ଷ୍ଟେନ୍‌ଙ୍କ ପସନ୍ଦର କ୍ରିକେଟର୍‌ ଡି’ଭିଲିୟର୍ସ

ଜୋହାନ୍ସବର୍ଗ: ଡେଲ୍ ଷ୍ଟେନ୍‌ଙ୍କୁ ବର୍ତମାନ ସମୟର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ‌‌ ବୋଲର ବିବେଚନା କରାଯାଏ। ଗତ ଋତୁରେ ହିଁ ସେ ଅବସର ନେଇଛନ୍ତି। ୨୦୦୪ ମସିହାରେ ପଦାର୍ପଣ କରି ଲମ୍ବା ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌‌ ଖେଳିଥିଲେ। ଅନେକ ମହାନ କ୍ରିକେଟର୍‌ଙ୍କ ସହିତ ଖେଳିବାର ଅବସର ମଧ୍ୟ ପାଇଥିଲେ। ‘କିଏ ତୁମ ସର୍ବକାଳୀନ ପସନ୍ଦର କ୍ରିକେଟର୍‌’ ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ‘ଏବି ଡି’ଭିଲିୟର୍ସ’। ନିଜ ଦକ୍ଷିଣ ଆଫ୍ରିକୀୟ ସାଥୀ କ୍ରିକେଟରଙ୍କୁ ସେ ‘ଅବିଶ୍ବସନୀୟ ବ୍ୟାଟର୍‌ ଓ ଜଣେ ଭଲ ବଂଧୁ’ ଭାବେ ଅଭିହିତ କରିଛନ୍ତି। ସୂଚନାଯୋଗ୍ୟ, ଅବସର ନେଇ ସାରିଥିଲେ ମଧ୍ୟ ଷ୍ଟେନ୍ ଏବଂ ଏବି ଡି’ଭିଲିୟର୍ସ ଆଇପିଏଲ୍‌ ଦଳ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପାଇଁ ଖେଳନ୍ତି। ମାର୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ତ୍ରୟୋଦଶ ସଂସ୍କରଣ ଆଇପିଏଲ୍‌ କରୋନା କାରଣରୁ ଏପ୍ରିଲ୍‌ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି। କେଉଁ ଦଳୀୟ ସାଥୀଙ୍କ ସହ ସଙ୍ଗରୋଧରେ ରହିବାକୁ ପସନ୍ଦ କରିବେ‌ ବୋଲି ପ୍ରଶ୍ନ ହେବାରୁ ଷ୍ଟେନ୍‌ କହିଥିଲେ କ୍ବିଣ୍ଟନ୍ ଡି’କକ୍‌। ଏହାର କାରଣ ଦର୍ଶାଇ ଷ୍ଟେନ୍ ମଜାରେ କହିଥିଲେ ‘ସେ ଉପଯୁକ୍ତ ରନ୍ଧା ଜାଣିଛନ୍ତି, ସଙ୍ଗରୋଧରେ ରହିଲେ‌ ସେ ଦେଖୁଥିବା ସବୁ ମାଛଧରା ଭିଡିଓକୁ ମୁଁ ଦେଖିନେବି’। ପାକିସ୍ତାନ ସୁପର୍ ଲିଗ୍‌ ବନ୍ଦ ହୋଇଯିବାରୁ ସ୍ବଦେଶ ଫେରି ଷ୍ଟେନ୍ ଏବେ ସ୍ବେଚ୍ଛାକୃତ ସଙ୍ଗରୋଧରେ ଅଛନ୍ତି। ‘‘ଦକ୍ଷିଣ ଆଫ୍ରିକାର ସଂସ୍କୃତି, ଧର୍ମ ଏବଂ ଜାତିଗତ ପୃଷ୍ଠଭୂମିରେ ସଙ୍ଗରୋଧରେ ରହିବା ବାସ୍ତବରେ ଦୟା ସଦୃଶ। ଖେଳ କିନ୍ତୁ ସମସ୍ତଙ୍କୁ ଏକାଠି କରିଦିଏ, ଏବେ କିନ୍ତୁ ଏଭଳି ଏକ ମୁହୂର୍ତ ଯେ ଆପଣ କିଛି କରିପାରିବେ ନାହିଁ’’ ବୋଲି ଷ୍ଟେନ୍ କହିଛନ୍ତି। ଖେଳ ଯେଭଳି ଏକାଠି କରିପାରେ ଅନ୍ୟ କେହି କରିପାରନ୍ତି ନାହିଁ ବୋଲି ଦିନେ ନେଲସନ୍ ମାଣ୍ଡେଲା ବି କହିଥିଲେ। ଏବେ ଖେଳ ଚାଲିଯିବା ପରେ ଆଉ କିଛି ନାହିଁ ବୋଲି ଷ୍ଟେନ୍‌ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର