ରାଜ୍ୟ ମାନ୍ୟତା ଟିଟି, ଶ୍ବେତପଦ୍ମାଙ୍କୁ ତ୍ରିମୁକୁଟ; ସାହିଲଙ୍କୁ ଦ୍ବିମୁକୁଟ

ଭୁବନେଶ୍ବର: ଖୋର୍ଧା ଜିଲ୍ଲା ଟେବୁଟ ଟେନିସ୍‌ (ଟିଟି) ସଂଘ ଆନୁକୂଲ୍ୟରେ ସହିଦନଗର ଇନ୍‌ଡୋର ହଲ୍‌ରେ ଆୟୋଜିତ ତ୍ରୟୋଦଶ ରାଜ୍ୟ ମାନ୍ୟତା ପ୍ରତିଯୋଗିତାରେ ଶ୍ବେତପଦ୍ମା ଦଳାଇ ତ୍ରିମୁକୁଟ ହାସଲ କରିଥିଲା ବେଳେ ସାହିଲ ସୁମନ ଭୂୟାଁ ଦ୍ବିମୁକୁଟ ପାଇଛନ୍ତି। ଶ୍ବେତପଦ୍ମା କ୍ୟାଡେଟ୍‌, ଉପକନିଷ୍ଠ ଓ କନିଷ୍ଠ ବାଳିକା ବର୍ଗରେ ବିଜେତା ଟ୍ରଫି ହାତେଇଥିଲା ବେଳେ ସାହିଲ ଉପକନିଷ୍ଠ ଓ କନିଷ୍ଠ ବାଳକ ବର୍ଗରେ ବିଜେତା ହୋଇଛନ୍ତି। ଅନ୍ୟପକ୍ଷରେ ଆୟନ ମୁସ୍ତାକ୍‌ କ୍ୟାଡେଟ୍‌ ବାଳକ ବିଜେତା ହୋଇଛନ୍ତି। ଆୟନ୍‌ ଫାଇନାଲ୍‌ରେ ଅର୍ଚ୍ଚିତ୍‌ ବେହେରାଙ୍କୁ ୩-୧ରେ ପରାସ୍ତ କରି ଟ୍ରଫି ହାସଲ କରିଥିଲେ। ଶ୍ବେତପଦ୍ମା କ୍ୟାଡେଟ୍‌ ଫାଇନାଲ୍‌ରେ ସ୍ବସ୍ତିକା ଆଦାବରଙ୍କୁ ୩-୦, ଉକପନିଷ୍ଠରେ ସୁଶ୍ରୀ ପଟ୍ଟନାୟକଙ୍କୁ ୪-୦ ଏବଂ କନିଷ୍ଠ ଫାଇନାଲ୍‌ରେ ସୁଶ୍ରୀଙ୍କୁ ୪-୨ରେ ପରାସ୍ତ କରି ତିନିଟି ଟ୍ରଫି ଜିତି ନେଇଥିଲା ବେଳେ ସାହିଲ ଉପକନିଷ୍ଠ ଫାଇନାଲ୍‌ରେ ଦ୍ବାରିକାନାଥ ସ୍ବାଇଁଙ୍କୁ ୪-୧ ଓ କନିଷ୍ଠ ଫାଇନାଲ୍‌ରେ ଅବିନାଶ ତ୍ରିପାଠୀଙ୍କୁ ୪-୦ରେ ପରାସ୍ତ କରି ଦୁଇଟି ଟ୍ରଫି କରାୟତ କରିଛନ୍ତି। ସୁରେଶ ଚନ୍ଦ୍ର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲା ବେଳେ ପ୍ରଦୀପ କୁମାର ସାମନ୍ତରାୟ, ସ୍ମୃତିରଞ୍ଜନ ଦାସ, ଶଶାଙ୍କ ମହାପାତ୍ର, ବିଜନ ଦାସମହାପାତ୍ର, ରମାକାନ୍ତ ସାହୁ, ଅଶୋକ କୁମାର ପାଣି, ନିରଞ୍ଜନ ସେଠୀ ଓ ନରେନ୍ଦ୍ର କୁମାର ପାଲ୍‌ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର