ଭୁବନେଶ୍ବର: ଫିଜିର ଶୁଭାରେ ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ଦୁଇ ଓଡ଼ିଆ ଝିଅ ମୀନା ସାନ୍ତା (ଏ) ଓ ଜ୍ୟୋତ୍ସ୍ନା ଶବର ଚମତ୍କାର ପ୍ରଦର୍ଶନ କରିଛନ୍ତି। ମୀନା ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ୩ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି। ଅଭିଜ୍ଞା ଜ୍ୟୋତ୍ସ୍ନା ଶବରଙ୍କୁ ମିଳିଛି ଗୋଟିଏ ସ୍ବର୍ଣ୍ଣ ପଦକ। ଉଭୟ କିସ୍ର ଛାତ୍ରୀ ହୋଇଥିବାରୁ ଏହି ବିଶ୍ବ ବିଦିତ ଆଦିବାସୀ ବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି।
ମୀନା ସାନ୍ତା ଅଂଶଗ୍ରହଣ କରିଥିବା ସମସ୍ତ ୩ ବର୍ଗରେ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ୫୫ କିଲୋଗ୍ରାମର ଯୁବ ଓ କନିଷ୍ଠ ବର୍ଗରେ ମୀନା ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ବରିଷ୍ଠ ବର୍ଗରେ ରୌପ୍ୟ ପଦକ ପାଇଥିଲେ। ନବରଙ୍ଗପୁର ଜିଲ୍ଲାର ଝିଅ ମୀନା ସ୍ନାଚରେ ୮୧ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୯୯ କିଲୋଗ୍ରାମ ସହ ମୋଟ ୧୮୦ କିଲୋଗ୍ରାମ ଉତ୍ତୋଳନ କରିଥିଲେ। ସେହିଭଳି ୪୦ କିଲୋଗ୍ରାମ ଓଜନ ବର୍ଗରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଜ୍ୟୋତ୍ସ୍ନା ଶବର। ଗଜପତି ଝିଅ ଜ୍ୟୋତ୍ସ୍ନା ସ୍ନାଚ୍ରେ ୫୮ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୬୫ କିଲୋଗ୍ରାମ ସହ ମୋଟ ୧୨୩ କିଲୋଗ୍ରାମ ଉତ୍ତୋଳନ କରି ଶୀର୍ଷରେ ରହିଥିଲେ। ଉଭୟଙ୍କୁ ଓଡ଼ିଶା ଭାରୋତ୍ତୋଳନ ସଂଘ ସଭାପତି ଇଂ ଚିତ୍ତରଂଜନ ସ୍ବାଇଁ ଅଭିନନ୍ଦନ ଜଣାଇଛନ୍ତି। ମୀନା ସାନ୍ତା (ଏ) କିସ୍ରେ ଯୁକ୍ତ ୨ କଳାରେ ଦ୍ବିତୀୟ ବର୍ଷ ଏବଂ ଜ୍ୟୋତ୍ସ୍ନା ପ୍ରଥମ ବର୍ଷର ଛାତ୍ରୀ।
କିସ୍ ଯୋଗାଇ ଦେଉଥିବା ସୁବିଧା ସୁଯୋଗ ପାଇଁ ଉଭୟ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ଭାରୋତ୍ତୋଳନ ସଂଘ, ଭାରତୀୟ ଭାରୋତ୍ତୋଳନ ସଂଘ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗକୁ ମଧ୍ୟ ଉଭୟ କୃତଜ୍ଞତା ଜଣାଇଛନ୍ତି। ଉଭୟ ଉଦୀୟମାନ ପ୍ରତିଭା ଭୁବନେଶ୍ବରସ୍ଥିତ ଓଡ଼ିଶା ଟେନଭିକ୍ ଭାରୋତ୍ତୋଳନ ଏଚ୍ପିସିରେ ତାଲିମ ନେଉଥିବାବେଳେ ପାତିଆଲାସ୍ଥିତ ସାଇ ଏନ୍ଏସ୍ଏନ୍ଆଇଏସ୍ର ଜାତୀୟ ଶିବିରରେ ସାମିଲ ହୋଇ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/ILz2pXPsZRos1fuRkIzr.jpg)