ସଚିନଙ୍କୁ ଦୁଇ ଥର ଭୁଲରେ ଆଉଟ୍ ଦେଇଥିବା ବକନର ମାନିଲେ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ର ଷ୍ଟିଭ୍ ବକ୍‌ନରଙ୍କୁ ବିଶ୍ବ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ଅମ୍ପାୟାରର ମାନ୍ୟତା ମିଳେ। ହେଲେ ଭାରତୀୟ ଖେଳାଳି, ବିଶେଷ କରି ମାଷ୍ଟର ବ୍ଲାଷ୍ଟର ସଚିନ ‌ତେନ୍ଦୁଲକରଙ୍କ କଥା ପଡ଼ିଲେ ବକ୍‌ନର ନିଜ ସମୟରେ ଅନେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦେଇଥିବାର ପ୍ରମାଣ ମିଳେ। ଖାସ୍ ଏଥିପାଇଁ ଭାରତୀୟ କ୍ରିକେଟ୍ ପ୍ରଶଂସକ ତାଙ୍କୁ ଭଲ ପାଆନ୍ତିନି। ତେବେ ସଚିନଙ୍କ ବିପକ୍ଷରେ ‌ଦେଇଥିବା ଅନ୍ୟୁନ ଦୁଇଟି ଭୁଲ ନିଷ୍ପତ୍ତିକୁ ବକ୍‌ନର ରବିବାର ମାନି ନେଇଛନ୍ତି। ସଚିନଙ୍କୁ ଅଷ୍ଟ୍ରେଲିଆର ଗାବା (ବ୍ରିସବନ୍ କ୍ରିକେଟ୍ ପଡ଼ିଆ) ଓ ଭାରତର ଇଡେନ୍ସ ଗାର୍ଡେନ୍ସ ପଡ଼ିଆରେ ଭୁଲରେ ଆଉଟ୍ ଘୋଷଣା କରିଥିଲେ ବୋଲି ବାର୍ବାଡସ୍‌ର ଏକ ରେଡିଓ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ସ୍ବୀକାର କରିଛନ୍ତି। ତେବେ ଏହା ମାନବୀୟ ଭୁଲ ଥିଲା, ଯେ କୌଣସି ଲୋକଙ୍କ ସହ ଏମିତି ଘଟିପାରେ ବୋଲି ସଚିନଙ୍କ ପ୍ରତି କରିଥିବା ଅନ୍ୟାୟକୁ ମନେ ପକାଇ ବକ୍‌ନର ସଫେଇ ଦେଇଛନ୍ତି।

ସଚିନଙ୍କୁ ବକ୍‌ନର ଭୁଲରେ ଆଉଟ୍ ଦେବାର ପ୍ରଥମ ଘଟଣାଟି ୨୦୦୩ ମସିହାର ଭାରତ-ଅଷ୍ଟ୍ରେଲିଆ ଗାବା ଟେଷ୍ଟ୍‌ରେ ଘଟିଥିଲା। ଜାସନ ଗିଲେସ୍ପିଙ୍କ ବଲ୍ ଷ୍ଟମ୍ପ ଉପରେ ଯାଉଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଥିଲେ ମଧ୍ୟ ସଚିନଙ୍କୁ ଏହି କାରବୀୟ ଅମ୍ପାୟାର ଏବିଡବ୍ଲ୍ୟୁ ଆଉଟ୍ ଘୋଷଣା କରିଥିଲେ। ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୨୦୦୫ ମସିହାରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅବଦୁଲ ରଜାକଙ୍କ ବଲ୍ ସଚିନଙ୍କ ବ୍ୟାଟ୍‌ରେ ଆଦୗ ବାଜି ନଥିଲା ବେଳେ ବକ୍‌ନର ତାଙ୍କୁ ଅଙ୍ଗୁଳି ଉଠାଇ ପ୍ୟାଭିଲିୟନ ଫେରିବାକୁ ବାଧ୍ୟ କରିଥିଲେ। ଏହି ବିଷୟରେ ନିଜ ମତ ରଖିବାକୁ ଯାଇ ବକ୍‌ନର କହିଛନ୍ତି ଯେ ତେନ୍ଦୁଲକରଙ୍କୁ ଦୁଇଟି ପୃଥକ ପୃଥକ ଘଟଣାରେ ମୁଁ ଭୁଲ ବଶତଃ ଆଉଟ୍ ‌ଘୋଷଣା କରିଥିଲି। କୌଣସି ଅମ୍ପାୟାର ଜାଣିଶୁଣି ଭୁଲ କରନ୍ତି ନାହିଁ। ଏଭଳି ନିଷ୍ପତ୍ତି ସାରା ଜୀବନ ସେହି ଅମ୍ପାୟାରଙ୍କ ପିଛା ଛାଡ଼ନ୍ତି ନାହିଁ। ଭବିଷ୍ୟତ ମଧ୍ୟ ବିପଦରେ ପଡ଼ିପାରେ। ସଚିନଙ୍କ ବିପକ୍ଷରେ ମୁଁ ଦୁଇଟି ଭୁଲ କରିଛି। ଅଷ୍ଟ୍ରେଲିଆରେ ଥରେ ବଲ୍ ଷ୍ଟମ୍ପ୍ ଉପରେ ଯାଉଥିଲେ ମଧ୍ୟ ମୁଁ ତାଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ ସଙ୍କେତ ଦେଇଥିଲି। ଆଉ ଥରେ ଇଡେନ୍ ଗାର୍ଡେନ୍ସରେ ସଚିନଙ୍କୁ ମୁଁ ତ୍ରୁଟିପୂର୍ଣ୍ଣ ଭାବେ କଟ୍ ବିହାଇଣ୍ଡ୍ ଆଉଟ୍ ଦେଇଥିଲି, ଯଦିଓ ବଲ୍ ତାଙ୍କ ବ୍ୟାଟ୍‌କୁ ଛୁଇଁ ନଥିଲା। ହେଲେ ଇଡେନ୍ ଗାର୍ଡେନ୍ସରେ ଯେତେବେଳେ ଭାରତ ବ୍ୟାଟିଂ କରେ କିଛି ବି ଶୁଣା ଯାଏନି। କାରଣ ୧ ଲକ୍ଷ ପ୍ରଶଂସକ ନିରନ୍ତର ହୋ ହଲ୍ଲା କରୁଥା’ନ୍ତି। ଏହି ଦୁଇଟି ଭୁଲକୁ ନେଇ ମୁଁ ବହୁତ ଅନୁତପ୍ତ। ମଣିଷ ମାତ୍ରକେ ଭୁଲ କରନ୍ତି ଏବଂ ଏହାକୁ ସ୍ବୀକାର କରିବା ଜୀବନର ଅଂଶ ବିଶେଷ। ସେପଟେ କ୍ରିକେଟ୍‌ରେ ଡିଆରଏସ୍ ଭଳି ଆଧୁନିକ ଜ୍ଞାନ କୌଶଳର ବ୍ୟବହାରକୁ ବକ୍‌ନର ସମର୍ଥନ କରିଛନ୍ତି। ଡିଆରଏସ୍‌ ପାଇଁ ଅମ୍ପାୟାରିଂର ମାନ ବଢ଼ିବ। ଏହା ଦ୍ବାରା ଅମ୍ପାୟାରଙ୍କ ମହତ୍ବ କମିବ ନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ୧୯୮୯ରୁ ୨୦୦୯ ମସିହା ମଧ୍ୟରେ ବକ୍‌ନର ୧୨୮ ଟେଷ୍ଟ୍‌ ଏବଂ ପାଞ୍ଚଟି ବିଶ୍ବକପ୍ ସମେତ ୧୮୧ ଏକଦିବସୀୟ ମୁକାବିଲାରେ ଅମ୍ପାୟାରିଂ କରିଛନ୍ତି। ସେ ମଧ୍ୟ ଜଣେ ଫୁଟବଲ୍ ଖେଳାଳି ଓ ରେଫରି ଥିଲେ। ୨୦୦୮ ମସିହା ଭାରତ-ଅଷ୍ଟ୍ରେଲିଆ ସିଡ୍‌ନି ଟେଷ୍ଟ୍‌ରେ ବକ୍‌ନରଙ୍କ ଏକାଧିକ ଭୁଲ ନିଷ୍ପତ୍ତି ପାଇଁ ଭାରତ ପରାଜିତ ହୋଇଥିଲା। ଫଳରେ ଶୃଙ୍ଖଳାର ପରବର୍ତ୍ତୀ ଟେଷ୍ଟ୍‌ରୁ ଆଇସିସି ତାଙ୍କୁ ହଟାଇ ଦେଇଥିଲା। ୨୦୦୯ ମାର୍ଚରେ ସେ ଅମ୍ପାୟାରିଂରୁ ଅବସର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର