ବର୍ଷକ ଲାଗି ଆଇପିଏଲରୁ ବାଦ୍‌ ପଡ଼ିଲେ ସ୍ମିଥ୍‌ ଓ ଓ୍ଵାର୍ଣ୍ଣର

ନୂଆଦିଲ୍ଲୀ: ବଲ୍‌ ଟାମ୍ପରିଂ ଅଭିଯୁକ୍ତ ଦୁଇ କ୍ରିକେଟ ଖେଳାଳି ଷ୍ଟିଭ ସ୍ମିଥ୍‌ ଏବଂ ଡେଭିଡ୍‌ ଓ୍ଵାର୍ଣ୍ଣରଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ୧ବର୍ଷ ଲାଗି ବାସନ୍ଦ କରିବା ପରେ ବିସିସିଆଇ ସେମାନଙ୍କ ଆଇପିଏଲ୍‌ ଖେଳିବା ଉପରେ ନିଷେଧାଦେଶ ଜାରି କରିଛି। ଦକ୍ଷିଣ ଆଫ୍ରିକାରେ ମ୍ୟାଚ ଖେଳିବା ସମୟରେ ବିଶ୍ୱର ଏଇ ଦୁଇ ଖ୍ୟାତନାମା ଅଷ୍ଟ୍ରେଲୀୟ ଖେଳାଳି ବଲ୍‌ ଟାମ୍ପରିଂ କରୁଥିବା କ୍ୟାମେରାରେ ଧରାପଡ଼ିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ମିଥ୍‌ ଓ ଓ୍ଵାର୍ଣ୍ଣରଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ବ୍ୟାନ୍‌ ଲଗାଇଥିଲା।

ଆଇପିଏଲ୍‌ ଚେୟାରମ୍ୟାନ୍‌ ରାଜୀବ ଶୁକ୍ଳା ବୁଧବାର ଗଣମାଧ୍ୟମକୁ କହିଛନ୍ତି ଯେ ଅଷ୍ଟ୍ରେଲୀୟ ବୋର୍ଡ ଦୁଇ ଖେଳାଳିଙ୍କୁ ବାସନ୍ଦ କରିଥିବାରୁ ଆମେ ଚଳିତ ବର୍ଷ ଆଇପିଏଲ୍‌ରୁ ସ୍ମିଥ୍‌ ଓ ଓ୍ଵାର୍ଣ୍ଣରଙ୍କୁ ବାସନ୍ଦ କରୁଛୁ।

ଉଲ୍ଲେଖଯୋଗ୍ୟ କି ସ୍ମିଥ୍‌ ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିବା ବେଳେ ଓ୍ଵାର୍ଣ୍ଣର ସନ୍‌ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଥିଲେ। ଆଇପିଏଲ୍‌ ଚେୟାରମ୍ୟାନ୍‌ ରାଜୀବ ଶୁକ୍ଳା କହିଛନ୍ତି ଯେ କେବଳ ଚଳିତ ସିଜନ୍‌ ଲାଗି ଦୁଇ ଖେଳାଳିଙ୍କୁ ବ୍ୟାନ୍‌ କରାଯାଇଛି। ଦୁଇ ଆଇପିଏଲ ଟିମ୍‌କୁ ବଦଳ ଖେଳାଳି ଯୋଗାଇ ଦିଆଯିବ। ଆମେ ତରବରରେ କୌଣସି ନିଷ୍ପତ୍ତି ନେଉ ନାହୁଁ, ଭାବିଚିନ୍ତି ଏହି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର