ମାରାଡୋନା, ପେଲେଙ୍କ କଡ଼ରେ ମେସିଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ : ଆର୍ଜେଣ୍ଟିନା କିଂବଦନ୍ତି ଫୁଟ୍‌ବଲର ଡିଏଗୋ ମାରାଡୋନାଙ୍କ ପଥେପଥେ ଲିଓନେଲ୍‌ ମେସି ନିଜ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତବର୍ଷ ମେସି ବିଶ୍ବକପ୍‌ ଟ୍ରଫିକୁ ତୋଳି ଧରିବା ବେଳେ ମାରାଡୋନାଙ୍କ ପରେ ଦ୍ବିତୀୟ ବ୍ୟକ୍ତି ଭାବେ ଏହି କାରନାମା କରିଦେଖାଇଥିଲେ। ଏବେ ମାରାଡୋନାଙ୍କ କଡ଼କୁ ଲାଗି ମେସିଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି। ଦକ୍ଷିଣ ଆମେରିକା ଫେଡେରେସନ୍‌ର ସଂଗ୍ରହାଳୟରେ ଏହି ପ୍ରତିମୂର୍ତ୍ତି ଦ୍ବୟ ରହିଥିଲା ବେଳେ ଏହାପାଖକୁ ବ୍ରାଜିଲ୍‌ କିଂବଦନ୍ତି ପେଲେଙ୍କ ପ୍ରତିମୂର୍ତ୍ତି ମଧ୍ୟ ଶୋଭାପାଉଛି।

ମେସି ତାଙ୍କ ପ୍ରତିମୂର୍ତ୍ତିରେ ବିଶ୍ବକପ୍‌ ଟ୍ରଫି ଧରିଥିବା ଦେଖାଯାଇଛି। ସୋମବାର ମେସି ବ୍ୟକ୍ତିଗତ ଭାବେ ଯୋଗଦେଇ ଉକ୍ତ ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରିଥିଲେ। ତେବେ ମାରାଡୋନାଙ୍କ ସମକକ୍ଷ କେବେ ହୋଇପାରିବି ବୋଲି ଭାବିନଥିଲି। ଫୁଟବଲ୍‌କୁ କେବଳ ଭଲପାଇବା ଦେଇଆସିଛି। ଆଗକୁ ବହୁତ ବାଟ ଯିବାକୁ ଅଛି ବୋଲି ମେସି ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହରେ ଆର୍ଜେଣ୍ଟିନା ଖେଳାଳିଙ୍କ ସହିତ ପ୍ରଶିକ୍ଷକ ଲିଓନେଲ୍‌ ସ୍କାଲୋନି ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ମେସିଙ୍କ ୮୦୦ କ୍ୟାରିୟର ଗୋଲ୍‌ ପରେ ଆର୍ଜେଣ୍ଟିନା ଜାତୀୟ ଦଳର ପ୍ରଶିକ୍ଷଣ କେନ୍ଦ୍ରକୁ ମେସିଙ୍କ ନାମରେ ନାମିତ କରାଯାଇଛି।

ସମ୍ବନ୍ଧିତ ଖବର