ଭୁବନେଶ୍ୱର: ଓଡ଼ିଶା ଭାରୋତ୍ତୋଳନ ସଙ୍ଘ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌ରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ଆସନ୍ତା ଶନିବାର ଓ ରବିବାର ଦୁଇ ଦିନ ଧରି ଆୟୋଜିତ ହେବ। ବୟସ ଅନୁଯାୟୀ ଉଭୟ ପୁରୁଷ ଓ ମହିଳା ଖେଳାଳିମାନେ ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

Advertisment

କଳିଙ୍ଗ ଷ୍ଟାଡିୟମ ସ୍ଥିତ ଭାରୋତ୍ତୋଳନ ଉତ୍କର୍ଷ କେନ୍ଦ୍ର ସମେତ ବିଭିନ୍ନ ଜିଲ୍ଲାରୁ ୧୬୦ ପ୍ରତିଯୋଗୀ ଓ ୪୦ ବୈଷୟିକ ଅଧିକାରୀ ଏଥିରେ ଅଂଶଗ୍ରହଣ କରିବେ। ସମସ୍ତ ପ୍ରତିଯୋଗୀ, ସହାୟକ ଅଧିକାରୀଗଣ ଓ ଆୟୋଜନରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କ ଆର୍‌ଟିପିସିଆର୍‌ ମାଧ୍ୟମରେ କୋଭିଡ୍‌ ପରୀକ୍ଷଣକୁ ବାଧ୍ୟତାମୂଳକ କରାଯାଇଛି।

ପ୍ରତିଯୋଗିତାକୁ ସୂଚାରୁରୂପେ ସମ୍ପାଦନ ପାଇଁ ସମସ୍ତଙ୍କ ରହିବା, ଖାଦ୍ୟପେୟ ଓ ପରିବହନ ଆଦିର ସୁବନ୍ଦୋବସ୍ତ ହୋଇଛି। ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଜାନୁଆରି ୨୦୨୨ରେ ଭୁବନେଶ୍ୱର ସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ଭାରତୀୟ ରାଷ୍ଟ୍ରୀୟ ଭାରୋତ୍ତୋଳନ ଫେଡେରେସନ, ଓଡ଼ିଶା ଭାରୋତ୍ତୋଳନ ସଙ୍ଘ, କିଟ୍‌ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଯୋଗ୍ୟତା ଅର୍ଜନ କରିବେ।