ରାଜ୍ୟ ମହିଳା ହକି: ଓଡ଼ିଶା ସଚିବାଳୟ ବିଜେତା

ଭୁବନେଶ୍ବର: କିଟ୍‌ଠାରେ ଆୟୋଜିତ ପ୍ରଥମ ହକି ଆସୋସିଏସନ ଅଫ୍‌ ଓଡ଼ିଶା ବରିଷ୍ଠ ମହିଳା ପ୍ରତିଯୋଗିତାରେ ଓଡ଼ିଶା ସଚିବାଳୟ ଦଳ ବିଜେତା ହୋଇଛି। ସୋମବାର ଫାଇନାଲ୍‌ରେ ଏହି ଦଳ ୪-୧ ଗୋଲ୍‌ରେ ଖୋର୍ଦ୍ଧାକୁ ପରାସ୍ତ କରିଥିଲା। ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ସୁନ୍ଦରଗଡ଼ ୬-୧ ଗୋଲ୍‌ରେ ଦେବଗଡ଼କୁ ହରାଇ କାଂସ୍ୟ ପଦକ କରାୟତ୍ତ କରିଛି।

କିଟ୍‌/କିସ୍‌ର ଫୁଲାମି ପ୍ରଧାନ ଶ୍ରେଷ୍ଠ ଗୋଲ୍‌ରକ୍ଷିକା, ସୁନ୍ଦରଗଡ଼ର ମୁକ୍ତା ଜୋଜୋ ଶ୍ରେଷ୍ଠ ଡିଫେଣ୍ଡର, ଖୋର୍ଦ୍ଧାର କମଳା ସିଂହ ଶ୍ରେଷ୍ଠ ଫରୱାର୍ଡ ଏବଂ ଓଡ଼ିଶା ସଚିବାଳୟର ଲକ୍ଷ୍ମୀ ଏକ୍କା ଶ୍ରେଷ୍ଠ ମିଡ୍‌ଫିଲ୍‌ଡର ଏବଂ ଜହ୍ନବୀ ପ୍ରଧାନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ପ୍ରତିଯୋଗିତାରେ ୨୦ ଜିଲ୍ଲାର ଖେଳାଳିଙ୍କ ସହ ୪ ଇନ୍‌ଷ୍ଟିଚ୍ୟୁସନ ଓ ଏକାଡେମୀର ଖେଳାଳି ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, କିଟ୍‌ ବିଶ୍ବବିଦ୍ୟାଳୟ କୁଳପତି ସସ୍ମିତା ସାମନ୍ତ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଏବଂ ହକି ଓଡ଼ିଶା ନିର୍ଦେଶକ ଡେଭିଡ ଜନ୍‌ ପ୍ରମୁଖ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର