ଅନ୍ତଃରାଜ୍ୟ ଟେନିସ୍‌: ରେଳବାଇଠୁ ହାରିଲା ଓଡ଼ିଶା

ଭୁବନେଶ୍ୱର: ୨୨ ରାଜ୍ୟକୁ ନେଇ ଛତିଶଗଡ଼ର ଭିଲ୍ଲାଇରେ ଚାଲିଥିବା ଅନ୍ତଃରାଜ୍ୟ ଟେନିସ୍‌ ପ୍ରତିଯୋଗିତାରେ ସୋମବାର ୩-୦ରେ କର୍ଣ୍ଣାଟକକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ମଙ୍ଗଳବାର ମୁକାବିଲା ହାରିଯାଇଛି। ନିଜର ଦ୍ୱିତୀୟ ମୁକାବିଲାରେ ଓଡ଼ିଶା ୦-୩ରେ ରେଳବାଇ ସ୍ପୋର୍ଟସ ପ୍ରମୋସନ୍‌ ବୋର୍ଡ (ଆର୍‌ଏସ୍‌ପିବି) ନିକଟରୁ ପରାସ୍ତ ହୋଇଛି। ଏକକରେ ଚିନ୍ମୟ ପ୍ରଧାନ ୧-୬, ୨-୬ରେ ନିତିନ କିର୍ତନେଙ୍କଠୁ ହାରିଯିବା ପରେ ଅଂଶ କୁମାର ଭୂୟାଁ ୩-୬, ୨-୬ରେ ପିସି ବିଘ୍ନେଶଙ୍କୁ ହାରିଥିଲେ। ପରେ ଯୁଗଳରେ ଦମ୍‌ଦାର ଲଢ଼ିବା ସତ୍ତ୍ୱେ ଚିନ୍ମୟ-ଅଂଶୁ ଯୋଡ଼ି ୫-୭, ୭-୬ ଓ ୮-୧୦ରେ ସୌରଭ ସୁକୁଲ-ପୃଥ୍ଵୀ ଶେଖର ଯୋଡ଼ି ନିକଟରୁ ହାର୍‌ ମାନିଥିଲେ। ଏହି ପରାଜୟ ଯୋଗୁଁ ଓଡ଼ିଶାର କ୍ୱାର୍ଟର ଫାଇନାଲ୍‌ ପ୍ରବେଶ ଆଶାରେ ବାଧା ସୃଷ୍ଟି ହୋଇଛି। ତେବେ ବୁଧବାର ରେଳବାଇ ଓ କେରଳ ମୁକାବିଲାର ଫଳାଫଳ ଉପରେ ଓଡ଼ିଶାର କ୍ୱାର୍ଟର ଫାଇନାଲ୍‌ ଭାଗ୍ୟ ନିର୍ଭର କରିବ।

ସମ୍ବନ୍ଧିତ ଖବର