ତଥାପି କ୍ୱାର୍ଟର ଫାଇନାଲ୍‌

ଜର୍ମାନିଠୁ ୦-୨ରେ ହାରିଲା ଭାରତ

ଭୁବନେଶ୍ୱର: ଚଳିତ ହକି ବିଶ୍ୱ ଲିଗ୍‌ ଫାଇନାଲରେ ଆୟୋଜକ ଭାରତର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଅମୀମାଂସିତ ରଖିବା ପରେ ଦ୍ୱିତୀୟରେ ଇଂଲଣ୍ଡଠାରୁ ହାରିଥିବା ଭାରତୀୟ ଦଳ ସୋମବାର ଖେଳିଥିବା ତୃତୀୟ ତଥା ଶେଷ ଲିଗ୍‌ ମ୍ୟାଚ୍‌ରେ ଜର୍ମାନିଠାରୁ ୦-୨ ଗୋଲ୍‌ରେ ପରାସ୍ତ ହୋଇଛି। ଫଳରେ ୪ ଦଳୀୟ ଗ୍ରୁପ୍‌ ‘ବି’ରେ ମାତ୍ର ୧ ପଏଣ୍ଟ ସହ ସବାଶେଷ ଚତୁର୍ଥ ସ୍ଥାନରେ ରହିଛି। ତଥାପି ପ୍ରତିଯୋଗିତାରେ ମୋଟ ୮ ଦଳ ଅଂଶ ଗ୍ରହଣ କରୁଥିବାରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଗ୍ରୁପ୍‌ ‘ବି’ର ସବୁ ଲିଗ୍‌ ମ୍ୟାଚ୍‌ ଶେଷ ହେବା ପରେ ୭ (୨ ବିଜୟ, ୧ ଅମୀମାଂସିତ) ପଏଣ୍ଟ ସହ ଜର୍ମାନି ପ୍ରଥମ ସ୍ଥାନରେ ରହିଛି। ଅନ୍ୟ ପକ୍ଷରେ ୪ ପଏଣ୍ଟ ( ୧ ବିଜୟ, ୧ ପରାଜୟ, ୧ ଅମୀମାଂସିତ) ଅର୍ଜନ କରି ଇଂଲଣ୍ଡ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ ୩ ପଏଣ୍ଟ (୩ ଅମୀମାଂସିତ) ପାଇ ତୃତୀୟ ସ୍ଥାନରେ ରହିଛି। ଭାରତ ବୁଧବାର କ୍ୱାର୍ଟର ଫାଇନାଲ୍‌ରେ ଗ୍ରୁପ୍‌-‘ଏ’ର ବିଜେତାକୁ ଭେଟିବ। ପ୍ରତିଦ୍ୱନ୍ଦ୍ୱୀ ଦଳ ଓ ସମୟ ମଙ୍ଗଳବାରର ମ୍ୟାଚ୍‌ ପରେ ନିର୍ଦ୍ଧାରିତ ହୋଇଯିବ।

ସମ୍ବନ୍ଧିତ ଖବର