ରାଜ୍ୟର ପ୍ରଥମ ଆଇଏସ୍‌ଏଲ୍‌ ଦଳ ‘ଓଡ଼ିଶା ଏଫ୍‌ସି’

ଭୁବନ‌େଶ୍ବର: ଓଡ଼ିଶାକୁ ମିଳିଯାଇଛି ପ୍ରଥମ ଆଇଏସ୍‌ଏଲ୍ (ଇଣ୍ଡିଆନ୍ ସୁପର୍ ଲିଗ୍‌) ଦଳ। ଦିଲ୍ଲୀ ଡାଇନାମସ୍‌ର ନାମକୁ ପରିବର୍ତନ କରାଯାଇ ‘ଓଡ଼ିଶା ଏଫ୍‌ସି’ କରାଯାଇଛି। ଏଥି ସହ ଇଣ୍ଡିଆନ୍ ଆରୋଜ ପରେ ଓଡ଼ିଶା ଏଫ୍‌ସି ପାଇଁ ଭୁବନେଶ୍ବର ହୋଇଛି ଘରୋଇ ସହର। ଆଇଏସ୍‌ଏଲ୍‌ ହେଉଛି ଦେଶର ପ୍ରମୁଖ ପେସାଦାର ଫୁଟ୍‌ବଲ୍ ଲିଗ୍‌। ଓଡ଼ିଶାର ଫୁଟବଲ୍ ବିକାଶରେ ଏହା ଆଉ ଏକ ମାଇଲଖୁଣ୍ଟ୍ ଛାଡ଼ିବ ବୋଲି ବିଶ୍ବାସ କରାଯାଉଛି। ଶନିବାର ଲୋକସେବା ଭବନ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଦିଲ୍ଲୀ ସକ୍କର ଲିମିଟେଡ୍‌ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର‌ ହୋଇଥିଲା। ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ନିର୍ଦେଶକ ଭିନିଲ କ୍ରିଷ୍ଣା ଏବଂ ଦିଲ୍ଲୀ ସକ୍କର ପ୍ରାଇଭେଟ୍ ଲିମିଟେଡ୍ ସିଇଓ ଆଶିଷ ସାହା ଚୁକ୍ତିରେ ସାକ୍ଷର କରିଥିଲେ। ଏଥି ସହିତ ‘ଓଡ଼ିଶା ଏଫସି’ ଆନୁଷ୍ଠାନିକ ଭାବେ ଆତ୍ମପ୍ରକାଶ କଲା।

ଓଡ଼ିଶା ଏଫସିର ପ୍ରଥମ କାର୍ଯ୍ୟକ୍ରମ ଭାବେ ରାଜ୍ୟରେ ତୃଣମୂଳ ସ୍ତରରୁ ଫୁଟବଲ୍ ବିକାଶ କରାଯିବ। ଯୁବ ଦଳ, ଯୁବ ଫୁଟବଲ୍ ବିକାଶ କାର୍ଯ୍ୟକ୍ରମ ଏବଂ ତୃଣମୂଳସ୍ତରୀୟ ଫୁଟବଲ୍ ବିକାଶ କରିବ ଏହି କ୍ଲବ୍‌। ଓଡ଼ିଶା ଏଫସିକୁ ରାଜ୍ୟ ସରକାର ଆଇଏସ୍‌ଏଲ୍ ପ୍ରସ୍ତୁତି ପାଇଁ ଭୁବନେଶ୍ବରରେ ବିଶ୍ବସ୍ତରୀୟ ଭିତ୍ତିଭୂମି ଏବଂ ଅଭ୍ୟାସ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେବେ। ଓଡ଼ିଶାର ଫୁଟବଲ୍ ମାନଚିତ୍ରରେ ବିକାଶ କାର୍ଯ୍ୟକ୍ରମକୁ ଦେଖିବ ଓଡ଼ିଶା ଏଫସି। ‘ଓଡ଼ିଶା ଏଫସି ଏବଂ ଇଣ୍ଡିଆନ୍ ସୁପର୍ ଲିଗ୍‌’ର ସମ୍ପୃକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିବା ସହିତ ଓଡ଼ିଶାର ଫୁଟବଲ୍‌ ବିକାଶରେ ଏହା ପ୍ରମୁଖ ଭୂମିକା ନେବ ବୋଲି ପ୍ରକାଶ କରିଛନ୍ତି। ରାଜ୍ୟର ଫୁଟବଲ୍‌ ଖେଳାଳିମାନେ ଏହ‌ାଦ୍ବାରା ଏହି ସୁନ୍ଦର ଖେଳକୁ ଅଧିକ ସଙ୍କଳ୍ପବଦ୍ଧତାର ସହ ଖେଳିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ରାଜ୍ୟରେ ଫୁଟ୍‌ବଲ୍‌ର ବିକାଶ ଅଗ୍ରାଧିକାର ପାଇଛି। ୨୦୨୦ରେ ଭୁବନେଶ୍ବରରେ ୧୭ ବର୍ଷରୁ କମ୍ ଫିଫା ବିଶ୍ବକପ୍‌ ଖେଳାଯିବା ଲାଗି ପ୍ରାରମ୍ଭିକ ଅନୁମୋଦନ ମିଳି ସାରିଛି। ଓଡ଼ିଶା ମଧ୍ୟ ୧୬ ଏବଂ ୧୯ ବର୍ଷରୁ କମ୍‌ ଜାତୀୟ ଦଳର ପ୍ରାୟୋଜକ ରହିଛି। ରାଜ୍ୟର ଯୁବ ଫୁଟବଲରଙ୍କ ପାଇଁ ଏହି ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା।

ଓଡ଼ିଶା ଏବେ ଏକ ନିଜସ୍ବ ଫୁଟବଲ୍ କ୍ଲବ୍ ପାଇବା ଗର୍ବର ବିଷୟ, ଫୁଟବଲ୍ ବିକାଶ ଯାତ୍ରାରେ ଏକ ଅଂଶବିଶେଷ ହୋଇଥିବାରୁ ମୁଁ ସମ୍ମାନିତ।‌ ଖେଳକୁଦ ପ୍ରତି ଓଡ଼ିଶା ଢେର ଉତ୍ସାହ ଦେଖାଇଛି। ଦେଶର ସବୁଠୁ ଶୀର୍ଷସ୍ତରୀୟ ତଥା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଫୁଟବଲ୍ ଆଇଏସଏଲ୍‌ ସହିତ ଜଡ଼ିତ ହେବା ଓଡ଼ିଶା ଫୁଟ୍‌ବଲ୍‌ରେ ଐତିହାସିକ ଅଧ୍ୟାୟ ସଂ‌ଯୋଗ କରିଛି ବୋଲି ଓଡ଼ିଶା ଏଫସିର ମାଲିକ ଡକ୍ଟର ଅନିଲ ଶର୍ମା ପ୍ରକାଶ କରିଛନ୍ତି। କେବଳ ରାଜ୍ୟରେ ନୁହେଁ ଦେଶରେ ଫୁଟବଲ୍‌ର ବିକାଶ ପାଇଁ ଓଡ଼ିଶା ଏଫସିର ଅଭ୍ୟୁଦୟ ଆଉ ଏକ ପଦକ୍ଷେପ। ଭାରତକୁ ଫୁଟବଲ୍‌ର ବିଶ୍ବସ୍ତରୀୟ ଶକ୍ତି କରିବା ଦିଗରେ ଓଡ଼ିଶା ଏଫସି ଭୂମିକା ରହିବ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ପେସାଦାର ଫୁଟବଲ୍ କ୍ଲବ୍ ସହିତ ଓଡ଼ିଶା ଯୋଡ଼ି ହୋଇସାରିଛି। ଗତବର୍ଷ ଆଇଏସଏଲ୍‌ର ଏକ ମ୍ୟାଚ୍‌ ଜାମସେଦପୁର ଏଫସି ଏବଂ ବଙ୍ଗାଲୁରୁ ଏଫସି ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ହିରୋ ଆଇଲିଗ୍ ପାଇଁ ଇଣ୍ଡିଆନ୍ ଆରୋଜ୍ ଦଳ ମଧ୍ୟ ଭୁବନେଶ୍ବରକୁ ଘରୋଇ ସହର କରିଛି। ହିରୋ ସୁପର୍ କପ୍ ଏବଂ ଚତୁଃରାଷ୍ଟ୍ରୀୟ ହିରୋ ଗୋଲ୍ଡ କପ୍‌ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍‌ ଆୟୋଜନ କରିସାରିଛି।

ସମ୍ବନ୍ଧିତ ଖବର