ରାଜ୍ୟ ଭଲିବଲ୍‌ ଆରମ୍ଭ, କଟକ, କିଟ୍‌କୁ ଯୁଗଳ ବିଜୟ

ଭୁବନେଶ୍ବର: ପାରାଦୀପ ପୋର୍ଟ ଗୋପବଂଧୁ ଷ୍ଟାଡିୟମ୍‌ରେ ଶନିବାରଠାରୁ ୬୮ତମ ରାଜ୍ୟ ଅନ୍ତଃଜିଲ୍ଲା ବରିଷ୍ଠ ଭଲିବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନ ଉଭୟ ପୁରୁଷ ଓ ମହିଳା ବର୍ଗରେ ବିଜୟୀ ହୋଇ କଟକ ଏବଂ କିଟ୍ ଦଳ ଯୁଗଳ ସଫଳତାରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁରୁଷରେ କଟକ ୨-୦‌ ସେଟ୍‌ରେ ଦେବଗଡ଼କୁ ଏବଂ କିଟ୍‌ କେନ୍ଦ୍ରାପଡ଼ାକୁ ସମାନ ୨-୦ରେ ପରାସ୍ତ କରିଥିଲା। ମହିଳାରେ କଟକ ୨-୦ରେ ଗଞ୍ଜାମକୁ ଏବଂ କିଟ୍‌ ୨-୦ରେ ସେହି କେନ୍ଦ୍ରାପଡ଼ାକୁ ସମାନ ବ୍ୟବଧାନରେ ହରାଇଥିଲା। ପୁରୁଷ ବର୍ଗରେ ଅନ୍ୟ ମ୍ୟାଚ୍‌ଗୁଡିକରେ ଭଦ୍ରକ ୨-୦ରେ ସୁନ୍ଦରଗଡ଼କୁ, ଭୁବନେଶ୍ବର ୨-୦ରେ ପାରାଦୀପକୁ, ମୟୂରଭଞ୍ଜ ୨-୦ରେ ନୟାଗଡ଼କୁ, ଅନୁଗୁଳ ୨-୧ରେ ଯାଜପୁରକୁ, ପୂର୍ବତଟ ରେଳବାଇ ୨-୧ରେ କେନ୍ଦୁଝରକୁ, ଜଗତସିଂହପୁର ୨-୦ରେ କନ୍ଧମାଳକୁ, ବରଗଡ଼ ୨-୦ରେ ଦେବଗଡ଼କୁ, ପୁରୀ ୨-୦ରେ କଳାହାଣ୍ଡିକୁ, ଝାରସୁଗୁଡ଼ା ୨-୦ରେ ରାଉରକେଲାକୁ ପରାସ୍ତ କରିଛନ୍ତି। ମହିଳା ବିଭାଗରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍‌ ୨-୦ରେ ଜଗତସିଂହପୁରକୁ ପରାସ୍ତ କରିଛି।

୪ ଦିନିଆ ଏହି ପ୍ରତିଯୋଗିତାରେ ୩୨ ଜିଲ୍ଲା ଓ ୟୁନିଟ୍‌ରୁ ୧୧୦୦ ପାଖାପାଖି ପୁରୁଷ ଓ ମହିଳା ଖେଳାଳି ଭାଗ ନେଇଛନ୍ତି। ପିପିଟିର ଅଧ୍ୟକ୍ଷ ରିଙ୍କେଶ ରୟ, ପାରାଦୀପ ଲେଡିଜ୍ କ୍ଲବ୍ର ସଭାନେତ୍ରୀ ଶୁଭଲକ୍ଷ୍ମୀ ରୟ, ଓଡ଼ିଶା ଭଲିବଲ୍ ସଂଘ ସଭାପତି ଇଂ ସୁବୋଧ କୁମାର ରାଉତରାୟ, ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର