ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ନୂଆ ପାଳି ଆରମ୍ଭ କରିବାର ସମ୍ଭାବନା ଦେଖାଦେଇଛି। ଆଇପିଏଲ୍ ଫ୍ରାଞ୍ଚାଇଜ୍ ସନ୍ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ଆଗାମୀ ସଂସ୍କରଣ ପାଇଁ ତାଙ୍କୁ ଦଳର ବୋଲିଂ ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଯଦି ଶେଷ କ୍ଷଣରେ କଥାବାର୍ତା ବିଫଳ ନହୁଏ ତାହାଲେ ଏସ୍ଆର୍ଏଚ୍ ଆସନ୍ତା ସପ୍ତାହରେ ତାଙ୍କ ନାମ ଘୋଷଣା କରିପାରେ ବୋଲି ଜଣାପଡ଼ିଛି। ସୂଚନଯୋଗ୍ୟ, ଆଇପିଏଲ୍ରେ ୯୫ ମ୍ୟାଚ୍ ଖେଳିଥିବା ଷ୍ଟେନ୍ ଚଳିତ ବର୍ଷ ଅଗଷ୍ଟରେ ଫ୍ରାଞ୍ଚାଇଜ୍ ପ୍ରତିଯୋଗିତା ସମେତ ସମସ୍ତ ଫର୍ମାଟ୍ କ୍ରିକେଟ୍ରୁ ଅବସର ଘୋଷଣା କରିସାରିଛନ୍ତି। ଯଦି ଷ୍ଟେନ୍ ହାଇଦ୍ରାବାଦର ପ୍ରସ୍ତାବକୁ ଗ୍ରହଣ କରିନିଅନ୍ତି, ତାହାଲେ ଟମ୍ ମୁଡିଙ୍କ ସହ କାର୍ଯ୍ୟକରିବେ। ଷ୍ଟେନ୍ ଆଇପିଏଲ୍ରେ ଡେକାନ୍ ଚାର୍ଜର୍ସ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଲାୟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ମୋଟ ଉପରେ ସେ ଆଇପିଏଲ୍ରେ ୯୭ ୱିକେଟ୍ ନିଜ ନାମରେ ରଖିଛନ୍ତି। ଷ୍ଟେନ୍ଙ୍କ ବ୍ୟତୀତ ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ତାମିଲନାଡୁ ଅଲ୍ରାଉଣ୍ଡର ହେମାଙ୍ଗ ବଦାନି ମଧ୍ୟ ସନ୍ରାଇଜର୍ସ ଦଳର ପ୍ରଶିକ୍ଷକମଣ୍ଡଳୀରେ ସାମିଲ ହେବେ ବୋଲି ଜଣାପଡ଼ିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp