ରାଜସ୍ଥାନ ଅଧିନାୟକ ପଦରୁ ସ୍ମିଥ୍‌ ବିଦା

ମୁମ୍ବାଇ : କେପଟାଉନ ଟେଷ୍ଟ୍‌ରେ ହୋଇଥିବା ବଲ୍‌ ଟ୍ୟାମ୍ପରିଂ ବିବାଦ କ୍ରମଶଃ ଘନେଇବାରେ ଲାଗିଛି। ଅଷ୍ଟ୍ରେଲିଆ ଖେଳାଳିଙ୍କ ବିଶ୍ୱସଘାତକତା ସାରା ବିଶ୍ୱକୁ ଚକିତ କରିଥିଲା ବେଳେ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ଏଥିଲାଗି ବହୁମୂଲ୍ୟ ଦେବାକୁ ପଡ଼ିଛି। ରବିବାର କଙ୍ଗାରୁ ଦଳର କଳା କାରନାମାର ପର୍ଦାଫାସ ଟେଲିଭିଜନ କ୍ୟାମେରାରେ ହେବାପରେ ଆଇସିସି ସ୍ମିଥ୍‌ଙ୍କୁ ଗୋଟିଏ ଟେଷ୍ଟ୍‌ରୁ ବାସନ୍ଦ କରିବା ସହ ତାଙ୍କୁ ମ୍ୟାଚ୍‌ ପାଉଣାର ୧୦୦ ପ୍ରତିଶତ ଜରିମାନା କରିଥିଲା। ସୋମବାର ଆଇପିଏଲ୍‌ ଦଳ ରାଜସ୍ଥାନ ରୟାଲ୍ସ ମଧ୍ୟ ସ୍ମିଥ୍‌ଙ୍କୁ ନିଜ ଦଳର ଅଧିନାୟକ ପଦରୁ କାଢ଼ି ଦେଇଛି। ସ୍ମିଥ୍‌ଙ୍କ ସ୍ଥାନରେ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେଙ୍କୁ ରାଜସ୍ଥାନ ଅଧିନାୟକ ପଦ ପ୍ରଦାନ କରିଛି। ସମ୍ମାନ ବଞ୍ଚାଇବାକୁ ଅବଶ୍ୟ ସ୍ମିଥ୍‌ ନିଜ ତରଫରୁ ଇସ୍ତଫା ଦେଇଥିବା କୁହାଯାଇଛି।

ରାଜସ୍ଥାନ ଦଳର କ୍ରିକେଟ୍‌ ମୁଖ୍ୟ ଜୁବିନ ଭାରୁଚା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହି ବିଷୟରେ ସୂଚନା ଦେବା ପରେ ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଅଷ୍ଟ୍ରେଲିଆ ଦଳର ଉପ ଅଧିନାୟକ ଡେଭିଡ୍‌ ଓ୍ଵାର୍ନରଙ୍କ ଆଇପିଏଲ୍‌ରେ ଖେଳିବାକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଲାଣି। କ୍ରିକେଟ୍‌ ଅଷ୍ଟ୍ରେଲିଆର ନିଷ୍ପତ୍ତି ପରେ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟ ଓ୍ଵାର୍ନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କା ରହିଛି। ଓ୍ଵାର୍ନର ଏବେ ସନ୍‌ରାଇଜର୍ସର ଅଧିନାୟକ ଅଛନ୍ତି। ତାଙ୍କ ନେତୃତ୍ୱରେ ବିଗତ କେତୋଟି ଋତୁ ହେବ ସନ୍‌ରାଇଜର୍ସ ଉନ୍ନତ ପ୍ରଦର୍ଶନ କରିଥିଲା। ଏଥର କିନ୍ତୁ ସେ ଖେଳିବା ନ ଖେଳିବା ସନରାଇଜର୍ସ ଦଳର ପରିଚାଳନା ମଣ୍ଡଳୀ ଉପରେ ନିର୍ଭର କରୁଛି।

ସମ୍ବନ୍ଧିତ ଖବର