ସ୍ମିଥ୍‌ଙ୍କଠୁ କୋହଲି ଶ୍ରେଷ୍ଠ: ରୋଡ୍‌ସ

ସ୍ମିଥ୍ ଭାରତୀୟ ହୋଇଥିଲେ ତାଙ୍କ କୌଶଳକୁ ସ୍ବୀକୃତି ମିଳିଥାଆନ୍ତା: ପ୍ରଶିକ୍ଷକ

ନୂଆଦିଲ୍ଲୀ : ତୁଳନାତ୍ମକ ଭାବେ ବିରାଟ କୋହଲି ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ତାକୁ ନେଇ କିଛି ବର୍ଷ ଧରି ଚାଲିଥିବା ତର୍କରେ ଏବେ ଯୋଡ଼ି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର୍‌ ଜଣ୍ଟି ରୋଡ୍‌ସ। ଅନେକ ବିଶେଷଜ୍ଞ ଏନେଇ ନିଜ ନିଜର ମତ ସାବ୍ୟସ୍ତ କରିସାରିଥିଲା ବେଳେ ରୋଡ୍‌ସ ଏବେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଭାବେ ସ୍ମିଥ୍‌ଙ୍କ ଉପରେ କୋହଲିଙ୍କୁ ରଖିଛନ୍ତି। ଆସେସ୍‌ ଶୃଙ୍ଖଳାରେ ସ୍ମିଥ୍‌ ତାଙ୍କ ଶୈଳୀ ଓ ଟେକ୍‌ନିକ୍‌ କାରଣରୁ ଶତକ ପରେ ଶତକ ଜମାଇଛନ୍ତି। ହେଲେ ମୁଁ କୋହଲିଙ୍କ ଖେଳକୁ ଖୁବ୍‌ ଉପଭୋଗ କରେ। ତାଙ୍କ ସଟ୍‌ ସବୁ ଦେଖିଲା ଭଳିଆ। ସେ ସବୁ ଫର୍ମାଟ୍‌ରେ ଦର୍ଶକଙ୍କୁ ଆମୋଦିତ କରିପାରନ୍ତି। ସେହି ଦୃଷ୍ଟିରୁ କୋହଲି ହିଁ ମୋ ମତରେ ଶ୍ରେଷ୍ଠ ବୋଲି କହିଛନ୍ତି ଏକଦା ବିଶ୍ବର ସର୍ବଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ପରିଗଣିତ ରୋଡ୍‌ସ। ଏବେ ବିଶ୍ବ କ୍ରିକେଟ୍‌ରେ ଶ୍ରେଷ୍ଠ କ୍ଷେତ୍ରରକ୍ଷକ କିଏ ବୋଲି ପଚରାଯିବାରୁ ରୋଡ୍‌ସ ଭାରତର ରବୀନ୍ଦ୍ର ଜାଦେଜା ଏବଂ ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗପ୍ଟିଲଙ୍କ ନାମ ନେଇଛନ୍ତି।

ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଉଭୟ ସ୍ମିଥ୍‌ ଓ କୋହଲିଙ୍କ ମଧ୍ୟରେ ତୁଳନା କରିବାକୁ ଚାହିଁନଥିଲେ। ତାଙ୍କ ମତରେ ସ୍ମିଥ୍‌ ଆସେସ୍‌ରେ ଏକାଧିକ କୀର୍ତ୍ତିମାନ ଏବଂ ଆଇସିସି ମାନ୍ୟତାରେ ଶୀର୍ଷ ସ୍ଥାନକୁ ଫେରିଥିବା ସତ୍ତ୍ବେ କୋହଲି ହିଁ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌।

ସ୍ମିଥ୍ ଭାରତୀୟ ହୋଇଥିଲେ ତାଙ୍କ କୌଶଳକୁ ସ୍ବୀକୃତି ମିଳିଥାଆନ୍ତା: ପ୍ରଶିକ୍ଷକ

ମେଲବର୍ନ : ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଜଣେ ସ୍ବତନ୍ତ୍ର ଖେଳାଳି। ବର୍ଷକ ପରେ କ୍ରିକେଟ୍‌କୁ ଫେରିବା ସତ୍ତ୍ବେ ନିକଟରେ ଶେଷ ହୋଇଥିବା‌ ଆସେସ୍ ଶୃଙ୍ଖଳାରେ ସେ ଅବିଶ୍ବସନୀୟ ବ୍ୟାଟିଂ କରିଛନ୍ତି। ତାଙ୍କ ପାଇଁ ହିଁ ଅଷ୍ଟ୍ରେଲିଆ ଆସେସ୍‌କୁ ପୁଣି ଥରେ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛି। ହେଲେ ଅନେକ ସମୟରେ ସ୍ମିଥ୍‌ଙ୍କ ବ୍ୟାଟିଂ କଳା କୌଶଳକୁ ନିଜ ଦେଶରେ ସ୍ବୀକୃତି ମିଳେନାହିଁ। ତାଙ୍କ ଅଣପାରମ୍ପରିକ ବ୍ୟାଟିଂ ଶୈଳୀକୁ କେ‌ତେକ ପୂର୍ବତନ କ୍ରିକେଟର ମଧ୍ୟ ପସନ୍ଦ କରନ୍ତିନାହିଁ। ଏଥିନେଇ ତାଙ୍କ ପୂର୍ବତନ ପ୍ରଶିକ୍ଷକ ଟ୍ରେଣ୍ଟ ଉଡହିଲ୍ ଦୁଃଖ ପ୍ରକାଶ କରିଛନ୍ତି। ସ୍ମିଥ୍‌ ଭାରତୀୟ ହୋଇଥିଲେ ତାଙ୍କ ବ୍ୟାଟିଂ ଶୈଳୀକୁ ନେଇ କେହି ପ୍ରଶ୍ନ କରନ୍ତେନି ବୋଲି ଉଡହିଲ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସେ କହିଛନ୍ତି ଯେ କୋହଲି, ଗାଭାସ୍କର, ରୋହିତ, ଗାଙ୍ଗୁଲି, ସେହବାଗ ଏହି ସମସ୍ତ ଭାରତୀୟ ଖେଳାଳିଙ୍କ ବ୍ୟାଟିଂ ଶୈଳୀ ନିଆରା ଓ ସ୍ବତନ୍ତ୍ର। ଭାରତରେ ପ୍ରଦର୍ଶନକୁ ସମ୍ମାନ ଦିଆଯାଏ। ଯେ ପର୍ଯ୍ୟନ୍ତ ଜଣେ ରନ୍ କରୁଛି, ସେ ପର୍ଯ୍ୟନ୍ତ ତାଙ୍କ କଳା କୌଶଳକୁ ନେଇ ‌ସେଠାରେ କେହି ପ୍ରଶ୍ନ ଉଠାନ୍ତିନାହିଁ। ହେଲେ ଅଷ୍ଟ୍ରେଲିଆରେ ଆମେ ଚାହୁଁ ଜଣେ ଭଲ ରନ୍ କରୁ ଏବଂ ଭଲ ଦେଖା ବି ଯାଉ ‌ବୋଲି ଉଡ୍‌ହିଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର