କ୍ରିକେଟ୍‌ରୁ ଷ୍ଟେନ୍‌ଙ୍କ ଅବସର

ଜୋହନ୍‌ସବର୍ଗ: କ୍ରିକେଟ୍‌ ଖେଳର ଅନ୍ୟତମ ମହାନ୍‌ ଦ୍ରୁତ ବୋଲର ଆଖ୍ୟା ପାଇଥିବା ଡେଲ୍‌ ଷ୍ଟେନ୍‌ ମଙ୍ଗଳବାର ସମସ୍ତ ଫର୍ମାଟ୍‌ କ୍ରିକେଟ୍‌ରୁ ଅବସର ଘୋଷଣା କରିଦେଇଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ କିଂବଦନ୍ତି ଦ୍ରୁତ ବୋଲର ୨୦୧୯ରେ କ୍ରିକେଟ୍‌ର ଲମ୍ବା ଫର୍ମାଟ୍‌ (ଟେଷ୍ଟ୍‌)ରୁ ଅବସର ଗ୍ରହଣ କରିସାରିଲେ ମଧ୍ୟ ସୀମିତ ଓଭର (ଦିନିକିଆ ଓ ଟି-୨୦) ଫର୍ମାଟ୍‌ରେ ଖେଳ ଜାରି ରଖିଥିଲେ। ମଙ୍ଗଳବାର କିନ୍ତୁ ସବୁ ଫର୍ମାଟ୍‌ରୁ ଅବସର ନେଇଗଲେ। ଦୀର୍ଘ ୨୦ ବର୍ଷ ଧରି କ୍ରିକେଟ୍‌ ସହ ଜଡ଼ିତ ଥିଲି। ‘‘ପ୍ରଶିକ୍ଷଣ, ମ୍ୟାଚ୍‌ ଖେଳିବା, ଭ୍ରମଣ, ବିଜୟ, ପରାଜୟ, ମାଇଲଖୁଣ୍ଟ ଭାଙ୍ଗିବା, ଆନନ୍ଦ, ନିରାଶ ଏବଂ ଭାଇଚାରା ସବୁକିଛି ଏବେ ପଛରେ ରହିଗଲା। ଏଭଳି ଅନେକ ସ୍ମୃତି କହିବାକୁ ରହିଛି। ସେସବୁ ମୁହୂର୍ତ୍ତକୁ ମୁଁ ଭୁଲିପାରିବିନି। ଅବସର ଘୋଷଣାକୁ କଦାପି ବିଶ୍ବାସ କରିପାରୁନି’’ ବୋଲି ଏକ ଆନୁଷ୍ଠାନିକ ବିବୃତି ରଖିଛନ୍ତି ଷ୍ଟେନ୍‌। ତଥାପି ମୋତେ ମିଳିଥିବା ସୁଯୋଗ ପାଇଁ ଅଧିକାଂଶଙ୍କୁ ଧନ୍ୟବାନ ଦେଉଛି। ଆଉସବୁ ବିଶେଷଜ୍ଞଙ୍କ ଉପରେ ଛାଡ଼ିଯାଉଛି ବୋଲି ସେ ଭାବବିହ୍ବଳ ସ୍ବରରେ କହିଛନ୍ତି। ‘‘ମୁଁ ସବୁଠୁ ଅଧିକ ଭଲପାଉଥିବା ‌ଖେଳର ସମସ୍ତ ଫର୍ମାଟ୍‌ରୁ ଆଜି ବିଦ୍ଧିବଦ୍ଧ ଭାବେ ଅବସର ନେଉଛି।

ମୋତେ ସମର୍ଥନ ଯୋଗାଇଆସିଥିବା ପ୍ରତ୍ୟେକଙ୍କୁ (ପରିବାରଠୁ ଦଳୀୟ ସାଥୀ, ସାମ୍ବାଦିକଙ୍କଠୁ ପ୍ରଶଂସକ) ଧନ୍ୟବାଦ ଜଣାଉଛି। ସମସ୍ତଙ୍କ ସହଯୋଗରେ ଏହା ମୋ ଜୀବନର ଅବିସ୍ମରଣୀୟ ଯାତ୍ରା ଥିଲା ବୋଲି ଷ୍ଟେନ୍‌ କହିଛନ୍ତି। ବିଶେଷକରି ୨୦୧୫ରୁ ଆହତ ସମସ୍ୟା ତାଙ୍କ ପିଛା ଛାଡ଼ିନଥିଲା। ୨୦୧୫ ଇଂଲଣ୍ଡ ବିପକ୍ଷ ଡର୍ବାନ୍‌ ଟେଷ୍ଟ୍‌ ବେଳେ କାନ୍ଧରେ ଆଘାତ ପାଇବା ପରେ ଦଳରୁ ବାଦ୍‌ ପଡ଼ିଥିଲେ। ଦୁର୍ଭାଗ୍ୟବଶତଃ ୨୦୧୬ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟ୍‌ ବେଳେ ପୁଣି ଆହତ ହେବା ପରେ ୨୦୧୮ରେ ଫେରିଥିଲେ। ହେଲେ ୨୦୧୮ରେ ଭାରତ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ବେଳେ କେପ୍‌ଟାଉନ୍‌ରେ ଗୋଇଠିରେ ଆଘାତ ପାଇଥିଲେ। ଶେଷଥର ପାଇଁ ସେ ୨୦୧୮-୧୯ରେ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ୍‌ ଖେଳିଥିଲେ ମଧ୍ୟ ପୁନର୍ବାର ଆହତ ସମସ୍ୟାରେ ଘାଣ୍ଟିହେବାରୁ ଲମ୍ବା ଫର୍ମାଟ୍‌ରେ ଖେଳ ଜାରିରଖିବାରୁ ନିବୃତ୍ତ ରହିଥିଲେ।

ଷ୍ଟେନ୍‌ ଟେଷ୍ଟ୍‌ ଫର୍ମାଟ୍‌ରେ ୯୩ ମ୍ୟାଚ୍‌ ଖେଳି ୨୨.୯୫ ହାରରେ ୪୩୯ ୱିକେଟ୍‌ ଅକ୍ତିଆର କରିଥିଲେ। ୨୦୧୯ରେ ଅବସର ନେବା ପୂର୍ବରୁ ଏହି ଫର୍ମାଟ୍‌ରେ ସେ ସନ୍‌ ପୋଲକଙ୍କୁ ପଛରେ ପକାଇ ଦକ୍ଷିଣ ଆଫ୍ରିକାର ଅଗ୍ରଣୀ ୱିକେଟ୍‌ଦଖଲକାରୀ ବୋଲର ରହିଥିଲେ। ଏହି ଡାହାଣହାତୀ ଦ୍ରୁତ ବୋଲର ୧୨୫ ଦିନିକିଆ ଏବଂ ୪୭ ଟି-୨୦ ମ୍ୟାଚ୍‌ ନିଜ ଦେଶ ପାଇଁ ଖେଳିଛନ୍ତି। ସୀମିତ ଓଭର (ଉଭୟ ଦିନିକିଆ ଓ ଟି-୨୦) ଫର୍ମାଟ୍‌ରେ ମିଳିତ ଭାବେ ସେ ୨୬୦ (୧୯୬+୬୪) ୱିକେଟ୍‌ ନିଜ ନାମରେ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବ୍ୟତୀତ ‌‌ଷ୍ଟେନ୍‌ ଲୋଭନୀୟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି), ସନ୍‌ରାଇଜର୍ସ ହାଇଦ୍ରାବାଦ, ଡେକାନ୍‌ ଚାର୍ଜର୍ସ ଏବଂ ଗୁଜରାଟ ଲାୟନ୍ସ ପକ୍ଷରୁ ଖେଳିସାରିଛନ୍ତି।

ସମ୍ବନ୍ଧିତ ଖବର