ବୌଦ୍ଧ/ଭୁବନେଶ୍ବର: ଗୁରୁବାରଠାରୁ ୬୯ତମ ବରିଷ୍ଠ ରାଜ୍ୟ ଭଲିବଲ୍ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଏବଂ ପାରମ୍ପରିକ ଭଲିବଲ୍ (ସୁଟିଂ) ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଛି। ଫୁଲବାଣୀରେ ପୁରୁଷ ବିଭାଗରେ ପ୍ରଥମ ଦିନ ପୁରୀ ୨-୦ରେ ସୁବର୍ଣ୍ଣପୁରକୁ ଏବଂ କନ୍ଧମାଳକୁ ୨-୦ରେ ପରାସ୍ତ କରି ଲଗାତାର ବିଜୟ ହାସଲ କରିଛି। ପାରାଦୀପ ପୋର୍ଟ ଟ୍ରଷ୍ଟ୍ ମଧ୍ୟ ଝାରସୁଗୁଡ଼ାକୁ ଓ ସୁବର୍ଣ୍ଣପୁରକୁ ସମାନ ୨-୦ରେ ହରାଇଛି। ମୟୂରଭଞ୍ଜ ୨-୦ରେ ଭୁବନେଶ୍ବରକୁ, ସୁନ୍ଦରଗଡ଼ ୨-୧ରେ କନ୍ଧମାଳକୁ, ପୂର୍ବତଟ ରେଳବାଇ ୨-୦ରେ କଟକକୁ, ଓଡ଼ିଶା ପୁଲିସ୍ ୨-୦ରେ କେନ୍ଦୁଝରକୁ, ଝାରୁସୁଗୁଡ଼ା ୨-୦ରେ ସୁନ୍ଦରଗଡ଼କୁ ପରାସ୍ତ କରିଛି। ବାଲିଗୁଡ଼ାଠାରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ସମାନ ୨-୦ରେ କଳାହାଣ୍ଡି ଓ ଯାଜପୁରକୁ ପରାସ୍ତ କରି ଲଗାତାର ବିଜୟ ହାସଲ କରିଥିବା ବେଳେ ବଲାଙ୍ଗୀର ନୂଆପଡ଼ାକୁ, ଯାଜପୁର ସମ୍ବଲପୁରକୁ, କଳାହାଣ୍ଡି ନୂଆପଡ଼ାକୁ, କେନ୍ଦ୍ରାପଡ଼ା ବଲାଙ୍ଗୀରକୁ ସମାନ ୨-୦ରେ ପରାସ୍ତ କରିଛି। ରାଇକିଆଠାରେ ନୟାଗଡ଼ ୨-୦ରେ ଦେବଗଡ଼କୁ ଏବଂ ୨-୧ରେ ଅନୁଗୁଳକୁ ପରାସ୍ତ କରି କ୍ରମାଗତ ବିଜୟ ପାଇଛି। ଅନୁଗୁଳ ୨-୧ରେ ଗଞ୍ଜାମକୁ, ଭଦ୍ରକ ୨-୦ରେ ବୌଦ୍ଧକୁ, ଭଦ୍ରକ ୨-୦ରେ ଦେବଗଡ଼କୁ ପରାସ୍ତ କରିଛି। ଟିକାବାଲିଠାରେ ଜଗତସିଂହପୁର ୨-୧ରେ ଖୋର୍ଦ୍ଧାକୁ, ଢେଙ୍କାନାଳ ୨-୦ରେ ବରଗଡ଼କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛନ୍ତି। ବୌଦ୍ଧରେ ଖେଳାଯାଇଥିବା ମହିଳା ବର୍ଗରେ କିଟ୍ ୨-୦ରେ ଖୋର୍ଦ୍ଧାକୁ, କଟକ ୨-୧ରେ କେନ୍ଦ୍ରାପଡ଼ାକୁ, ପୂର୍ବତଟ ରେଳବାଇ ୨-୦ରେ ପରାଦୀପ ପୋର୍ଟ ଟ୍ରଷ୍ଟ୍କୁ, କନ୍ଧମାଳ ୨-୦ରେ ଭଦ୍ରକକୁ, ସୁନ୍ଦରଗଡ଼ ୨-୦ରେ ବୌଦ୍ଧକୁ, ଖୋର୍ଧା ୨-୦ରେ କେନ୍ଦ୍ରାପଡ଼ାକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।
ଫୁଲବାଣୀଠାରେ ପୁରୁଷ ବିଭାଗ ଉଦ୍ଘାଟନୀ ସମାରୋହରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ଜିଲ୍ଲାପାଳ ଡକ୍ଟର ବୃନ୍ଦା ଡି, ବିଧାୟକ ଅଙ୍ଗଦ କହଁର, ରମେଶ ଚନ୍ଦ୍ର ବେହେରା, ସାଲୁଗା ପ୍ରଧାନ, ଚକ୍ରମଣୀ କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଖଣ୍ଡ ପ୍ରଧାନ, ଜିଲ୍ଲା କ୍ରୀଡ଼ା ସଂଘ ସଭାପତି କମଳାକାନ୍ତ ପାଣ୍ଡେ, ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ, ରାଜ୍ୟ ଭଲିବଲ୍ ସଂଘ ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ବୌଦ୍ଧଠାରେ ମହିଳା ବିଭାଗ ଉଦ୍ଘାଟନୀ ସମାରୋହରେ ଡକ୍ଟର ସାମନ୍ତଙ୍କ ସହିତ ବିଧାୟକ ପ୍ରଦୀପ କୁମାର ଅମାତ, ମହିଧର ରାଣା, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ରବୀନ୍ଦ୍ର କୁମାର ରାଉତ, କିଟ୍ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଉପସ୍ଥିତ ଥିଲେ।
ଏହି ୪ ଦିନିଆ ପ୍ରତିଯୋଗିତା ୬୮ ବର୍ଷ ପରେ କନ୍ଧମାଳ ସଂସଦୀୟ ନିର୍ବାଚନମଣ୍ଡଳୀରେ ଆୟୋଜିତ ହୋଇଛି। ଓଡ଼ିଶା ସରକାର ଏବଂ କିଟ୍ ଓ କିସ୍ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇଦେଇଛନ୍ତି। କନ୍ଧମାଳ ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ମାର୍ଗଦର୍ଶନରେ ଓଡ଼ିଶା ଭଲିବଲ୍ ସଂଘ ଏବଂ ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଭାବେ ପ୍ରଥମ ଥର ପାଇଁ ଏଭଳି ଐତିହାସିକ ପ୍ରତିଯୋଗିତାକୁ ଆୟୋଜନ କରୁଛନ୍ତି। ଏହି ପ୍ରତିଯୋଗିତାରେ ମୋଟ ୭୨ ଦଳ ଭାଗ ନେବେ। ପ୍ରଥମ ଥର ପାଇଁ ବିଜେତା, ଉପବିଜେତା ଏବଂ ତୃତୀୟ ସ୍ଥାନ ପାଇଥିବା ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ବ୍ୟବସ୍ଥା କରାଯାଇଛି।