ଭୁବନେଶ୍ବର: ନିଖିଳ ଓଡ଼ିଶା ଚେସ୍‌ ସଂଘ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଚେସ୍‌ ସଂଘ ଆନୁକୂଲ୍ୟରେ ଆୟୋଜିତ ସୁମନ ଦାସ ସ୍ମାରକୀ ରାଜ୍ୟ ମହିଳା ଓ ଅଷ୍ଟମ କେନ୍ଦ୍ରାପଡ଼ା ଜିଲ୍ଲା ଚେସ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ମହିଳା ଚେସ୍‌ରେ କେନ୍ଦ୍ରାପଡ଼ାର ସ୍ମାରକୀ ମହାନ୍ତି ବିଜୟିନୀ ହୋଇଛନ୍ତି। ସ୍ମାରକୀ ୬ ପଏଣ୍ଟ ସହ ଏକାକୀ ଶୀର୍ଷରେ ରହି ଅଭିଯାନ ଶେଷ କରିଥିଲେ। କଟକର ସନ୍ଦୀପା ପ୍ରିୟଦର୍ଶିନୀ ସାହୁ, ପ୍ରତ୍ୟାଶା ଜେନା, ଖୋର୍ଦ୍ଧାର ୟାଶିତା ରାଉତ ସଭିଏ ୫ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଦ୍ବିତୀୟରୁ ଚତୁର୍ଥ ସ୍ଥାନରେ ରହିଥିଲେ। ଏଥି ସହିତ ଏହି ୪ ଜଣ ଚଳିତ ବର୍ଷ ଜୁଲାଇ ମାସରେ ଗୁଜରାଟରେ ଖେଳାଯିବାକୁ ଥିବା ୪୯ତମ ଜାତୀୟ ମହିଳା ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ବ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

Advertisment

ସେହିଭଳି ସମାନ୍ତରଳ ଭାବେ ଅନୁଷ୍ଠିତ‌ କେନ୍ଦ୍ରାପଡ଼ା ଜିଲ୍ଲା ଚେସ୍ ପ୍ରତିଯୋଗିତାରେ ମାନସ ପରିଡ଼ା (୫.୫) ବିଜେତା ଏବଂ ନାରାୟଣ ଦାସ (୫) ଉପବିଜେତା ହୋଇଛନ୍ତି। ଆୟୂଷ ଆର୍ଯ୍ୟନ ମହାପାତ୍ର, ଜୀବନ ଜ୍ୟୋତି (ଉଭୟ ୪.୫ ଲେଖାଏଁ), ଚିତ୍ତରଂଜନ ଜେନା, ଜ୍ଞାନରଂଜନ ରାଉତ, ସୁଜିତ ସିଂହ (ପ୍ରତ୍ୟେକ ୪ ପଏଣ୍ଟ), ପ୍ରିୟରଂଜନ ପରିଡ଼ା (୩.୫), କିଶୋର ସାହୁ, ଏସ୍‌ ଧରଣୀଧର ( (ପ୍ରତ୍ୟେତ ୩ ପଏଣ୍ଟ) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ‌ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ବିଜୁ ପଟ୍ଟନାୟକ ପୁରସ୍କାରପ୍ରାପ୍ତ ଚେସ୍ ଗୁରୁ ସତ୍ୟରଂଜନ ପଟ୍ଟନାୟକ, ଏଆଇସିଏଫ୍ ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତି, ଭାଜପା ନେତା କିଶୋର କୁମାର ପଣ୍ଡା, କେନ୍ଦ୍ରାପଡ଼ା ଜିଲ୍ଲା ଚେସ୍‌ ସଂଘ କାର୍ଯ୍ୟକାରୀ ସମ୍ପାଦକ ହାଡ଼ିବଂଧୁ ସିଂହ, ସମ୍ପାଦକ ଭବେଶ ମହାନ୍ତି, ଏଓସିଏ କାର୍ଯ୍ୟନିର୍ବାହୀ ସଦସ୍ୟ ସୂର୍ଯ୍ୟକାନ୍ତ ବିଶୋଇ, ଅନ୍ତର୍ଜାତୀୟ ଆର୍ବିଟର ଜ୍ୟୋତି ଶଙ୍କର ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।