ଭୁବନେଶ୍ବର: ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରୋ-ଚେଷ୍ଟା ପରିସରରେ ଚାଲିଥିବା ରାଜ୍ୟ ମହିଳା ଚେସ୍ ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଯାଇଛି। ଉଦୀୟମାନ ପ୍ରତିଭା ୟାଶିତା ରାଉତ ବିଜେତା ହୋଇଥିବା ବେଳେ ଏକାଧିକ ଥର ବିଜୟିନୀ ହୋଇଥିବା ସ୍ମାରକୀ ମହାନ୍ତି ଏଥର ଉପବିଜୟିନୀ ହୋଇଛନ୍ତି। ଉଭୟ ସମାନ ପଏଣ୍ଟ ପାଇଥିବା ବେଳେ ୟାଶିତା ଟାଇବ୍ରେକ୍ ସ୍କୋର୍ରେ ଶୀର୍ଷ ସ୍ଥାନ ଦଖଲ କରି ନେଇଥିଲେ। ପ୍ରତ୍ୟାଶା ଜେନା, ଜୟଲକ୍ଷ୍ମୀ ସାହୁ, ବିଜୟଲକ୍ଷ୍ମୀ ବାରିକ, ଜ୍ୟୋତିକା ସାହୁ (ପ୍ରତ୍ୟେକ ୫.୫ ପଏଣ୍ଟ୍) ଯଥାକ୍ରମେ ତୃତୀୟରୁ ଷଷ୍ଠ ସ୍ଥାନରେ ରହିଥିଲେ।
ଶ୍ରଦ୍ଧା ସ୍ମରଣିକା ନନ୍ଦ, ପି ସାଇରୂପା, ସୁହାନା ଜେନା, ଈଶାନି ଦାସ (ପ୍ରତ୍ୟେକ ୫ ପଏଣ୍ଟ ଲେଖାଏଁ) ଶୀର୍ଷ ୧୦ ଭିତରେ ରହି ପୁରସ୍କୃତ ହୋଇଥିଲେ। ପ୍ରତିଯୋଗିତାର ଶ୍ରେଷ୍ଠ ୪ ଖେଳାଳି ୟାଶିତା ରାଉତ, ସ୍ମାରକୀ ମହାନ୍ତି, ପ୍ରତ୍ୟାଶା ଜେନା, ଜୟଲକ୍ଷ୍ମୀ ବାରିକ ଜାତୀୟ ମହିଳା ପ୍ରତିଯୋଗିତା ଲାଗି ଓଡ଼ିଶାରୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୟାଶିତା ଓ ପ୍ରତ୍ୟାଶା ପ୍ରୋଚେଷ୍ଟାରେ ପ୍ରଶିକ୍ଷଣ ନେଇ ସଫଳତା ପାଇଥିବା କୁହାଯାଇଛି। ବିଜୟୀ ଖେଳାଳିମାନଙ୍କୁ ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ ଅଭିନନ୍ଦନ ଜଣାଇଛନ୍ତି। ଉଦ୍ଯାପନୀ ଉତ୍ସବରେ ପ୍ରୋ-ଚେଷ୍ଟାର ନିର୍ଦେଶକ ତଥା ସରକାରଙ୍କ ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର, କ୍ରୀଡ଼ା ଓ ଯୁବସେବା ବିଭାଗ ଓଏସ୍ଡି ସିଦ୍ଧାର୍ଥ ଶଙ୍କର ସାହୁ, ଅଲିମ୍ପିଆନ୍ ଲାଜରୁସ୍ ବାର୍ଲା ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ଆଇଏ ଭବେଶ ମହାନ୍ତି, ଏଓସିଏ କାର୍ଯ୍ୟକାରୀ ସମିତି ସଦସ୍ୟ ସୂର୍ଯ୍ୟକାନ୍ତ ବିଶୋଇ, ସନ୍ଦୀପ ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ।