଳକ ୫୦୦୦ ମିଟର ଦୌଡ଼ରେ ପ୍ରଦୀପ ମହାନ୍ତ, ଟ୍ରିପଲ୍‌ ଜମ୍ପ୍‌ରେ ସ୍ବାଗତ କୁମାର ବେହେରା, ପୋଲ୍‌ଭଲ୍ଟରେ ଦୁର୍ଗା କିସ୍‌କୁ, ୨୦ ବର୍ଷରୁ କମ୍‌ ବାଳିକା ଜାଭଲିନ୍‌ରେ ପି ଅର୍ପିତା ଅର୍ଚ୍ଚନା ସାହୁ, ୨୩ ବର୍ଷରୁ କମ୍‌ ବାଳକ ଉଚ୍ଚଡିଆଁରେ ନିଖିଳ ଦାସ, ୪୦୦ ମିଟର ଦୌଡ଼ରେ ପଞ୍ଚାନନ ବିଭାର, ସଟ୍‌ପୁଟ୍‌ରେ ଚିରଞ୍ଜିବୀ ସିଂହଂ, ଜାଭଲିନ୍‌ରେ ସୁନାରାମ ମୁର୍ମୁ, ୧୦୦ ମିଟର ଦୌଡ଼ ଓ ୨୦୦ ମିଟର ଦୌଡ଼ରେ ଅନିମେଶ କୁଜୁର, ଡିସ୍‌କସ୍‌ରେ ନିର୍ମଳ ଜେନା, ହାମରଥ୍ରୋରେ ଜ୍ୟୋତି ପ୍ରକାଶ ନାୟକ, ୨୩ ବର୍ଷରୁ କମ୍‌ ବାଳିକା ଜାଭଲିନ୍‌ରେ ଧନମତୀ ଖେସ୍‌, ୪୦୦ ମିଟର ବାଧାଦୌଡ଼ରେ ଜିତା ପାତ୍ର, ହାମରଥ୍ରୋରେ ନିକିତା ପୂର୍ବିୟା, ଟ୍ରିପଲ୍‌ ଜମ୍ପ୍‌ରେ ମାରିମୁକ୍ତା ସୋରେଙ୍ଗ, ଡିସ୍‌କସ୍‌ରେ ଅର୍ପିତା ପରିଡ଼ା ମିଟ୍‌ ରେକର୍ଡ କରିଛନ୍ତି।