ରାଜ୍ୟ ଯୁବ ଚେସ୍‌: ବାଳିକାରେ ୩, ଓପନ୍‌ରେ ୫ ମିଳିତ ଆଗୁଆ

ଭୁବନେଶ୍ବର : ଦୀର୍ଘଦିନର ନିରବତା ପରେ ଖୋର୍ଦ୍ଧା ଜିଲା ଚେସ୍‌ ସଂଘ ପୁନଃ ସକ୍ରିୟ ହୋଇଛି। ମାଷ୍ଟର୍ ଚେସ୍‌ ସଂଘ ଏବଂ ବେଟି ବଚାଓ ବେଟି ପଢ଼ାଓ ଦେଶ କୋ ଆଗେ ବଢ଼ାଓ ସଂଘ ମିଳିତ ଆନୁକୂଲ୍ୟରେ ଶୁକ୍ରବାରଠାରୁ ପଟିଆସ୍ଥିତ ମଧୁସୂଦନ ଦେବ ଡିଗ୍ରି କଲେଜ୍‌ ପରିସରରେ ଆରମ୍ଭ ହୋଇଛି ରାଜ୍ୟ ଯୁବ ଚେସ୍‌ (୧୫ ବର୍ଷରୁ କମ୍‌ ବାଳକ ଓ ବାଳିକା) ପ୍ରତ‌ିଯୋଗିତା। ବାଳିକାରେ ୨୦ ଜଣ ଏବଂ ଓପନ୍‌ରେ ୪୭ ଜଣ ଭାଗ ନେଇଛନ୍ତି। ଓଡ଼ିଶା ୱେୟାରହାଉସିଂ କର୍ପୋରେସନ୍‌ ପରିଚାଳନା ନିର୍ଦେଶକ ଗଣେଶ୍ବର ଜେନା, କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ ରାଉତ, ସମାଜସେବୀ ବାସୁଦେବ ଭଟ୍ଟ, ଏଓସିଏ କୋଷାଧ୍ୟକ୍ଷ ଭବେଶ ମହାନ୍ତି, ଏମ୍‌ସିଏଫ୍‌ ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ବାଳ, ଖୋର୍ଦ୍ଧା ଜିଲ୍ଲା‌ ଚେସ୍‌ ସଂଘ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ସାମିଲ ହୋଇଥିଲେ। ପ୍ରଥମ ଦିବସ ସୁଦ୍ଧା ବାଳିକାରେ ୩ ଜଣ ଏବଂ ଓପନ୍‌ରେ ୫ ଜଣ ୩ ‌ପଏଣ୍ଟ୍‌ ଲେଖାଏଁ ପାଇ ମିଳିତ ଆଗୁଆ ଅଛନ୍ତି। ବାଳିକାରେ ଜୟଲକ୍ଷ୍ମୀ ସାହୁ, ୟାଶିତା ରାଉତ, ସାହାନା ଲେଙ୍କା ଏବଂ ଓପନ୍‌ରେ ପ୍ରିୟାଂଶ ଦାସ, ଅନୁବ୍ରତ ପ୍ରିୟଦର୍ଶନ ସାହୁ, ଅରିନ୍‌ ଅନ୍ବେଷ ସ୍ବାଇଁ, ଓମ୍‌ ଆଦିତ୍ୟ ଖାଡ଼ଙ୍ଗା, କୌସ୍ତୁଭ ଦାଶ ମିଳିତ ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧିତ ଖବର