ଷ୍ଟିଭ୍ ୱ’ ଜଣେ ସ୍ବାର୍ଥପର ଖେଳାଳି

ସିଡ୍‌ନି: ଅଷ୍ଟ୍ରେଲିଆର ମହାନ ସ୍ପିନ୍ ବୋଲର ସେନ୍ ୱର୍ନ ପୁଣି ଥରେ ଚର୍ଚାକୁ ଆସିଛନ୍ତି। ନିଜ ରଙ୍ଗୀନ ଜୀବନ ଶୈଳୀ ଏବଂ ୱିକେଟ୍ ନେବା ଦକ୍ଷତା ପାଇଁ ପରିଚିତ ୱର୍ନ ଏଥର ସାଥୀ ଖେଳାଳି ତଥା ନିଜ ପୂର୍ବତନ ଅଧିନାୟକ ଷ୍ଟିଭ୍ ୱ’ଙ୍କୁ କ୍ରିକେଟ୍ ଜଗତର ସବୁଠାରୁ ସ୍ବାର୍ଥପର ଖେଳାଳି ଭାବେ ବର୍ଣ୍ଣନା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ୱ’ଙ୍କ ଉପରେ ଏଭଳି ଟିପ୍ପଣୀ କରିବା ସହ ନିକଟରେ ବଜାରକୁ ଆସିବାକୁ ଥିବା ନିଜ ଦ୍ବିତୀୟ ପୁସ୍ତକ ‘ନୋ ସ୍ପିନ୍‌’ରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଡ୍ରେସିଂ ରୁମ୍‌ରେ ଘଟିଥିବା ଅନେକ ଗୋପନୀୟ ଘଟଣା ଉପରୁ ପରଦା ଉଠାଇଛନ୍ତି ସେ। ସେହିଭଳି ଅଷ୍ଟ୍ରେଲିଆ ଦଳର ସବୁଜ ପୋଷାକକୁ ପ୍ରାଣଠାରୁ ଅଧିକ ଭଲ ପାଇବା ଲାଗି ଏଭଳି ଚାପ ପକା ଯାଇଥିଲା ଯେ କେବେ କେବେ ତାଙ୍କୁ ଏଥିଲାଗି ବାନ୍ତି କଲା ଭଳି ଲାଗୁଥିଲା ବୋଲି ୱର୍ନ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ କେବଳ ମୁଁ ନୁହେଁ, ଜଷ୍ଟିନ ଲାଙ୍ଗର, ମାଥ୍ୟୁ ହେଡେନ, ଆଦାମ ଗିଲକ୍ରିଷ୍ଟଙ୍କ ଭଳି ଖେଳାଳି ମଧ୍ୟ ମୋ ଭଳି ଭାବୁଥିଲେ। ଏପରିକି ଷ୍ଟିଭ୍ ୱ’ଙ୍କ ନିଜ ଭାଇ ମାର୍କ ୱ ମଧ୍ୟ ଏଭଳି ଚାପ ପାଇଁ ଅତିଷ୍ଟ ହୋଇ ଯାଇଥିଲେ ବୋଲି ୱର୍ନ ନିଜ ବହିରେ ଲେଖିଥିବା ଜଣା ପଡ଼ିଛି। ୱିମ୍ବଲଡନ୍ ଭଳି ସ୍ଥାନକୁ କିଏ ସବୁଜ ଟୋପି ପିନ୍ଧି ଯାଏ? ବୋଲି ସେ ପ୍ରଶ୍ନ କରିଛନ୍ତି। ବିଶେଷ କରି ଦଳର ଉପ ଅଧିନାୟକ ଥିଲା ବେଳେ ୧୯୯୯ ମସିହା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଅଚାନକ ଦଳରୁ ବାଦ ପଡ଼ିବା ମୋତେ ବ୍ୟକ୍ତିଗତ ଭାବେ ବହୁତ ବାଧିଥିଲା ବୋଲି ୱର୍ନ ଲେଖିଛନ୍ତି। ଖେଳାଳିମାନେ ୱ’ଙ୍କ ପଛପଟେ ଅନେକ କିଛି କହୁଥିଲା ବେଳେ ମୁଁ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲି। ହେଲେ ମୋ ଆବଶ୍ୟକତା ବେଳେ ସେ ମୋ‌େତ ଆଦୌ ସହଯୋଗ କରି ନଥିଲେ। ମୋଟରେ ୱ ଜଣେ ସ୍ବାର୍ଥପର ଖେଳାଳି ବୋଲି ୱର୍ନ ଲେଖିଥିବା ଏକ ଅଷ୍ଟ୍ରେଲୀୟ ଖବରକାଗଜରେ ପ୍ରକାଶିତ ଲେଖାରେ କୁହାଯାଇଛି।

ସମ୍ବନ୍ଧିତ ଖବର